ପୁରୀ,୨୭/୦୭: ରଥଯାତ୍ରା ସମୟରେ କାଢ଼ି ଦେଲେ ଶ୍ରୀମନ୍ଦିର ଉତ୍ତର ଦ୍ୱାର ଭିତର ଗୁମୁଟ କବାଟ । କୁରୁମ ବେଢ଼ାର ଉତ୍ତର ଦ୍ୱାରରେ ଥିବା ପୁରୁଣା କବାଟ ସ୍ଥାନରେ ନୂଆ କବାଟ ଲଗାଇବା ନିମନ୍ତେ ପଦକ୍ଷେପ ନିଆଯାଇଛି । ସ୍ୱତନ୍ତ୍ର ଧରଣର ଶାଗୁଆନ୍‌ କାଠରେ ନୂଆ ଦ୍ୱାର ତିଆରି କରି ଲଗାଯିବ । ଏହି କବାଟ ଉପରେ ପିତ୍ତଳ ଛାଉଣୀ କରାଯିବ । ଶ୍ରୀମନ୍ଦିର ପ୍ରଶାସନ ଟେଣ୍ଡର ଡାକିବା ସହ ପଦକ୍ଷେପ ଆରମ୍ଭ କରିସାରିଛି। ଦୁଇମାସରେ କାମ ସାରିବାକୁ ଲକ୍ଷ୍ୟ ରହିଛି ।  

ଅରୁଣ ସ୍ତମ୍ଭ ଚାରିପାଶ୍ୱର୍ରେ ପିତ୍ତଳ ବ୍ୟାରିକେଡ୍‌ ଲଗାଯିବା ପରେ ଶ୍ରୀମନ୍ଦିର ଉତ୍ତର ଦ୍ୱାର ଭିତର ଗୁମୁଟ କବାଟକୁ ନୂଆ ଭାବେ ନିର୍ମାଣ କରିବା ସହ ଏହା ଉପରେ ପିତ୍ତଳ ଛାଉଣୀ ଲାଗି ପଦକ୍ଷେପ  ନିଆଯାଇଛି । ଏଥିନିମନ୍ତେ ପ୍ରାୟ ୧୯ ଲକ୍ଷ ୭୫  ହଜାର ଟଙ୍କା ବ୍ୟୟ ଅଟକଳ କରାଯାଇଛି । 

ଉତ୍ତର ଦ୍ୱାର ଦେଇ ଦିବ୍ୟାଙ୍ଗଙ୍କ ଦର୍ଶନ  ବ୍ୟବସ୍ଥା କରିବାକୁ ଏଏସ୍‌ଆଇ ପକ୍ଷରୁ ଖଣ୍ଡୋଲାଇଟ୍‌ ପଥର ବ୍ୟବହାର କରି  ସ୍ୱତନ୍ତ୍ର ର‌୍ୟାମ୍ପ କରାଯାଇଛି । ଏଏସ୍‌ଆଇ ଓ ଶ୍ରୀମନ୍ଦିର ପ୍ରଶାସନର ମିଳିତ  ବୁଝାମଣାରେ ସମସ୍ତ କାମ ହେଉଛି । ର‌୍ୟାମ୍ପ୍‌ ନିର୍ମାଣ କାମ ଏଏସ୍‌ଆଇ କରିଥିବା ବେଳେ ପିତ୍ତଳ ଛାଉଣୀ ନୂଆ କବାଟ ଲଗାଇବା କାମ ଶ୍ରୀମନ୍ଦିର  ପ୍ରଶାସନ କରୁଛି । ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ଶ୍ରୀମନ୍ଦିରର ପ୍ରାୟ ୮ଟି ଦ୍ୱାରକୁ  ରୁପା ଛାଉଣୀ କରିଥିଲା । ସିଂହଦ୍ୱାର ଭିତର ପତିତପାବନ ମନ୍ଦିର ଓ ପାଶ୍ୱର୍  ଗୁମୁଟ ଖିଲଣ ରୁପା ଛାଉଣୀ ହୋଇଥିଲା । ରତ୍ନଭଣ୍ଡାର ଭିତର ଦ୍ୱାରକୁ ସୁନା  ଛାଉଣୀ ଓ ବାହାର ଦ୍ୱାରକୁ ରୁପା ଛାଉଣୀ କରିବାକୁ ଯୋଜନା ରହିଛି ।