କଟକ, ୧୮/୦୬: କଟକ ବକ୍ସି ବଜାର ସ୍ଥିତ ସିଡିଏ ମାର୍କେଟ୍ କମ୍ପ୍ଲେକ୍ସରେ ହତ୍ୟାକାଣ୍ଡ । ଦୁର୍ବୃତ୍ତମାନେ ଜଣେ ଦୋକାନ କର୍ମଚାରୀଙ୍କ ତଣ୍ଟି କାଟି ନିର୍ମମ ଭାବେ ହତ୍ୟା କରିଛନ୍ତି । ମୃତକ ହେଉଛନ୍ତି ଆଶୋକ ବାରିକ (୫୪ ବର୍ଷ) ଏବଂ ତାଙ୍କ ଘର ବାଦାମବାଡ଼ି ଶଙ୍କରପୁର ମଙ୍ଗଳା ଲେନ୍ ଅଞ୍ଚଳରେ ବୋଲି ଜଣାପଡ଼ିଛି । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣାସ୍ଥଳରେ କ୍ୟାଣ୍ଟନମେଣ୍ଟ ଥାନା ପୁଲିସ ପହଞ୍ଚି ତଦନ୍ତ ଚଳାଇଛି ।
ସୂଚନା ମୁତାବକ, ଦୁର୍ବୃତ୍ତମାନେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ହୋଟେଲର ବାରଣ୍ଡାରେ ଆଶୋକ ବାରିକଙ୍କୁ ହତ୍ୟା କରି ଫେରାର ହୋଇ ଯାଇଥିବାର ଖବର ମିଳିଛି । ହତ୍ୟାକାଣ୍ଡର କାରଣ ଓ ଅଭିଯୁକ୍ତଙ୍କ ବାବଦରେ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ଖବର ପାଇ ବୁଧବାର ସକାଳେ କ୍ୟାଣ୍ଟନମେଣ୍ଟ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଏସସିବି ମେଡିକାଲ ପଠାଇଛି । ପୁଲିସ ସହ ସାଇଣ୍ଟିଫିକ ଟିମ୍ ମିଶି ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ ଚଳାଇଛି । ରାଜ୍ୟ ପୁଲିସ ମୁଖ୍ୟାଳୟଠାରୁ ଅଳ୍ପ ଦୂରରେ ଏହି ହତ୍ୟାକାଣ୍ଡ ଘଟିଥିବାରୁ ପୁଲିସକୁ ଅପରାଧୀଙ୍କ ଖୋଲା ଚ୍ୟାଲେଞ୍ଜ ହୋଇଛି । ଘଟଣାସ୍ଥଳରେ ନିଶାଆଡ୍ଡା ଚାଲିଥିବାରୁ ନିଶାଶକ୍ତମାନେ କୌଣସି ଘଟଣାକୁ ନେଇ ଏହି କାଣ୍ଡ ଘଟାଇ ଥାଇ ପାରନ୍ତି ବୋଲି ଆଲୋଚନା ହେଉଛି ।