ପୁରୀ,୨୧/୦୯(ରାଜଶ୍ରୀ ସାହୁ): ଆମ ଶ୍ରୀମନ୍ଦିର । ଆମ ଶ୍ରୀଗୁଣ୍ଡିଚା ମନ୍ଦିର । ଏହି ଦୁଇ ଅପରୂପ ସୃଷ୍ଟିର ମନମୋହକ ସୌନ୍ଦର୍ଯ୍ୟରେ ବିଶ୍ୱର କୋଟି ଭକ୍ତ ଅଭିଭୂତ । ହଜାର ହଜାର ମାଇଲ ଦୂରରୁ ଭକ୍ତ ଦୌଡ଼ି ଆସୁଛନ୍ତି ନୟନପଲକରେ ଟିକେ ଦେଖିବାକୁ । କିନ୍ତୁ ଏହାକୁ କୁରୂପ କରିବାରେ ବ୍ୟସ୍ତ ଶ୍ରୀମନ୍ଦିର ପ୍ରଶାସନ ।
ବାସ୍ତବ ସୌନ୍ଦର୍ଯ୍ୟକୁ ଲୁଚାଇ ଶହ ଶହ କଣ୍ଟା ବଡ଼େଇ ଟଙ୍କା ଯାଉଛି ଫୁଲ ଓ ଲିଚୁମାଳ । ଭକ୍ତ ମହଲରେ ଗୋଟିଏ ପ୍ରଶ୍ନ....ଆମ ଶ୍ରୀମନ୍ଦିର କ’ଣ ଏତେ ଅସୁନ୍ଦର ଯେ ତାକୁ ସୁନ୍ଦର କରିବାକୁ ଦରକାର ଫୁଲ ଆଉ କୃତ୍ରିମ ଆଲୋକର ଲିଚୁମାଳ ।
କ୍ଷଣିକ ସୁନ୍ଦରତା ପାଇଁ ହଜାର ହଜାର ବର୍ଷର ଐତିହ୍ୟ ସୁରକ୍ଷାକୁ ପାସୋରି ଯାଉଛନ୍ତି । ଅଦ୍ୱିତୀୟ ଶ୍ରୀମନ୍ଦିରକୁ ଅକ୍ଷୁଣ୍ଣ ରଖିପାରୁନାହାନ୍ତି । ଜୀବନ୍ତ ପ୍ରସ୍ତର କୀର୍ତ୍ତିକୁ କଣ୍ଟା ଫୋଡ଼ି କ୍ଷତାକ୍ତ କରି ପକାଉଛନ୍ତି ।
ତାହା ପୁଣି ଅଜାଣତରେ ନୁହେଁ ସବୁ ଜାଣିଶୁଣି! ବିଭିନ୍ନ ପର୍ବପର୍ବାଣୀରେ ଶ୍ରୀମନ୍ଦିରକୁ ସଜାଇବାକୁ ଯାଇ ବଡ଼ ବିପତ୍ତିକୁ ଡକାଯାଉଛି । ଫୁଲ ଓ ଲିଚୁ ମାଳ ଲଗାଇବା ପାଇଁ ଶ୍ରୀମନ୍ଦିର ଓ ଶ୍ରୀଗୁଣ୍ଡିଚା ମନ୍ଦିର ଗୁମୁଟ ସାରା ଶହଶହ କଣ୍ଟା ବାଡ଼ିଆଯାଇଛି । ମେଘନାଦ ପ୍ରାଚୀର ମଧ୍ୟ ଏହି ବର୍ବରତାରୁ ବାଦ୍ ପଡ଼ିନି ।ଏହାଦ୍ୱାରା ଏହି ପୁରାତନ କୀର୍ତ୍ତି ସବୁକୁ ବିପଦ ସୃଷ୍ଟି ହୋଇଛି । ଐତିହ୍ୟ କୀର୍ତ୍ତିରେ କଣ୍ଟା ବାଡ଼େଇବା ଆଇନ ଅନୁଯାୟୀ ଦଣ୍ଡନୀୟ । ପ୍ରତିବର୍ଷ ଯଦି ଏଭଳି କଣ୍ଟା ବାଡ଼େଇ ଫୁଲ ଲିଚୁ ଟଙ୍କା ଯାଏ, ଗୁମୁଟ ଉପରେ ବିପଦ ରହିଛି ବୋଲି ଏଏସ୍ଆଇ ମଧ୍ୟ ତାଗିଦ କରୁଛି । ହେଲେ ସବୁ କିଛିକୁ ଅଣଦେଖା କରି ଶ୍ରୀମନ୍ଦିରକୁ ଜାଣିଶୁଣି ବିପଦ ମୁହଁକୁ ଠେଲି ଦିଆଯାଉଛି ।
ଐତିହ୍ୟ ଗବେଷକ ଦେବୀ ପ୍ରସନ୍ନ ନନ୍ଦ କହିଛନ୍ତି, ଐତିହ୍ୟକୁ ଅକ୍ଷୁଣ୍ଣ ରଖିବା ସମସ୍ତଙ୍କ ଦାୟିତ୍ୱ ହେବା ଜରୁରି । କାରଣ ଐତିହ୍ୟ ଏକ ଏଭଳି ଜିନିଷ ଯାହାକୁ ଯେତେ ଚେଷ୍ଟା କଲେ ବି ଯେତେ ଟଙ୍କା ଖର୍ଚ୍ଚ କଲେ ବି ପୂର୍ବାବସ୍ଥାକୁ ଫେରାଇ ହୁଏନି । ଫୁଲ ଲିଚୁ ଟାଙ୍ଗିବା ପାଇଁ କଣ୍ଟା ବାଡ଼େଇବା ସହ ସେଥିରେ ଦୀର୍ଘ ଦିନ ଧରି ଫୁଲ ଓ ଲିଚୁ ମାଳ ଝୁଲି ରହୁଛି । ତାହା ମଧ୍ୟ କୀର୍ତ୍ତି ଉପରେ ଚାପ ପକାଉଥିବ । ହଜାର ହଜାର ବର୍ଷ ତଳର କୀର୍ତ୍ତିକୁ ସଯତ୍ନେ ରଖିବା ଦ୍ୱାରା ହିଁ ଏହା ଆମ ପର ପିଢ଼ି ପାଇଁ ସଂରକ୍ଷିତ ରହି ପାରିବ।
ପୁରୀ ଐତିହ୍ୟ ପଦଯାତ୍ରାର ସଦସ୍ୟ ଡକ୍ଟର କୁମାର ଅରୋଜ୍ୟୋତି, ଅଶୋକା ମଞ୍ଜରୀ ନାୟକ, ଦୁର୍ଗାମାଧବ ମହାନ୍ତି ପ୍ରମୁଖ ଏନେଇ ଚିନ୍ତାବ୍ୟକ୍ତ କରିଛନ୍ତି । ଗୁମୁଟର ଦଧିନଉତି ଓ ଅମାଳକରେ ସର୍ବାଧିକ କଣ୍ଟା ବାଡ଼ାଯାଇଛି । ଶ୍ରୀମନ୍ଦିର ସିଂହଦ୍ୱାର ସମେତ ଅନ୍ୟ ୩ ଦ୍ୱାରର ଗୁମୁଟର ମଧ୍ୟ ସମାନ ଅବସ୍ଥା । ସେହିଭଳି ଗୁଣ୍ଡିଚା ମନ୍ଦିରର ସିଂହଦ୍ୱାର ଓ ନାକଚଣା ଦ୍ୱାର ଗୁମୁଟରେ ମଧ୍ୟ ପ୍ରତିବର୍ଷ କଣ୍ଟା ବାଡ଼ାଯାଉଛି । ଗୁମୁଟର ଦଧିନଉତି ଓ ଅମାଳକ ଉପରେ ସର୍ବାଧିକ କଣ୍ଟା ବାଡ଼ାଯାଉଛି । ଏବେ ବି ଶହଶହ କଣ୍ଟା ଏଥିରେ ଲାଗି ରହିଛି । ଏହା ଏବେ ହୁଏତ ଆଖିକୁ ସୁନ୍ଦର ଦିଶୁଥାଇପାରେ । କିନ୍ତୁ ପରବର୍ତ୍ତୀ ସମୟରେ ଏହା ବୃହତ ବିପଦ ହେବ ବୋଲି ସେମାନେ କହିଛନ୍ତି । ଏହା ଏକ ବଡ଼ ଅପରାଧ । ଏଣୁ ତୁରନ୍ତ ଏଦିଗରେ ପଦକ୍ଷେପ ନେବାକୁ ଐତିହ୍ୟ ପଦଯାତ୍ରା ସଦସ୍ୟମାନେ ଦାବି କରିଛନ୍ତି ।
ଏଏସ୍ଆଇ ସୁପରିଣ୍ଟେଣ୍ଡେଣ୍ଟ ଜି. ବି. ଗଡ଼ନାୟକ କହିଛନ୍ତି, ଗୁମୁଟରେ କଣ୍ଟା ନ ବାଡ଼େଇବାକୁ ଏଏସ୍ଆଇ ବାରମ୍ବାର ମନା କରୁଛି । ଏନେଇ ଲିଖିତ ଭାବେ ମଧ୍ୟ ଦେଇଥିଲୁ। ସେମାନେ ଆଗାମୀ ଦିନରେ ଧ୍ୟାନ ଦେବେ କହୁଛନ୍ତି ।
ପ୍ରତିବର୍ଷ ଏମିତି କଲେ ନିଶ୍ଚିତ ଏହାର ପ୍ରଭାବ ପଡ଼ିବ । କାରଣ ପଥରରେ ବି ଜୀବନ ଅଛି । ସମସ୍ତେ ସଜାଗ ରହିଲେ ହିଁ ମନ୍ଦିର ବଞ୍ଚି ରହିବ । ମନ୍ଦିର ଏକ ପୂରାତନ କୀର୍ତ୍ତି। ଏଣୁ ତା ଉପରେ କୌଣସି ପ୍ରକାର ଚାପ ପକାଇବା ଉଚିତ ନୁହେଁ । ହେଲେ ଚାପ କମାଇବା ବଦଳରେ ବଢ଼ାଯାଉଛି । ଯାହା ଚିନ୍ତାର ବିଷୟ । ଐତିହ୍ୟ କୀର୍ତ୍ତି ଅପରିବର୍ତ୍ତିତ ରହିଲେ ହିଁ ଏହାର ସଂରକ୍ଷଣ ହୋଇପାରିବ ।