ପୁରୀ,୧୬/୦୯: ଶ୍ରୀମନ୍ଦିରରେ ପରୀକ୍ଷାମୂଳକ ଭାବେ  ଧାଡ଼ି ଦର୍ଶନ ବ୍ୟବସ୍ଥା ସେପ୍ଟେମ୍ବର ୧୫ ତାରିଖଠାରୁ ଆରମ୍ଭ  ହେବ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଘୋଷଣା  କରିଥିଲେ । ହେଲେ ୧୫ ତାରିଖ ବିତିଥିଲେ ବି ଧାଡ଼ି ଦର୍ଶନ  ଆରମ୍ଭ ହୋଇପାରିଲାନି । ଆସନ୍ତା ୭ ତାରିଖରୁ କାର୍ତ୍ତିକ  ବ୍ରତ ଆରମ୍ଭ ହେବ । ତା ସହ ପୁରୀରେ ପର୍ଯ୍ୟଟନ ଋତୁ  ପାଇଁ ପର୍ଯ୍ୟଟକଙ୍କ ଗହଳି ମଧ୍ୟ ଜମିବ । ଏଣୁ ଏହା ପୂର୍ବରୁ ଧାଡ଼ି ଦର୍ଶନ ବ୍ୟବସ୍ଥା ନ ହେଲେ ଏହାକୁ ପରେ କାର୍ଯ୍ୟକାରୀ କରିବାରେ ଚାଲେଞ୍ଜ ସୃଷ୍ଟି ହେବ । ଭିଡ଼ ସମୟରେ ବ୍ୟାରିକେଡ୍‌ ଲଗାଇବା କଷ୍ଟକର ହୋଇଯିବ । ଏଣୁ ଧାଡ଼ି ଦର୍ଶନ ବ୍ୟବସ୍ଥା  ଆହୁରି ବିଳମ୍ବରେ କାର୍ଯ୍ୟକାରୀ ହେବ ।

ନାଟ ମଣ୍ଡପରେ ୬ଥାକିଆ ବ୍ୟାରିକେଡ୍‌ ପକାଇ ଧାଡ଼ି ଦର୍ଶନ ବ୍ୟବସ୍ଥା କରିବାକୁ ପରିଚାଳନା କମିଟି ପ୍ରଥମ ବୈଠକରେ ସୁପାରିସ  ପ୍ରଦାନ କରିଛି । ନାଟ ମଣ୍ଡପରେ ଥିବା ହୁଣ୍ଡି ହଟାଇ ଧାଡ଼ି ଦର୍ଶନ ବ୍ୟବସ୍ଥା  କରାଯାଇଥାନ୍ତା । ପରିଚାଳନା କମିଟି  ସୁପାରିସ ଆଇନ ବିଭାଗକୁ ପଠାଯାଇଛି  ହେଲେ ଏହାର ଚୂଡ଼ାନ୍ତ ଅନୁମୋଦନ ହୋଇପାରିନଥିବାରୁ ବ୍ୟବସ୍ଥା ଅଟକି  ରହିଛି । ଏହି ସୁପାରିସ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ନାଟ ମଣ୍ଡପରୁ ହୁଣ୍ଡି  ସ୍ଥାନାନ୍ତର ହେବ। ଏହା ପରେ ନାଟମଣ୍ଡପରେ ଧାଡ଼ି ଦର୍ଶନ  ଲାଗୁ ହେବ । ହେଲେ ଏହି ଅନୁମୋଦନ ମିଳିନି । ହୁଣ୍ଡି  ସ୍ଥାନାନ୍ତର ପାଇଁ କ୍ୟାବିନେଟ୍‌ରେ ଅନୁମୋଦନ ଆବଶ୍ୟକ ବୋଲି କୁହାଯାଉଛି । ବର୍ତ୍ତମାନସୁଦ୍ଧା ଅନୁମୋଦନ ପ୍ରକ୍ରିୟା  ଶେଷ ହୋଇନଥିବାରୁ ଧାଡ଼ି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ  ହେବାକୁ ଆହୁରି ବିଳମ୍ବ ହେବ ବୋଲି ଆଶଙ୍କା କରାଯାଉଛି ।  

ସୂଚନାଥାଉକି, ନାଟ ମଣ୍ଡପରେ ୬  ଥାକିଆ ବ୍ୟାରିକେଡ କରାଯାଇ ଶ୍ରଦ୍ଧାଳୁଙ୍କ  ଦର୍ଶନକୁ ସହଜ କରିବାକୁ ଯୋଜନା ପ୍ରସ୍ତୁତି  ହୋଇଛି । ଏଥିପାଇଁ ଓବିସିସିକୁ ୧ କୋଟି  ୬୦ ଲକ୍ଷ ଟଙ୍କା ଅନୁମୋଦନ ହୋଇଛି ।  ଓବିସିସି ବ୍ୟାରିକେଡ୍‌ ଆଣି ରଖିଛି ।  ହେଲେ ଅନୁମୋଦନ ନଥିବାରୁ ଏହାକୁ  ଲଗାଯାଇପାରିନି । ଧାଡ଼ି ଦର୍ଶନ ବ୍ୟବସ୍ଥାରେ  ସମୁଦାୟ ୬ଟି ଧାଡ଼ି ରହିବ । ସେଥିରୁ ୩ଟି  ମହିଳା, ବୟସ୍କ, ଶିଶୁ ଓ ଭିନ୍ନକ୍ଷମଙ୍କ ପାଇଁ  ଉତ୍ସର୍ଗୀକୃତ ରହିବ । ଅନ୍ୟ ୩ ଧାଡ଼ିରେ ସାଧାରଣ ଲୋକ  ଯାତାୟାତ କରିପାରିବେ । ଗୋଟିଏ ଦଫାରେ ୨୦୦ରୁ ୩୦୦  ଲୋକ ଧାଡ଼ିରେ ଯାଇ ଶ୍ରୀବିଗ୍ରହମାନଙ୍କୁ ଦର୍ଶନ କରିପାରିବେ ।  ଏହାର ସମ୍ମୁଖ ଭାଗ ନିଚ୍ଚା ଓ ପଛ ପାଶ୍ୱର୍ ଭାଗ ଉଚ୍ଚା ରହିବ ।  ଏଣୁ ଆଗରେ ହେଉ କି ପଛରେ କୌଣସି ବି ଶ୍ରଦ୍ଧାଳୁ ଦର୍ଶନରୁ  ବଞ୍ଚିତ ହେବେନି ।