ମୁମ୍ବାଇ ୨୨/୧୧: ସୋସିଆଲ ମିଡିଆରେ ସର୍ବାଧିକ ଫଲୋ କରାଯାଉଥିବା ବଲିଉଡ୍‌ ଷ୍ଟାର୍‌ଙ୍କ ମଧ୍ୟରେ ଶ୍ରଦ୍ଧା କପୁର ଅନ୍ୟତମ । କାରଣ ସୋସିଆଲ ମିଡିଆରେ ସେ ଖୁବ୍‌ ସକ୍ରିୟ ଅଛନ୍ତି । ଗତ କିଛି ବର୍ଷ ମଧ୍ୟରେ ତାଙ୍କର ହାତଗଣତି ଫିଲ୍ମ ରିଲିଜ୍‌ ହୋଇଥିଲେ ମଧ୍ୟ ସୋସିଆଲ ମିଡିଆରେ ଶ୍ରଦ୍ଧା ଫ୍ୟାନ୍‌ଙ୍କ ସହ ସର୍ବଦା ଯୋଡ଼ିହୋଇ ରହିଛନ୍ତି । ଶେଷ ଥର ‘ସ୍ତ୍ରୀ-୨’ରେ ସେ ନଜର ଆସିଥିଲେ । ଏହା ପୂର୍ବରୁ ଗତ ବର୍ଷ ‘ତୁ ଝୁଠି ମେଁ ମକ୍କାର୍‌’ରେ ରଣବୀର କପୁରଙ୍କ ସହ ସ୍କ୍ରିନ୍‌ ଶେୟାର କରିଥିଲେ । ଏବେ ତାଙ୍କ ଅପ୍‌କମିଙ୍ଗ ପ୍ରୋଜେକ୍ଟ ବିଷୟରେ ଫ୍ୟାନ୍‌ କିଛି ଜାଣନ୍ତି ନାହିଁ । ଏକ ସଦ୍ୟ ସାକ୍ଷାତକାରରେ ଏହି ରହସ୍ୟ ଉପରୁ ନିଜେ ପରଦା ଉଠାଇଛନ୍ତି ଶ୍ରଦ୍ଧା । 

କହିଛନ୍ତି, ମୁଁ ଯାହା କରିବାକୁ ଚାହେଁ, କରେ । ପଛକୁ ପଛ ଫିଲ୍ମ ସାଇନ୍‌ କରିବା ପାଇଁ ମୁଁ ବ୍ୟସ୍ତ ନୁହେଁ । ନିଜ ହୃଦୟ କଥା ମୁଁ ଶୁଶୁଛି । ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିବା ସମୟ ବିଷୟରେ ମଧ୍ୟ ସେ ଆଲୋଚନା କରିଛନ୍ତି । ସେ କହିଛନ୍ତି, ବିଫଳତା ବାସ୍ତବରେ ଏକ ଖୁବ୍‌ ଶକ୍ତିଶାଳୀ ଶିକ୍ଷକ ଏବଂ ସଫଳତା ଅଭିମୁଖେ ପାଦ ରଖିବା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କ୍ୟାରିଅର ଆରମ୍ଭରେ ମୁଁ ଅଗଣିତ ଅଡିସନ୍‌ ଦେଇଛି । କିଛି ଫିଲ୍ମ ପାଇଁ ମୋତେ ଚୟନ କରାଯାଇଛି, ତା’ପରେ ବାହାର କରାଯାଇଛି । ସେତେବେଳେ ଏହା ଅତ୍ୟନ୍ତ ନୈରାଶ୍ୟଜନକ ଥିଲା । ତେବେ, ଯାତ୍ରାରେ ଏହି ସବୁ ଅନୁଭବ ତାଙ୍କୁ ଆଜି ଏଠାରେ ପହଞ୍ଚାଇଛି ବୋଲି ଶ୍ରଦ୍ଧାଙ୍କ ବିଶ୍ୱାସ । 

ଫ୍ୟାନ୍‌ଙ୍କ ଭଲପାଇବା ଯୋଗୁ ଏହା ହୋଇପାରିଛି ବୋଲି ସେ କହିଛନ୍ତି । କିନ୍ତୁ ଆଗାମି ପ୍ରୋଜେକ୍ଟ ବିଷୟରେ ସେ ମୁହଁ ଖୋଲିନାହାନ୍ତି । ‘ପୁଷ୍ପା-୨’ରେ ଆଇଟମ୍‌ ନମ୍ବର ଅଫର୍‌ ଛାଡ଼ିବା ପରେ ଋତ୍ୱିକଜୁନିୟର ଏନ୍‌ଟିଆର ଷ୍ଟାରର୍‌ ‘ୱାର୍‌-୨’ରେ ତାଙ୍କର ଏଣ୍ଟ୍ରିକୁ ନେଇ ଚର୍ଚ୍ଚା ହେଉଛି । ଫିଲ୍ମ ‘ଧୁମ୍‌-୪’ରେ ରଣବୀର କପୁରଙ୍କ ସହ ପୁଣି ଥରେ ସେ ସ୍କ୍ରିନ୍‌ ଶେୟାର କରିବା ନେଇ ମଧ୍ୟ ଖୁବ୍‌ ଚର୍ଚ୍ଚା ହେଉଥିଲା ।