ଭୁବନେଶ୍ୱର,୨୧/୦୯: ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀଗୁଡ଼ିକର ଗଣତିମଣତି କାର୍ଯ୍ୟ ହେବ । ଏଥିପାଇଁ ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକାର ସହାୟତା ନିଆଯିବ । ୧୯୭୮ ଏପ୍ରିଲ ୫ରୁ ଜୁଲାଇ ୨୩ ପର୍ଯ୍ୟନ୍ତ ରତ୍ନଭଣ୍ଡାରରେ ଶେଷଥର ପାଇଁ ଗଣତିମଣତି ହୋଇଥିଲା । ଏବେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ରତ୍ନଭଣ୍ଡାରର ମରାମତି ଓ ସଂରକ୍ଷଣ କାମ ଶେଷ କରିଛନ୍ତି । ରତ୍ନଭଣ୍ଡାର ଗଣତି ପାଇଁ ମନ୍ଦିର ପରିଚାଳନା କମିଟିଙ୍କୁ ସହଯୋଗ ପାଇଁ ସରକାର ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି । ସେହି ପରିଚାଳନା କମିଟି ପୁନର୍ଗଠନ ହୋଇ ରତ୍ନଭଣ୍ଡାର ସବ୍-କମିଟି ତିଆରି ହୋଇଛି । ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ଏହି ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।