ମୁମ୍ବାଇ ୨୦/୧୧: ‘ସ୍ତ୍ରୀ-୨’ର ସଫଳତା ପରଠୁ ଦର୍ଶକ ଉତ୍ସାହର ସହ ଶ୍ରଦ୍ଧା କପୁରଙ୍କ ଅପ୍‌କମିଙ୍ଗ୍‌ ପ୍ରୋଜେକ୍ଟକୁ ଅପେକ୍ଷା କରିଛନ୍ତି । ଶ୍ରଦ୍ଧା ଅଦ୍ୟାବଧି ଏ ବିଷୟରେ ଘୋଷଣା କରିନାହାନ୍ତି, କିନ୍ତୁ ଇଣ୍ଟର୍‌ନେଟ୍‌ରେ ତାଙ୍କୁ ନେଇ ଅନେକ ଗୁଜବ ଚର୍ଚ୍ଚା ହେଉଛି । ଗୋଟିଏ ରିପୋର୍ଟ ଅନୁସାରେ, ‘ପୁଷ୍ପା-୨’ ନିର୍ମାତା ଶ୍ରଦ୍ଧାଙ୍କୁ ଅଲ୍ଲୁଙ୍କ ଅପୋଜିଟ୍‌ରେ ଏକ ଗୀତରେ ପ୍ରଦର୍ଶନର ଅଫର୍‌ ଦେଇଥିଲେ । କିନ୍ତୁ ପାରିଶ୍ରମିକ ଉପରେ କଥା ଅଟକିଗଲା । ଶେଷରେ ସାଉଥ୍‌ ନାୟିକା ଶ୍ରୀଲୀଲାଙ୍କୁ ସାଇନ୍‌ କରାଗଲା । ଏବେ ଶ୍ରଦ୍ଧାଙ୍କ ହାତରେ ଆଉ ଏକ ସିକ୍ୱେଲ ରହିଥିବା ଚର୍ଚ୍ଚା ହେଉଛି । 


ସୋସିଆଲ ମିଡିଆରେ ପ୍ରସାରିତ ଖବର ଅନୁସାରେ, ବଲିଉଡ୍‌ ଷ୍ଟାର୍‌ ଋତ୍ୱିକ ରୋଶନ ଓ ତେଲୁଗୁ ସୁପର୍‌ଷ୍ଟାର ଜୁନିୟର ଏନ୍‌ଟିଆର୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ୱାର୍‌-୨’ରେ ସେ ନଜର ଆସିପାରନ୍ତି । ତେବେ ସେ ଫିଲ୍ମରେ ଫିମେଲ ଲିଡ୍‌ ହେବେ ନାହିଁ । ଏକ ଗୀତରେ ଉଭୟ ଋତ୍ୱିକ ଓ ଏନ୍‌ଟିଆର୍‌ଙ୍କ ସହ ନୃତ୍ୟ କରିବେ । ଆୟାନ ମୁଖର୍ଜୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ୱାର୍‌-୨’ ଆସନ୍ତା ବର୍ଷ ଅଗଷ୍ଟ ୧୪ ତାରିଖରେ ଥିଏଟରକୁ ଆସିବ । ୟଶରାଜ୍‌ ଫିଲ୍ମସ ସ୍ପାଇ ୟୁନିଭର୍ସର ଏହି ଆକ୍ସନ୍‌- ଥ୍ରିଲର୍‌ରେ ଋତ୍ୱିକଙ୍କ ଅପୋଜିଟ୍‌ରେ ନଜର ଆସିବେ କିଆରା ଆଡ଼ଭାନି । ଜୁନିଅର ଏନ୍‌ଟିଆର୍‌ ନେଗେଟିଭ୍‌ ରୋଲ୍‌ ପ୍ଲେ କରିବେ ।