ଭୁବନେଶ୍ୱର ୨୮/୧୧: ଆସନ୍ତା  ୭ ତାରିଖ ପବିତ୍ର ମାର୍ଗଶୀର ଶୁକ୍ଳ ଷଷ୍ଠୀରେ  ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କର ଅନୁଷ୍ଠିତ ହେବ  ଓଢଣ ଷଷ୍ଠୀ ନୀତି । ଠାକୁରଙ୍କ ଚତୁର୍ଦ୍ଦଶ ପୂଜା  ନୀତି ମଧ୍ୟରୁ ଏହା ଅନ୍ୟତମ । ଏହି ଦିନ ଠାରୁ ଶ୍ରୀଜିଉ ମାଘ ଶୁକ୍ଳ ପଞ୍ଚମୀ ପର୍ଯ୍ୟନ୍ତ ଶ୍ରୀଅଙ୍ଗରେ ଶୀତବସ୍ତ୍ର ପରିଧାନ କରିବେ । କିନ୍ତୁ ଏଥର  ଏହି ନୀତି ଅନିଶ୍ଚିତତାରେ ରହିଛି । ଗତ ବର୍ଷ  ଏହି ନୀତି ବେଳେ ଅଧିବାସ ପୂଜାରେ ଦ୍ୱନ୍ଦ୍ୱ  ଉପୁଜିଥିଲା । ତେଣୁ ଏଥର ଯଦି ଅଧିବାସ ପୂଜା  ନ କରାଯାଏ ତା’ହେଲେ ପୂଜାପଣ୍ଡା ନିଯୋଗ  ସେଇ ଦିନର ନୀତିରେ ସହଯୋଗ କରିବ ନାହିଁ  ବୋଲି ସମ୍ପାଦକ ସଚ୍ଚିକାନ୍ତ ପୂଜାପଣ୍ଡା କହିଛନ୍ତି ।  ଏହି ପ୍ରସଙ୍ଗରେ ମନ୍ଦିର କାର୍ଯ୍ୟାଳୟ ତରଫରୁ  ୩ ପ୍ରମୁଖ ନିଯୋଗ (ବ୍ରାହ୍ମଣ, ପୂଜାପଣ୍ଡା  ଏବଂ ବଡୁ) ପ୍ରତିନିଧିଙ୍କ ସହ ଏକ ବୈଠକ  ଡକାଯାଇଛି । ବୈଠକର ନିଷ୍ପତ୍ତି ନିର୍ଣ୍ଣୟ କରିବ  ଚଳିତ ବର୍ଷର ଓଢଣ ଷଷ୍ଠୀ ନୀତି ।  

ଅନ୍ୟପଟେ ମନ୍ଦିର କାର୍ଯ୍ୟାଳୟର ନିର୍ଦ୍ଦେଶ  କ୍ରମେ ଦର୍ଜୀ ସେବାୟତ ବଳରାମ ମହାରଣା  ଠାକୁରଙ୍କ ସମେତ ଅନ୍ୟାନ୍ୟ ଦେବଦେବୀଙ୍କ ନିମନ୍ତେ ଓଢଣ(ଶୀତବସ୍ତ୍ର) ସିଲାଇ କରି  ରଖିଛନ୍ତି । ବଳରାମ କହିଛନ୍ତି "ମୁଁ ଶ୍ରୀଲିଙ୍ଗରାଜଙ୍କ  ପାଇଁ ମନ୍ଦିର କାର୍ଯ୍ୟାଳୟ ତରଫରୁ ଖଣ୍ଡେ ଓ ମାନସୀକଧାରୀଙ୍କ ପକ୍ଷରୁ ଆଉ ୪ଟି ଓଢଣ ତିଆରି  କରିଛି ରଖିଛି । 

ଏଥିସହିତ ପାର୍ବତୀ, ଗୋପାଳୁଣୀ,  ସାବିତ୍ରୀ, ନୃସିଂହ, ଗଣେଶ, କାର୍ତ୍ତିକେଶ୍ୱର,  ନାରାୟଣ, ଚଣ୍ଡେଶ୍ୱର, ବିନ୍ଧ୍ୟବାସିନୀ,  କେଦାରେଶ୍ୱର, ଡାକରାବିଭୀଷଣେଶ୍ୱର,  ବାସୁଦେବ ଏବଂ ବୃଷଭଙ୍କ ପାଇଁ ଖଣ୍ଡିଏ ଲେଖାଏଁ ଓଢଣ ସେ ତିଆରକରି ରଖିଥିବା  ବଳରାମ କହିଛନ୍ତି । ଦକ୍ଷିଣେଶ୍ୱରଙ୍କ ଠାରେ  ୬ ମୂର୍ତ୍ତିଙ୍କ ପାଇଁ ବି କାମ ସରିଛି । ଏକାମ୍ର, ଗୌରୀ, ମୁକ୍ତେଶ୍ୱର, ଭାସ୍କରେଶ୍ୱର, ଭୀମେଶ୍ୱର,  ବ୍ରହ୍ମେଶ୍ୱର,କପିଳେଶ୍ୱର ଓ ଅନ୍ୟାନ୍ୟ ମନ୍ଦିର  ନିମନ୍ତେ ଘୋଡ ବା ଓଢଣ ମଧ୍ୟ ସିଲାଇ କରି ରଖିଛି ।