କଟକ,୧୪/୧୧:ତଳ ପଡ଼ିଆରେ ଶ୍ରେୟା ଘୋଷାଲ୍ ଗୀତ ବୋଲୁଥିଲେ । ଭିଡ଼ ଜମିଥିଲା ତଳ ପଡ଼ିଆରୁ ଉପର ପଡ଼ିଆ ଯାଏ । ରିଂରୋଡ୍ର ଏମୁଣ୍ଡରୁ ସେମୁଣ୍ଡ ଖଚାଖଚ୍ ଭିଡ଼ ଥିଲା । ଯୋବ୍ରା ପଟରୁ ଡିସିପି ଅଫିସ୍ ଯାଏ, ଚହଟା ରୋଡ୍ ପଟରୁ କ୍ୟାଣ୍ଟନମେଣ୍ଟ ଥାନା ଯାଏ ଭର୍ତ୍ତି ହୋଇ ରହିଥିଲେ ଲୋକେ । ଶ୍ରେୟା ଦେଖାଯାଉନଥିଲେ, ଅଥଚ ତାଙ୍କ ଗୀତ କାନରେ ବାଜିବା ମାତ୍ରେ ଝୁମି ଉଠୁଥିଲେ ଦର୍ଶକ । ବାଲିଯାତ୍ରାର ଶେଷ ସନ୍ଧ୍ୟାରେ ଲୋକପ୍ରିୟ ବଲିଉଡ୍ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲ୍ ନାଇଟ୍ ପାଇଁ ଦର୍ଶକଙ୍କ ଭିତରେ ଏମିତି ଉତ୍ସାହ ଦେଖିବାକୁ ମିଳିଥିଲା । ଶ୍ରେୟା ବି ନିଜ ଅନ୍ଦାଜ୍ରେ ସୁପର୍ହିଟ୍ ଗୀତ ବୋଲି ଦର୍ଶକଙ୍କ ମନୋରଞ୍ଜନ କରିଥିଲେ । କିନ୍ତୁ ପ୍ରଶାସନର ବ୍ୟବସ୍ଥା ସାଧାରଣ ଲୋକଙ୍କ ପାଇଁ ଏମିତି ଥିଲା ଯେ, ସେମାନେ ଠିକ୍ ଭାବେ ଶ୍ରେୟାଙ୍କୁ ଶୁଣିପାରିଲେନି କି ଦେଖିପାରିଲେନି ।

ଗଣକବି ବୈଷ୍ଣବ ପାଣି ମଞ୍ଚ ସାମ୍ନାରେ ମାତ୍ର ୧୦ ହଜାର ଦର୍ଶକଙ୍କ ବସିବା ପାଇଁ ବ୍ୟବସ୍ଥା ଥିଲା । ତାହା ପୁଣି ବିଶିଷ୍ଟ ଅତିଥି, ତଥା ସ୍ୱତନ୍ତ୍ର ପାସ୍ଧାରୀମାନଙ୍କ ପାଇଁ । ମାତ୍ର ମଞ୍ଚ ଆଖପାଖରେ ଭିଡ଼ ଜମାଇଥିଲେ ପ୍ରାୟ ୫ ଲକ୍ଷରୁ ଅଧିକ ଦର୍ଶକ । ଅସମ୍ଭାଳ ଭିଡ଼ କାରଣରୁ ଠେଲାପେଲା, ଦଳଚକଟା ଭିତରେ ଲୋକେ ପ୍ରାୟ ୬ଘଣ୍ଟା କାଳ ଛିଡ଼ା ହୋଇରହିଲେ । ଛିଡ଼ା ହେବାକୁ ବି ଜାଗାର ଅଭାବ ରହିଥିଲା । ସ୍ଥିତି ଏମିତି ହେଲା ଯେ, ଭିଡ଼ ଭିତରେ ଠେଲାପେଲା ଯୋଗୁଁ ଅନେକ ଅଚେତ ହୋଇପଡ଼ିଲେ । ସେମାନଙ୍କୁ ତୁରନ୍ତ ମେଡିକାଲକୁ ନେବାକୁ ପଡିଲା । ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପୁଲିସ୍କୁ ମୃଦୁ ଲାଠି ଚାର୍ଜ ବି କରିବାକୁ ପଡ଼ିଲା । ଅନ୍ୟପକ୍ଷରେ ଆୟୋଜକ ଜିଲ୍ଲା ପ୍ରଶାସନ ଭିଆଇପିଙ୍କ ସେବାରେ ମାତିଥିଲା । ପ୍ରଶାସନର ବରିଷ୍ଠ ଅଧିକାରୀମାନେ ସପରିବାରେ ଆଗଧାଡ଼ିରେ ବସି କାର୍ଯ୍ୟକ୍ରମର ମଜା ନେଇଥିଲେ । ଅତିଥି, ଭିଆଇପି ଓ ଭିଭିଆଇପି ଭଳି ତିନିବର୍ଗରେ ୧୦ହଜାର ପାସ୍ ବାଣ୍ଟି ଦେଇ ସମସ୍ତଙ୍କୁ ସନ୍ତୁଷ୍ଟ କରିଦିଆଗଲା । ସାଧାରଣ ଲୋକଙ୍କ ମୁହଁକୁ ବି ଚାହିଲେ ନାହିଁ । ଅନେକ କ୍ଷେତ୍ରରେ ଭିଆଇପିଙ୍କ ପାସ୍ରେ ଜିଲ୍ଲା ପ୍ରଶାସନର କର୍ମଚାରୀମାନେ ନିଜ ନିଜ ପରିବାର ସହ ବସିଥିଲେ । ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ ନିଜ ହାତରେ ପାସ୍କୁ ସବୁଠି ମନଇଛା ବାଣ୍ଟି ଦେଇଥିଲେ । ଆଜି ବାଲିଯାତ୍ରାର ଶେଷ ସନ୍ଧ୍ୟାରେ ମୁଖ୍ୟ ଆକର୍ଷଣ ଥିଲେ ଶ୍ରେୟା ଘୋଷାଲ୍ । ମଞ୍ଚ ସାମ୍ନାରେ ଲକ୍ଷ ଲକ୍ଷ ଶ୍ରୋତା ଏକାଠି ହେବେ ବୋଲି ପ୍ରଶାସନ ପୂର୍ବରୁ ଆକଳନ କରିଥିଲା । ସେଥିପାଇଁ ବୃଦ୍ଧବୃଦ୍ଧା ଓ ଛୋଟ ପିଲାଙ୍କୁ କାର୍ଯ୍ୟକ୍ରମକୁ ନଆଣିବାକୁ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ ପୂର୍ବରୁ ନିବେଦନ କରିଥିଲେ । ଅନ୍ୟପକ୍ଷରେ ଗତକାଲି ତଳପଡ଼ିଆରେ ଅନେକ ପରିବର୍ତ୍ତନ କରାଯାଇଥିଲା । ଜାତୀୟ ପଲିଶ୍ରୀ ମେଳାର ମୁଖ୍ୟଦ୍ୱାରରୁ ବୈଷ୍ଣବ ପାଣି ମଞ୍ଚକୁ ସଂଯୋଗ କରୁଥିବା ରାସ୍ତାକୁ ବ୍ୟାରିକେଡ୍ ପକାଇ ସିଲ୍ କରିଦିଆଯାଇଥିଲା ।

ସେପଟେ ବୋଇତ ଗେଟ୍ରୁ ଗଡ଼ି ମଞ୍ଚ ଅଭିମୁଖେ ରାସ୍ତାର ୫୦ମିଟର ପରେ ସିଲ୍ କରାଯାଇଥିଲା । ଅର୍ଥାତ୍ ପାସ୍ ନଥିଲେ ମଞ୍ଚ ଅଭିମୁଖେ କେହି ଯାଇପାରିନଥିଲେ । ବୈଷ୍ଣବ ପାଣି ମଞ୍ଚ ସାମ୍ନାରେ ବୋଇତ ଗେଟ୍ ଆଡ଼କୁ ପଡ଼ିଥିବା ଚେୟାର୍ଗୁଡ଼ିକ କାଢ଼ି ଦିଆଯାଇଥିଲା । କେବଳ ପାସ୍ଧାରୀଙ୍କ ଲାଗି ପଡ଼ିଥିଲା ଚେୟାର । ସାଧାରଣ ଲୋକ ଛିଡ଼ା ହୋଇ ଦେଖିବାକୁ ସୁଯୋଗ ଦିଆଯାଇଥିଲା । ମଞ୍ଚ ପାଶ୍ୱର୍ରେ ରହିଥିବା ପୃଷ୍ଠପୋଷକଙ୍କ ଷ୍ଟଲ୍କୁ ବନ୍ଦ କରିଦିଆଯାଇଥିଲା । ସବୁ ପରେ ବି ସାଧାରଣ ଲୋକଙ୍କ ପାଇଁ ଜାଗାର ଅଭାବ ରହିଥିଲା । ମଞ୍ଚ ସାମ୍ନାରେ ଅଧା ଜାଗାରେ ଯେଉଁଠି ୧୦ହଜାର ଲୋକଙ୍କ ବସିବା ବ୍ୟବସ୍ଥା ହୋଇଥିଲା, ସେଠି ୫ଲକ୍ଷ ଲୋକ ଛିଡ଼ା ହୋଇ କେମିତି ଦେଖିବେ ତାକୁ ନେଇ ମନକୁ କେମିତି ଆଶଙ୍କା ଆସିଲା ନାହିଁ ବୋଲି ପ୍ରଶ୍ନ ଉଠୁଛି । ଫେରିବା ବେଳକୁ ସ୍ଥିତି ଆହୁରି ସାଂଘାତିକ ହୋଇଥିଲା । ଏକାସଙ୍ଗେ ଫେରିବା ବେଳକୁ ବାରବାଟୀ ଷ୍ଟାଡିୟମ୍ ସାମ୍ନାରେ ଅସମ୍ଭବ ଗହଳି ଲାଗିରହିଥିଲା । ଗାଡ଼ି ଷ୍ଟାଣ୍ଡ୍ ଯାଏ ପହଞ୍ଚିବାକୁ ୨ ଘଣ୍ଟା ଲାଗିଯାଇଥିଲା । ବିଳମ୍ବିତ ରାତି ଯାଏ ଗହଳି କମିନଥିଲା । ଏଭଳି ଅବ୍ୟବସ୍ଥାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।