ପୁରୀ,୧୪/୦୭: ଗତ ୩ ଆର୍ଥିକ  ବର୍ଷରେ ଶ୍ରୀମନ୍ଦିରକୁ ମିଳିଛି ୧୧୬ କୋଟି  ଟଙ୍କାରୁ ଅଧିକ ଦାନ । ଏହାଛଡ଼ା ୧୨  କେଜିରୁ ଅଧିକ ସୁନା ଓ ୨୧୪ କେଜିରୁ  ଅଧିକ ରୁପା ମଧ୍ୟ ଦାନରେ ମିଳିଛି ।  ନିକଟରେ ଏକ ତଥ୍ୟରୁ ଏହା ଜଣାପଡ଼ିଛି । 

ସୂଚନା ମୁତାବକ, ୨୦୨୧-୨୨, ୨୦୨୨- ୨୩ ଏବଂ ୨୦୨୩-୨୪ ଆର୍ଥିକ ବର୍ଷରେ  ହୁଣ୍ଡିରୁ ୪୦ କୋଟି ୬୧ ଲକ୍ଷ ୬୭ ହଜାର ୨୫୩ ଟଙ୍କା, ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ  ୫୯ କୋଟି ୭୯ ଲକ୍ଷ ୯୯ ହଜାର ୯୫ ଟଙ୍କା  ଓ ଅନ୍ୟାନ୍ୟ ସୂତ୍ରରୁ ୧୨ କୋଟି ୬୦ ଲକ୍ଷ ୮୯  ହଜାର ୫୪୧ ଟଙ୍କା ମିଳିଥିଲା ।୩ ବର୍ଷରେ  ମୋଟ ୧୧୬ କୋଟି ୨ ଲକ୍ଷ ୫୬ ହଜାର  ୩୧୨ ଟଙ୍କା ମିଳିଥିବା ବେଳେ ବ୍ୟାଙ୍କ ଆକାଉଣ୍ଟ  ମାଧ୍ୟମରେ ଅଧିକ ଦାନ ସୂତ୍ରରେ ମିଳିଛି । 

ସେହିପରି ଗତ ୩ ବର୍ଷ ଭିତରେ ହୁଣ୍ଡି  ଓ ଅନ୍ୟାନ୍ୟ ଉତ୍ସରୁ ୧୨ କେଜି ୨୮୪ ଗ୍ରାମ  ୪୨୪ ମିଲିଗ୍ରାମ ସୁନା ମିଳିଛି। ୨୦୨୧-୨୨ରେ ହୁଣ୍ଡି ଓ ଅନ୍ୟାନ୍ୟ ଉତ୍ସରୁ ୩ କେଜି ୫୦୯  ଗ୍ରାମ ୭୪୦ ମିଲିଗ୍ରାମ ସୁନାରୁ ୧ କେଜି ୭୦୧  ଗ୍ରାମ ୪୫୮ ମିଲିଗ୍ରାମ ବ୍ୟବହାର ହୋଇଛି । ଶ୍ରୀପୟର ମରାମତି, କୃଷ୍ଣ ଓ ବାବନ ମୂର୍ତ୍ତି  ତିଆରିରେ ଏହି ସୁନା ବ୍ୟବହାର ହୋଇଛି ।  ୨୦୨୨-୨୩ରେ ହୁଣ୍ଡି ଓ ଅନ୍ୟାନ୍ୟ ଉତ୍ସରୁ ୩ କେଜି ୭୩୬ ଗ୍ରାମ ୮୯୪ ମିଲିଗ୍ରାମ ସୁନାରୁ  ୮୮୦ ଗ୍ରାମ ୯୯୮ ଗ୍ରାମ ସୁନା ବ୍ୟବହାର  ବା ଖର୍ଚ୍ଚ ହୋଇଛି । 

କୃଷ୍ଣ ଓ ବାବନ ମୂର୍ତ୍ତି  ତିଆରି ନିମନ୍ତେ, ମା’ ସୁଭଦ୍ରାଙ୍କ କିରିଟ,  ମା’ ଲକ୍ଷ୍ମୀଙ୍କ ହାର ତିଆରିରେ ଏହି ସୁନା  ଲାଗିଛି । ୨୦୨୩-୨୪ରେ ହୁଣ୍ଡି ଓ ଅନ୍ୟାନ୍ୟ  ଉତ୍ସରୁ ୫ କେଜି ୩୭ ଗ୍ରାମ ୭୯୦ ମିଲିଗ୍ରାମ  ସୁନା ମିଳିଥିଲା । ଯେତେବେଳେ କି ୧ ଗ୍ରାମ  ୪୫୮ ମିଲିଗ୍ରାମ ସୁନା ଖର୍ଚ୍ଚ ହୋଇଛି । କୃଷ୍ଣ  ଓ ବାବନ ମୂର୍ତ୍ତି ତିଆରି ନିମନ୍ତେ ଏହି ସୁନା  ଖର୍ଚ୍ଚ ହୋଇଥିବା ତଥ୍ୟରୁ ଜଣାପଡ଼ିଛି । ସେହିପରି ଗତ ୩ ବର୍ଷ ଭିତରେ ୨୧୪ କେଜି ୧୨୯ ଗ୍ରାମ ୬୩୫ ମିଲିଗ୍ରାମ ରୁପା ହୁଣ୍ଡି ଓ  ଅନ୍ୟାନ୍ୟ ଉତ୍ସରୁ ମିଳିଥିଲା । ଯେତେବେଳେ କି  ୧୪୭ କେଜି ୧୦୩ ଗ୍ରାମ ୮୧୧ ମିଲିଗ୍ରାମ ରୁପା  ବିଭିନ୍ନ କାର୍ଯ୍ୟରେ ବ୍ୟବହାର ବା ଖର୍ଚ୍ଚ ହୋଇଛି ।