କୁଳିଅଣା ୨୩/ ୦୬: ୧୮ ନମ୍ବର ଜାତୀୟ ରାଜପଥ ବାଇଗଣ ବାଡିଆ କଲେଜ ଛକ ନିକଟରେ ଗୁଳିମାଡ ହୋଇଛି । ମଦ ଦୋକାନର କର୍ମଚାରୀଙ୍କ ଠାରୁ ଲୁଟ୍‌ କରିବା ଉଦ୍ୟମରେ ୬ ରାଉଣ୍ଡ ଗୁଳି ଚଳାଇଲେ ୩ ଦୁର୍ବୃତ୍ତ । ସେଥିମଧ୍ୟରୁ ୨ ରାଉଣ୍ଡ ଗୁଳି ବାଜିବାରୁ ଶିବାନନ୍ଦ ବାରିକ ଗୁରୁତର ହୋଇଛନ୍ତି । ତାଙ୍କ କାନ ଏବଂ ଜଙ୍ଘରେ ଗୁଳି ବାଜିଥିବା ଜଣାପଡ଼ିଛି । ଘଟଣାସ୍ଥଳରେ କୁଳିଅଣା ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଚଳାଇଛି।

ସୂଚନା ମୁତାବକ, ସୋମବାର କୁଳିଅଣା ଅନୁମତି ପ୍ରାପ୍ତ ବିଦେଶୀ ମଦ ଦୋକାନର କର୍ମଚାରୀ ଶିବାନନ୍ଦ ବାରିକ ୭ ଲକ୍ଷ ଟଙ୍କା ନେଇ ନିଜ ବାଇକ୍‌ ଯୋଗେ ବ୍ୟାଙ୍କକୁ ଜମା କରିବାକୁ ଯାଉଥିଲେ । ଏହି ସମୟରେ ୩ଜଣ ଦୁର୍ବୃତ୍ତ ତାଙ୍କୁ ଅନୁସରଣ କରିଥିଲେ। କଲେଜ ଛକ ଅତିକ୍ରମ କରିବା ପରେ ସାମାନ୍ୟ ଫାଙ୍କା ସ୍ଥାନରେ ଶିବାନନ୍ଦଙ୍କୁ ଅଟକାଇଥିଲେ। ଶିବାନନ୍ଦଙ୍କ ପାଖରେ ଥିବା ଟଙ୍କା ଭର୍ତ୍ତି ବ୍ୟାଗ ଛଡାଇବା ପାଇଁ ଉଦ୍ୟମ କରିଥିଲେ। ବ୍ୟାଗ ନ ଦେବାରୁ ତିନି ଜଣ ଦୃର୍ବୁତ୍ତଙ୍କ ମଧ୍ୟରୁ ଦୁଇଜଣ ଦୁଇଟି ବନ୍ଧୁକରୁ ମୋଟ ୬ ରାଉଣ୍ଡ ଗୁଳି ଚଳାଇଥିଲେ। ଦୀର୍ଘ ସମୟ ଧରି ଟଙ୍କା ଛଡାଇବାକୁ ଉଦ୍ୟମ କରିଥିଲେ । ପାଟି ଶୁଣି ସ୍ଥାନୀୟ ଲୋକେ ଆସି ଦୂରରୁ ଟେକା ମାଡ କରିଥିଲେ।  ଟଙ୍କା ନେଇ ନପାରି ଶେଷରେ ଦୃର୍ବୁତ୍ତମାନେ  ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଶିବାନଦଙ୍କୁ  ଦୁଇରାଉଣ୍ଡ ଗୁଳିମାଡ ହୋଇଛି । ତାଙ୍କ କାନ ଏବଂ ଜଙ୍ଘରେ ବାଜିଥିବାର ସୂଚନା ମିଳିଛି। ସେ ଏବେ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସପିଟାଲରେ ଚିକିତ୍ସାଧିନ ଅଛନ୍ତି । ଘଟଣାସ୍ଥଳରେ କୁଳିଅଣା ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଚଳାଇଛି।