ପୁରୀ ୦୭/୧୦: ଶ୍ରୀମନ୍ଦିରରେ କୁମାର ପୂର୍ଣ୍ଣିମା । ଏହି ଅବସରରେ  ମହାଲକ୍ଷ୍ମୀ ଓ ମହାପ୍ରଭୁଙ୍କ ମଧ୍ୟରେ  ଦ୍ୟୁତକ୍ରୀଡ଼ା ପ୍ରତିଯୋଗିତା ହେବ ।  ଏଥିସହ ଶ୍ରୀସୁଦର୍ଶନ ଦେବ  ଶ୍ରୀମନ୍ଦିରରୁ ବାହାରି ନଗର ପରିକ୍ରମା  କରିବେ । ‘ଶୁଦ୍ଧ ସୁବର୍ଣ୍ଣର ମଣ୍ଡପ  ମଧ୍ୟେ ଚନ୍ଦନ କୋଠି, ରାଇଦାମୋଦର ଖେଳନ୍ତି  ହସ୍ତେ କଉଡ଼ି ମୁଠି’ । ବୟସ୍କା ହବିଷ୍ୟାଳିଙ୍କ କଣ୍ଠରୁ ପୁଣି ଭାସି ଆସିଲା ଏମିତି ଗୀତି ଭଜନ ।  ମୁରୁଜ ଚିତାରେ ପୁଣି ଝଲସି ଉଠିବ ଚଉରା  ମୂଳ । ସନ୍ଧ୍ୟାରେ ଆକାଶଦୀପ ଜଳାଇ ମା’ମାନେ  ମନାସିବେ ସଂସାରର ସୁଖ । 

ମଙ୍ଗଳବାରଠାରୁ ମହାକାର୍ତ୍ତିକ ମାସ । ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ରାଇଦାମୋଦର ବ୍ରତ ପାଳିଲେ ହବିଷ୍ୟାଳି ।  ଶ୍ରୀକ୍ଷେତ୍ରରେ ରହି କାର୍ତ୍ତିକ ବ୍ରତ କଲେ କୋଟି  ପୁଣ୍ୟ ମିଳେ । ଏହି ଆଶା ରଖି ସୋମବାର ପୁରୀରେ  ପହଞ୍ଚିଥିଲେ ହଜାର ହଜାର ହବିଷ୍ୟାଳି । ପ୍ରଶାସନ ପକ୍ଷରୁ ୪ଟି ସ୍ଥାନରେ ହବିଷ୍ୟାଳି କେନ୍ଦ୍ରରେ ହୋଇଥିଲା  ସ୍ୱତନ୍ତ୍ର ବ୍ୟବସ୍ଥା । ସୋମବାର ସନ୍ଧ୍ୟା ସୁଦ୍ଧା ୧୯୫୦  ଜଣ ହବିଷ୍ୟାଳି ସରକାରୀ ଶିବିରରେ ପହଞ୍ଚିଛନ୍ତି ।  ପୂର୍ବରୁ ପଞ୍ଜୀକରଣ କରିଥିବା ଏହି ହବିଷ୍ୟାଳିଙ୍କୁ  ପରିଚୟପତ୍ର ଦେଇ ରୁମ୍‌ରେ ରଖାଯାଇଥିଲା । ସେମାନଙ୍କ ପାଇଁ ଦୈନିକ ନିଃଶୁଳ୍କ ମହାପ୍ରସାଦ  ବ୍ୟବସ୍ଥା ମଧ୍ୟ କରାଯାଇଛି । ହବିଷ୍ୟାଳିଙ୍କ ସୁବିଧା ପାଇଁ  ବ୍ୟାପକ ପୁଲିସ ବ୍ୟବସ୍ଥା ମଧ୍ୟ ହୋଇଛି । ଏହାସହ  ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବ୍ୟାରିକେଡ୍‌ ମଧ୍ୟ କରାଯାଇଛି ।  

ଚଳିତ ବର୍ଷର କାର୍ତ୍ତିକ ବ୍ରତ ବା ରାଇଦାମୋଦର  ବ୍ରତ ଅକ୍ଟୋବର ୭ ତାରିଖଠାରୁ ଆରମ୍ଭ  ହୋଇ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ଚାଲିବ ।  ଅନ୍‌ଲାଇନ୍‌ରେ ଆବେଦନ କରି ଯୋଗ୍ୟ ବିବେଚିତ  ହବିଷ୍ୟାଳି ମା’ମାନେ ନିର୍ଦ୍ଧାରିତ କେନ୍ଦ୍ରମାନଙ୍କରେ  ପଞ୍ଜୀକରଣ କରାଇଥିଲେ । ଜିଲ୍ଲାପାଳ ଦିବ୍ୟଜ୍ୟୋତି  ପରିଡ଼ା ସକାଳୁ ସମସ୍ତ କେନ୍ଦ୍ର ପରିଦର୍ଶନ କରିଥିଲେ । ପଞ୍ଜୀକରଣ କାର୍ଯ୍ୟ ସହ ଅନ୍ୟାନ୍ୟ  ବ୍ୟବସ୍ଥାକୁ ଜିଲ୍ଲାପାଳ ଅନୁଧ୍ୟାନ କରି ଦାୟିତ୍ୱରେ  ଥିବା ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।  ଯେପରି କୌଣସି କ୍ଷେତ୍ରରେ ହବିଷ୍ୟାଳି  ମା’ମାନଙ୍କର ଅସୁବିଧା ନ ହୁଏ ସେଥିପ୍ରତି  ଯତ୍ନବାନ ହେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।  ପରେ ହବିଷ୍ୟାଳି ମା’ ଓ ସ୍ୱେଚ୍ଛାସେବୀମାନଙ୍କ  ସହ ଜିଲ୍ଲାପାଳ ଆଲୋଚନା କରିଥିଲେ ।

​​​​​​​ଆଜି ସନ୍ଧ୍ୟାରେ ନରେନ୍ଦ୍ର କୋଣ ସ୍ଥିତ ବୃନ୍ଦାବତୀ ନିବାସ ଠାରେ ହବିଷ୍ୟାଳୀ ବ୍ରତ ୨୦୨୫ ର ଶୁଭାରମ୍ଭ କରାଯିବ। ଏହି ଅବସରରେ ବରିଷ୍ଠ ମନ୍ତ୍ରୀ ମାନଙ୍କ ସହିତ ପୁରୀ ବିଧାୟକ ଓ ସାଂସଦ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି। ଏକ ମାସ ଧରି ଚାଲିବାକୁ ଥିବା ଏହି ବ୍ରତରେ ହବିଷ୍ୟାଳୀମାନେ ଚଉଁରା ମୂଳେ ରାଧାଦାମଦର ପୂଜା କରିବା ସହ ହବିଷ୍ୟ ବ୍ରତ ପାଳନ ହେବ।