ପୁରୀ,୦୭/୧୦: ଆଗକୁ ଦୁର୍ଗାପୂଜା ଓ  ସପ୍ତାହ ପରେ ପବିତ୍ର କାର୍ତ୍ତିକ ମାସ ଆରମ୍ଭ ।  ଶ୍ରୀମନ୍ଦିରରେ ଜଗା ଦର୍ଶନ ନିମନ୍ତେ ଦୁର୍ଗାପୂଜା ଛୁଟିରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢ଼ିବ । ଏହାପରେ  ରାଇଦାମୋଦର ବ୍ରତଧାରୀଙ୍କ ଭିଡ଼ ମାସ  ବ୍ୟାପୀ ରହିବ । ହେଲେ ଏପର୍ଯ୍ୟନ୍ତ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଜିପିଆର ସର୍ଭେ ଓ ଲେଜର ସ୍କାନିଂ  ରିପୋର୍ଟ ଆସିଲାନି । ନିଆଯାଇଥିବା ଫଟୋକୁ ଯାଞ୍ଚ  କରି ରିପୋର୍ଟ ଦେବାକୁ ୧୦ ଦିନ ଲାଗିବ ବୋଲି  କୁହାଯାଇଥିଲା । ହେଲେ ୧୫ ଦିନ ବିତିବାକୁ  ବସିଛି । ମାତ୍ର ରିପୋର୍ଟ ସାମ୍ନାକୁ ଆସିଲାନି ।  ଗତ ମାସ ୨୧ ଓ ୨୨ ତାରିଖ ଦୁଇ ଦିନ ଧରି  ରତ୍ନଭଣ୍ଡାରର ଲେଜର ସ୍କାନିଂ ଏବଂ ଜିପିଆର  ସର୍ଭେ ହୋଇଥିଲା । ଏହାକୁ ଦେଖିଲେ ୨ କିମ୍ବା ୩  ତାରିଖ ସୁଦ୍ଧା ରିପୋର୍ଟ ଆସିଯିବା କଥା । ହେଲେ  ଏପର୍ଯ୍ୟନ୍ତ ରିପୋର୍ଟରୁ କ’ଣ ଜଣାପଡ଼ିଲା ତାହା  ଶ୍ରୀମନ୍ଦିର ପ୍ରଶାସନ କିମ୍ବା ସରକାରଙ୍କ ପକ୍ଷରୁ ସ୍ପଷ୍ଟ  କରାଯାଇନାହିଁ । ସେପଟେ ରିପୋର୍ଟ ଆସିବା ପରେ  ପ୍ରଶାସନ କିମ୍ବା ସରକାରଙ୍କ ପକ୍ଷରୁ ଏବାବଦରେ  ସ୍ପଷ୍ଟ କରାଯିବ ବୋଲି ଏଏସ୍‌ଆଇ ସୁପରିଣ୍ଟେଣ୍ଡେଣ୍ଟ  କହିଛନ୍ତି । 

ଶ୍ରୀମନ୍ଦିରରେ ରତ୍ନଭଣ୍ଡାରରେ ଗୁପ୍ତ ଧନ ଓ  ଗୁପ୍ତ ସୁଡ଼ଙ୍ଗ ଖୋଜିବାକୁ ଏହି ସର୍ଭେ ହୋଇଥିଲା ।  ଏହାଛଡ଼ା ରତ୍ନଭଣ୍ଡାରରେ ବିପଦସଙ୍କୁଳ ଅବସ୍ଥାରେ  ରହିଥିବା ଅଭିଯୋଗ ସତ୍ୟାସତ୍ୟକୁ ଯାଞ୍ଚ କରି  ସ୍ଥାୟୀ ମରାମତି କରିବା ନିମନ୍ତେ ଅତ୍ୟାଧୁନିକ  ବୈଷୟିକଜ୍ଞାନ କୌଶଳ ବ୍ୟବହାର କରାଯାଇଥିଲା ।  ଏଏସ୍‌ଆଇର ବିଶେଷଜ୍ଞ, ଶ୍ରୀମନ୍ଦିର ପ୍ରଶାସନିକ  କୋର କମିଟି, ସରକାରଙ୍କ ଉଚ୍ଚ କ୍ଷମତା ସମ୍ପନ୍ନ  ଟିମ୍‌, ସିଏସ୍‌ଆଇଆର୍‌-ଏନ୍‌ଜିଆର୍‌ଆଇର ମୁଖ୍ୟ  ବୈଜ୍ଞାନିକ ଏହି ସର୍ଭେରେ ସାମିଲ ହୋଇଥିଲେ ।  ଏନ୍‌ଜିଆର୍‌ଆଇର ମୁଖ୍ୟ ବୈଜ୍ଞାନିକ ଡ. ଆନନ୍ଦ  କୁମାର ପାଣ୍ଡେ ୩ ପ୍ରକାର ମେସିନ୍‌ ପକାଇ ସର୍ଭେ  ହୋଇଥିବା କହିଥିଲେ । ଏହି ମେସିନ୍‌ ୧୦ ମିଟର  ମାଟି ତଳୁ ଯାଇ ଫଟୋ ଆଣିଛି । କାନ୍ଥ ଓ ଛାତକୁ  ଲାଗି ୧୦ ମିଟର ଭିତରେ କ’ଣ ରହିଛି ତାହାର  ମଧ୍ୟ ଫଟୋ ନେଇଛି । ନିଆ ଯାଇଥିବା ଫଟୋକୁ  ହାଇଦ୍ରାବାଦ୍‌ସ୍ଥିତ ସିଏସ୍‌ଆଇଆର୍‌-ଏନ୍‌ଜିଆରଆଇ  ଲ୍ୟାବ୍‌ରେ ତନ୍ନତନ୍ନ କରି ଦେଖିବା ପରେ ପ୍ରାୟ  ୧୦ ଦିନ ଭିତରେ ରିପୋର୍ଟ ପ୍ରସ୍ତୁତ କରି ଦିଆଯିବ  ବୋଲି ବୈଜ୍ଞାନିକ ଡ. ଆନନ୍ଦ କୁମାର ପାଣ୍ଡେ  କହିଥିଲେ । ରତ୍ନଭଣ୍ଡାରକୁ ନେଇ ରହସ୍ୟ ଲାଗି  ରହିଥିବା ବେଳେ ରିପୋର୍ଟରେ କ’ଣ ରହିଛି ତାହାକୁ  ଜାଣିବାକୁ ସାଧାରଣରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି ।  

ଏଥିସହ ରତ୍ନଭଣ୍ଡାର କେବେ ମରାମତି  ନିମନ୍ତେ ନକ୍ସା ପ୍ରସ୍ତୁତ ହେବ, କେବେ ମରାମତି  ଓ ସଂରକ୍ଷଣ କାମ ସରିବ ଓ ରତ୍ନଭଣ୍ଡାରରେ ମହଜୁଦ୍‌ ଥିବା ରତ୍ନଅଳଙ୍କାର ଗଣତିମଣତି  କରାଯାଇ ଚୋରି ହୋଇଯାଇଥିବା ସନ୍ଦେହରେ  ପୂର୍ଣ୍ଣଚ୍ଛେଦ ପଡ଼ିବ ତାହାକୁ ନେଇ ସମୟ ଗଡ଼ି ଚାଲିବା ଆଉ ଏକ ଉଦ୍‌ବେଗ କାରଣ ହୋଇଛି । ଯେହେତୁ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ନିର୍ମାଣ  ବେଳେ ମାଟି ତଳେ କୌଣସି ଐତିହ୍ୟ କୀର୍ତ୍ତିରାଜି  ଅଛି କି ନାହିଁ ଜାଣିବା ନିମନ୍ତେ ଜିପିଆର ସର୍ଭେ  ହୋଇଥିଲା ଓ ଏହାର ରିପୋର୍ଟ ସର୍ବସାଧାରଣ  କରାଯାଇନଥିଲା ତେଣୁ ରତ୍ନଭଣ୍ଡାର ଜିପିଆର  ସର୍ଭେ ରିପୋର୍ଟ ସର୍ବସାଧାରଣ ହେବ ନା ନାହିଁ  ଏହାକୁ ନେଇ ମଧ୍ୟ ଆଶଙ୍କା ସୃଷ୍ଟି ହୋଇଛି ।  ତେଣୁ ସରକାରଙ୍କ ପଦକ୍ଷେପ ଉପରେ ସମସ୍ତଙ୍କ  ଦୃଷ୍ଟି କେନ୍ଦ୍ରୀଭୂତ ହୋଇଛି ।