ପୁରୀ,୨୩/୦୮: ଶନିବାର ଶ୍ରୀମନ୍ଦିରରେ ଅନୁଷ୍ଠିତ  ହେବ ସପ୍ତପୁରୀ ଅମାବାସ୍ୟାର ସ୍ୱତନ୍ତ୍ର ନୀତି । ଏଣୁ  ଶୁକ୍ରବାର ଅପରାହ୍ନରେ ଆଲାମଚଣ୍ଡୀଙ୍କଠାରୁ ସପ୍ତପୁରୀ  ତାଡ଼ ଶ୍ରୀମନ୍ଦିରରେ ପହଞ୍ଚିଛି । ପାରମ୍ପରିକ ପଟୁଆରରେ ଆସିଥିଲା ତାଡ଼ । ରାତ୍ରରେ ମା’ଦକ୍ଷିଣୀକାଳୀଙ୍କ ମନ୍ଦିରକୁ ଆଜ୍ଞାମାଳ ବିଜେ ନୀତି ସମ୍ପନ୍ନ ହୋଇଛି । ଅମାବାସ୍ୟା ଦିନ ସକାଳଧୂପରେ ଠାକୁରଙ୍କୁ ସାତପୁରୀ ଭୋଗ ଅର୍ପଣ ହେବ । ଏଥିସହ ଅମାବାସ୍ୟାରେ  ଶ୍ରୀଜଗନ୍ନାଥଙ୍କ ବିଜେ ପ୍ରତିମା ଶ୍ରୀନାରାୟଣ ମହାପ୍ରଭୁ ସାଗର ବିଜେ କରିବେ । ସେଦିନ ବଡ଼ଦେଉଳରେ ଶ୍ରୀକୃଷ୍ଣ  ଲୀଳା ଅବସରରେ ବସ୍ତ୍ରହରଣ ବିଧି ସମ୍ପନ୍ନ ହେବ ।  

ଶୁକ୍ରବାର ଅପରାହ୍ନରେ ସପ୍ତପୁରୀ ତାଡ଼ ବିଜେ ହେଲେ ।  ଘଣ୍ଟ ଘଣ୍ଟା କାହାଳୀ ଏବଂ ଓହ୍ଲାରର ପଟୁଆରରେ ବଡ଼ଦାଣ୍ଡ  ହୋଇ ସାତପୁରୀ ତାଡ଼ ଶ୍ରୀମନ୍ଦିରରେ ପହଞ୍ଚିଥିଲା ।  ଆଗେ ବଡ଼ଦେଉଳକୁ ବେଢା କରିଥିଲା ପଟୁଆର । ପରେ ଅଚିନ୍ତା ପହଣ୍ଡ ରୋଷ ବେହେରଣରେ ରଖାଯାଇଥିଲା।  

ଆମାବସ୍ୟାରେ ଠାକୁରଙ୍କ ଅବକାଶ ନୀତି ଶେଷ  ପରେ ତିନି ବାଡ଼ରେ ବେଶ ଅନୁଷ୍ଠିତ ହେବ । ଗମ୍ଭୀରାରେ ପାଣି ପଡ଼ି ଟେରାବନ୍ଧା ଯିବାରେ ସକାଳ ଧୂପ ସହ ସାତପୁରୀ ଭୋଗ ଆସିବ । ଏହାପରେ  ଆଳତି ବଢ଼ି ପୂଜାପଣ୍ଡାସାଆନ୍ତେ, ପତିମହାପାତ୍ର,  ମୁଦିରସ୍ତ ସେବକ ତିନି ବାଡ଼ରେ ବନ୍ଦାପନା କରିବେ ।