ପୁରୀ,୦୪/୦୯: ଗୁରୁବାର ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ତିଥିରେ ଶ୍ରୀମନ୍ଦିରରେ ବାମନ ଜନ୍ମୋତ୍ସବ ନୀତି ଅନୁଷ୍ଠିତ ହେବ । ମଧ୍ୟାହ୍ନ ଧୂପ ଛେକ ଆସିବା ଠାକୁରଙ୍କ ଜନ୍ମ ପ୍ରସ୍ତୁତିର ସ୍ୱତନ୍ତ୍ର ନୀତି ଆରମ୍ଭ ହେବ । ସେଥିପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଦର୍ଶନ କଟକଣା ରହିଛି । ଅପରାହ୍ଣ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଶ୍ରୀବିଗ୍ରହଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ବାମନ ଜନ୍ମନୀତି ଆରମ୍ଭରେ ଭିତର ଚନ୍ଦନ ଅର୍ଗଳି ଠାରେ ସୁଦୁସୁଆର ପାଣି ପକାଇ ପୋଛା ମାରିବେ । ପୂଜାପଣ୍ଡା ସାଆନ୍ତେ ପଞ୍ଚବର୍ଣ୍ଣ ମୁରୁଜରେ ମଣ୍ଡଳ ଲେଖିବେ । ତିନି ବାଡ଼ରେ ବନ୍ଦାପନା ବଢ଼ି କଳସ ବରୁଣ ପୂଜା ହେବ । ପରେ ଦକ୍ଷିଣ ଘର ଭୋଗ ସରି ମହାଜନମାନେ ଠାକୁରଙ୍କୁ ରତ୍ନସିଂହାସନକୁ ବିଜେ କରାଇବେ। ମୁଦିରସ୍ତ ଶ୍ରୀଅଙ୍ଗରେ ଧଣ୍ଡି ପ୍ରସାଦ ଲାଗି କରିବେ । ମହାଜନମାନେ ଠାକୁରଙ୍କୁ ଭଦ୍ର ମଣ୍ଡଳ ଉପରେ ବିଜେ କରାଇବେ । ଏଠାରେ ସୁବର୍ଣ୍ଣ ବାମନ ପ୍ରତିମାଙ୍କୁ ବିଜେ କରାଯିବ । ପଞ୍ଚାମୃତ ମହାସ୍ନାନ ପରେ ଶୀତଳ ଭୋଗ ଓ ପରେ ଗର୍ଭ ଉଦକ ନୀତି ବଢ଼ିବ। ଭଣ୍ଡାରରୁ ଶ୍ରୀଦୁର୍ଗାଦେବୀ ବିଜେ ହେବେ । ପଞ୍ଚୋପଚାରରେ ଭୋଗ ଓ ବନ୍ଦାପନା ହେବ । ପ୍ରସାଦ ଲାଗି ପରେ ବାମନ ଠାକୁର ଦକ୍ଷିଣି ଘରକୁ ଓ ମା' ଦୁର୍ଗା ଭଣ୍ଡାର ଘରକୁ ବିଜେ ହେବେ ।
ସୂଚନାଥାଉକି, ଆଷାଢ଼ ଶୁକ୍ଳ ପକ୍ଷ ଏକାଦଶୀରେ ନିଦ୍ରା ଯାଇଥିଲେ ଶ୍ରୀହରି । ଚଳିତ ବର୍ଷ ରଥ ଉପରେ ଓ ଶ୍ରୀମନ୍ଦିରରେ ହରିଶୟନ ନୀତି ହୋଇଥିଲା । ସେହିଠାରୁ ଆରମ୍ଭ ହେଲା ଚର୍ତୁମାସ୍ୟା । ପରମ୍ପରା ଅନୁସାରେ ଠାକୁରଙ୍କ ଶୟନ ସମୟରେ ମାଙ୍ଗଳିକ କାର୍ଯ୍ୟ ନିଷେଧ । ବୁଧବାର ଶ୍ରୀହରିଙ୍କ ପାର୍ଶ୍ବ ପରିବର୍ତ୍ତନ ବିଧି ସମ୍ପନ୍ନ ହୋଇଛି । କାର୍ତ୍ତିକ ବଡ଼ ଏକାଦଶୀରେ ଶୟନ ଠାକୁର ଉଠିବେ । ଠାକୁର ଉଠିଲେ ସମସ୍ତ ଶୁଭ କାର୍ଯ୍ୟ ହେବାର ବିଧି ରହିଛି । ଶ୍ରୀହରି ପାର୍ଶ୍ବ ପରିବର୍ତ୍ତନ ନୀତି ପରଦିନ ଗରୁଡ଼ଙ୍କ ନୀତି ହୋଇଥାଏ । ଏଣୁ ଗୁରୁବାର ଶ୍ରୀମନ୍ଦିରରେ ଗରୁଡ଼ ପାର୍ଶ୍ବ ପରିବର୍ତ୍ତନ ନୀତି ପାଳନ ହେବ । ଏଥିସହ ସୁନିଆଁ ଓ ଗୁରୁବାର ମାଜଣା ନୀତି ହେବ ।