ପୁରୀ ୨୩/୦୯: ଶ୍ରୀମନ୍ଦିରରେ ରତ୍ନଭଣ୍ଡାରକୁ ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ। ରତ୍ନ ଅଳଙ୍କାର ସ୍ଥାନାନ୍ତର ପାଇଁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ। ବେଢ଼ା ପରିକ୍ରମା ଉପରେ ଲାଗିଲା କଟକଣା। ସକାଳେ ଜିଲ୍ଲା ଟ୍ରେଜେରିରୁ ରତ୍ନଭଣ୍ଡା ଚାବିକାଠି ଶ୍ରୀମନ୍ଦିରରେ ପହଞ୍ଚିଥିଲା। ପରେ ବଡ଼ଦେଉଳ ଭିତରେ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ସହ ୧୧ ସଦସ୍ୟ ପ୍ରବେଶ କରିଥିଲେ। ଦିନ ୧୦ଟାରୁ ମହାପ୍ରଭୁଙ୍କ ଅଳଙ୍କାର ସ୍ଥାନାନ୍ତର ଆରମ୍ଭ ହୋଇଥିବା ସୂଚନା ମିଳିଛି।
ସୂଚନା ଅନୁଯାଇ, ଆଜି ସକାଳୁ ଶ୍ରୀମନ୍ଦିରରେ ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ ଶ୍ରୀମନ୍ଦିର ଚାରିପାଖରେ ତ୍ରିସ୍ତରୀୟ ସୁରକ୍ଷ ବ୍ୟବସ୍ଥା ହୋଇଛି । ପୁଲିସରେ ପୂରା ମନ୍ଦିର ପରିସର ଛାଉଣି ହୋଇଛି । ସୁରକ୍ଷାକର୍ମୀଙ୍କ ମଧ୍ୟରେ ବନ୍ଧୁକଧାରୀ ମଧ୍ୟ ମୁତୟନ ହୋଇଛନ୍ତି । ସିଂହଦ୍ବାର ଦେଇ ଭକ୍ତଙ୍କ ପ୍ରବେଶ ଉପରେ ଲାଗିଲା କଟକଣା। ବେଢ଼ା ପରିକ୍ରମାକୁ ବି ବନ୍ଦ କରାଯାଇଥିଲା । ପୂର୍ବ ନିଦ୍ଧାରିତ ସମୟ ଅନୁଯାୟୀ ପ୍ରାୟ ସକାଳ ୯ଟା ୪୫ ମିନିଟ୍ରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ପ୍ରାଧିକୃତ ୧୧ଜଣିଆ ଟିମ୍ ରତ୍ନ ଅଳଙ୍କାର ସ୍ଥାନାନ୍ତର ପାଇଁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିଲେ । କମିଟିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସ୍ପି, ଏଏସ୍ଆଇ ଅଧିକାରୀ, ରତ୍ନଭଣ୍ଡାର ସବ୍କମିଟି ସଦସ୍ୟ, ଦେଉଳ କରଣ, ତଢ଼ଉକରଣ, ଭଣ୍ଡାର ମେକାପ, ରତ୍ନଭଣ୍ଡାର ତଦାରଖ କମିଟିର ଦୁଇ ଜଣ ସଦସ୍ୟ ଜଷ୍ଟିସ ବିଶ୍ୱନାଥ ରଥ ଓ ସୁଦର୍ଶନ ପଟ୍ଟନାୟକ, ଛତିଶା ନିଯୋଗ ମହାନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, ଗଜପତି ମହାରାଜାଙ୍କ ପ୍ରତିନିଧି, ଶ୍ରୀମନ୍ଦିର ନୀତି ପ୍ରଶାସକ, ଉନ୍ନୟନ ପ୍ରଶାସକଙ୍କ ସହିତ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ପ୍ରବେଶ କରିଥିଲେ।
ସୂଚନାଥାଉକି, ଖଟଶେଜ ଘରେ ଥିବା ଭିତର ରତ୍ନଭଣ୍ଡାରର ଅଳଙ୍କାର ସହିତ ଫୁଲ ଘରେ ଓ ଚାଙ୍ଗଡ଼ା ଘରେ (ଅସ୍ଥାୟୀ ଷ୍ଟ୍ରଙ୍ଗରୁମ୍) ରହିଥିବା ବାହାର ରତ୍ନଭଣ୍ଡାରର ଅଳଙ୍କାର ରତ୍ନଭଣ୍ଡାରର ଯଥା ସ୍ଥାନକୁ ନିଆଯିବ । ନୂଆ ଆଲମିରା ଓ ସିନ୍ଦୁକରେ ଏହି ରତ୍ନଅଳଙ୍କାରଗୁଡ଼ିକ ରଖାଯାଇଛି । ମୂଳ ରତ୍ନଭଣ୍ଡାରକୁ ଅଳଙ୍କାର ସ୍ଥାନାନ୍ତର ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାଲା ପଡ଼ି ଚାବି ଟ୍ରେଜେରିରେ ରହିବ । ଯଦି ସ୍ଥାନାନ୍ତର ପ୍ରକ୍ରିୟା ୨୩ରେ ନସରେ ୨୪ ତାରିଖରେ ମଧ୍ୟ ହେବ । ଆଗକୁ ରତ୍ନ ଅଳଙ୍କାର ଗଣତିମଣତି ନେଇ ପରିଚାଳନା କମିଟି ନିଷ୍ପତ୍ତି ନେବ ।
ଗଣତିମଣତି ବେଳେ ୧୯୭୮ ମସିହା ରତ୍ନ ଅଳଙ୍କାର ତାଲିକା ସହ ମେଳକ କରାଯିବ । ଗଣତିମଣତି ସମୟରେ ପୂର୍ବ ନିର୍ଦ୍ଦେଶ ମୁତାବକ ବାତାନୁକୂଳିତ ବ୍ୟବସ୍ଥା ହେବ ବୋଲି ପ୍ରଶାସନ ପକ୍ଷରୁ ପୂର୍ବ ସୂଚନା ଦିଆଯାଇଥିଲା ।