ପୁରୀ, ୪/୭ : ଆଡ଼ପ ମଣ୍ଡପରେ ଶ୍ରଦ୍ଧାଳୁଙ୍କୁ ଲାଗିବନି ରୌଦ୍ରତାପ ଜନିତ ଗୁଳୁଗୁଳି ବାଧା । ଚଳିତ ବର୍ଷ ଶ୍ରୀଗୁଣ୍ଡିଚା ମନ୍ଦିରରେ ଶ୍ରଦ୍ଧାଳୁଙ୍କୁ ବାତାନୁକୂଳିତ ବ୍ୟବସ୍ଥା ଭିତରେ ମହାପ୍ରଭୁଙ୍କ ଦର୍ଶନର ସୁବିଧା ମିଳିବ । ଉଭୟ ନାଟମଣ୍ଡପ ଓ ଜଗମୋହନରେ ବାତାନୁକୂଳିତ ବ୍ୟବସ୍ଥା ହୋଇଛି । ସେହିପରି ନୀଳାଦ୍ରି ବିଜେ ପରେ ଶ୍ରଦ୍ଧାଳୁମାନେ ବର୍ଷତମାମ ଶ୍ରୀଗୁଣ୍ଡିଚା ମନ୍ଦିର ପରିଦର୍ଶନ କରିବାର ବ୍ୟବସ୍ଥା କରାଯିବ । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ। 

ଶ୍ରୀମନ୍ଦିର ପ୍ରଶାସକ କହିଛନ୍ତି ଯେ, ଆଡ଼ପମଣ୍ଡପର ନାକଚଣା ଓ ସିଂହଦ୍ୱାର ଉନ୍ନତୀକରଣ ପୂର୍ବରୁ ସରିଥିଲା । ଏବେ ଉତ୍ତର ପାର୍ଶ୍ୱ ପୁରୁଣା ଦ୍ୱାର ଭାଙ୍ଗି ନୂଆ ଗୁମୁଣ ନିର୍ମାଣ ସହ ଦ୍ୱାର ଉନ୍ନତୀକରଣ କରାଯାଇଛି । ବର୍ମାଟିକ୍‌ କାଠରେ ଦ୍ୱାର କରାଯାଇଛି । ଗୁମୁଟକୁ କଳିଙ୍ଗ କଳା ଶୈଳୀରେ ଖଣ୍ଡୋଲାଇଟ୍‌ ପଥର ବ୍ୟବହାର କରାଯାଇ ରୂପ ଦିଆଯାଇଛି । ଏଥିସହ ବାହାର ପାର୍ଶ୍ୱକୁ ଆଲୋକୀକରଣ ଓ ଉଦ୍ୟାନ ଉନ୍ନତୀକରଣ କରାଯାଇଛି । ଶ୍ରୀଗୁଣ୍ଡିଚା ମନ୍ଦିର ଭିତର ଚକଡ଼ାର ମଧ୍ୟ ଉନ୍ନତୀକରଣ କରାଯାଇଛି । ଅବଢ଼ା ଯୋଜନା ଅର୍ଥରେ ଆଡ଼ପ ମଣ୍ଡପରେ ଟୁଣିଆ ମହଲା, ବଲ୍ଲଭ ଘର ଓ ରୋଷଘରର ଉନ୍ନତୀକରଣ କରାଯାଇଛି । ଶ୍ରୀଜିଉମାନଙ୍କ ବିଜେ ରାସ୍ତାକୁ ମଧ୍ୟ ଉନ୍ନତୀକରଣ କରାଯାଇଛି । ଏହି ରାସ୍ତାରେ ଅନେକ ପଥର ଖରାପ ହୋଇଥିଲା ଯାହାକୁ କାଢ଼ି ନୂଆ ପଥର ଲଗାଯାଇଛି । ଗତ ବର୍ଷ ନାଟମଣ୍ଡପରେ ରାମ୍ପର ବ୍ୟବସ୍ଥା ହୋଇଥିଲା । ଭକ୍ତମାନଙ୍କୁ ନାଟମଣ୍ଡପରୁ ଶ୍ରୀଜିଉଙ୍କ ଭଲ ଦର୍ଶନ ମିଳିଥିବାରୁ ଚଳିତ ବର୍ଷ ମଧ୍ୟ ରାମ୍ପ ଦର୍ଶନ ବ୍ୟବସ୍ଥା ଶ୍ରୀଜଗନ୍ନାଥ ପରିଚାଳନା କମିଟି ନିଷ୍ପତ୍ତି କ୍ରମେ ଲାଗୁ କରାଯାଇଛି।

ଆହୁରି ପଢନ୍ତୁ- Phuluri Tela Lagi Ritual: ବିଳମ୍ବିତ ରାତିରେ ଫିଟିଲା ଶ୍ରୀଅଙ୍ଗ, ବାହାରିଲା ଚନ୍ଦନ ଓ କରାଳ, ଆଜି ଫୁଲୁରୀ ତେଲ ଲାଗି