ପୁରୀ,୦୭/୦୩: ରବିବାର ବଡ଼ଦେଉଳରେ  ଫଗୁ ଦଶମୀ । ସେହି ଦିନଠାରୁ ଆରମ୍ଭ  ମହାପ୍ରଭୁଙ୍କ ଦୋଳ ମହୋତ୍ସବ । ଠାକୁରଙ୍କ  ଚାଚେରୀ ବେଶ ଓ ଚାଚେରୀ ଭୋଗ ଅନୁଷ୍ଠିତ  ହେବ । ଦାରୁଦିଅଁମାନେ ଲାଲ୍‌ ବସ୍ତ୍ର ପରିଧାନ  କରି ବହୁମୂଲ୍ୟ ଅଳଙ୍କାରରେ ଭୁଷିତ ହେବେ ।  ଏଥିସହ ଠାକୁର ଠାକୁରାଣୀଙ୍କୁ ଝିମିରି ଫଗୁ ଲାଗି  କରାଯିବ । ଏହି ଅବସରରେ ଜଗନ୍ନାଥବଲ୍ଲଭ  ମଠରେ ବିଜେ ହେବେ ଦୋଳଗୋବିନ୍ଦ, ଶ୍ରୀଦେବୀ ଓ ଭୂଦେବୀ । ସେଠାରେ ଦୋଳତ୍ସୋବ ନୀତି ପାଳନ  ହେବ । ଅବିର ରଙ୍ଗରେ ଏକାକାର ହେବେ  ଭଗବାନ ଓ ଭକ୍ତ । 

ଫଗୁଦଶମୀରେ ବିମାନବଡ଼ୁ  ସେବକମାନେ ସୁସଜ୍ଜିତ ବିମାନରେ ଠାକୁରଙ୍କୁ  ନେଇ ବଡ଼ଦାଣ୍ଡସ୍ଥିତ ଜଗନ୍ନାଥ ବଲ୍ଲଭ ମଠରେ  ବିଜେ ହେବେ । ଦଶମୀ ତିଥିଠାରୁ ତ୍ରୟୋଦଶୀ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଚାଚେରୀ  ବେଶ ଓ ଭୋଗ, ଫଗୁ ଅଞ୍ଜଳି ପ୍ରଦାନ ଓ ଜଗନ୍ନାଥ  ବଲ୍ଲଭ ମଠକୁ ଯାତ୍ରା ବିଧି ଅନୁଷ୍ଠିତ ହୋଇଥାଏ ।  ସିନ୍ଦୁର, ମୁଥା, ଅଙ୍କରାନ୍ତି, ଶତାବରୀ, ପାଳୁଅର  ସମ୍ମିଶ୍ରଣରେ ଠାକୁରଙ୍କ ଝିମିରି ଫଗୁ ପ୍ରସ୍ତୁତ ହୋଇଥାଏ। ନୀଳାଦ୍ରି ମହୋଦୟରେ ଏହି ପର୍ବକୁ  ‘ବସନ୍ତ ଗୁଣ୍ଡିଚା’ର ଆଖ୍ୟା ଦିଆଯାଇଛି ।