ନୂଆଦିଲ୍ଲୀ: ମହାକାଶ ବିଜ୍ଞାନ ଅନୁସନ୍ଧାନ କ୍ଷେତ୍ରରେ ଇତିହାସ ରଚିଲା ଭାରତ । ଇଣ୍ଟର ନ୍ୟାସନାଲ ସ୍ପେଶ ଷ୍ଟେସନରେ ପହଞ୍ଚିଲା ସ୍ପେଶ୍ କ୍ରାଫ୍ଟ ଡ୍ରାଗନ । ନିର୍ଦ୍ଧାରିତ ସମୟ ୨୦ ମିନିଟ୍ ପୂର୍ବର ଡକିଂ ପ୍ରକ୍ରିୟା ଶେଷ ହୋଇଛି । ୧ରୁ ୨ ଘଣ୍ଟା ମଧ୍ୟରେ ଯାଞ୍ଚ ହେବ । ଏହି ଯାଞ୍ଚ୍ ପ୍ରକ୍ରିୟାରେ ସ୍ପେଶ ଷ୍ଟେସନର ଏୟାର ପ୍ରେସର ମପାଯିବ । ଏହାପରେ ଇଣ୍ଟର ନ୍ୟାସନାଲ ସ୍ପେଶ୍ ଷ୍ଟେସନରେ ପାଦ ଥାପିବେ ବାୟୁସେନାର ଗ୍ରୁପ କ୍ୟାପଟେନ ଶୁଭାଂଶୁ ଶୁକ୍ଳା । ୪୧ ବର୍ଷ ପରେ ସେ ଦ୍ବିତୀୟ ଭାରତୀୟ ହେବେ, ଯିଏ ଆଇଏସଏସ ଯାତ୍ରା କରିଛନ୍ତି । ଏହା ପୂର୍ବରୁ ସୋଭିଏତ୍ ମିଶନରେ ରାକେଶ ଶର୍ମା ମହାକାଶରୁ ଯାତ୍ରା କରଥିଲେ ।
୨୮ ଘଣ୍ଟାର ଉଡ଼ାଣ ପରେ ଇଣ୍ଟର ନ୍ୟାସନାଲ ସ୍ପେଶ୍ ଷ୍ଟେସନରେ ଡ୍ରାଗନ କ୍ୟାପସ୍ୟୁପଲ ପହଞ୍ଚିଛି । ଭାରତୀୟ ବାୟୁସେନା ଗ୍ରୁପ କ୍ୟାପଟେନ ଶୁଭାଂଶୁ ଶୁକ୍ଳା ଏବଂ ତାଙ୍କ ଟିମ୍ ସେଠାରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରାଯାଇଛି। ନାସା ଓ ଋଷରୁ ୩ଜଣ ଲେଖାଏଁ ଏବଂ ଜାପାନରୁ ଜଣେ ବୈଜ୍ଞାନିକ ତାଙ୍କୁ ଉତ୍ସାହର ସହିତ ସ୍ବାଗତ କରିଥିଲେ । ଆଇଏସଏସରେ ପହଞ୍ଚିବା ପୂର୍ବରୁ ଶୁଭାଂଶୁ ମହାକାଶରୁ ଏକ ମେସେଜ୍ ପଠାଇ ଥିଲେ। ସେ ମାଇକ୍ରୋଗ୍ରାଭିଟିରେ ନିଜକୁ ଖାପ ଖୁଆଇବା ପାଇଁ “ ଏକ ଶିଶୁ ପରି ପୁଣି ଥରେ ବଞ୍ଚିବା ଶିଖିବା” ଭଳି କହିଥିଲେ ଏବଂ ମହାକାଶରେ ପହଁରିବାର ଅନୁଭବ ଅଦ୍ଭୁତ ବୋଲି ବର୍ଣ୍ଣନା କରିଥିଲେ।
୬ଥର ଘୁଞ୍ଚିବା ପରେ ବୁଧବାର ଆକ୍ସିଅମ୍-୪ ମିଶନ ଲଞ୍ଚ୍ ହୋଇଥିଲା । ଦିନ ୧୨ଟା ୧ ମିନିଟରେ ଆମେରିକାର ଫ୍ଲୋରିଡା ସ୍ଥିତ ନାସାର କେନେଡି ସ୍ପେଶ ସେଣ୍ଟରରୁ ଫାଲକନ୍-୯ ରକେଟ୍ ଦ୍ବାରା ଡ୍ରାଗନ୍ ମହାକାଶ ଯାନକୁ ଉତକ୍ଷେପଣ କରାଯାଇଥିଲା । ଏହି ମିଶନରେ ଶୁଭାଂଶୁଙ୍କ ସହ ଆମେରିକୀୟ ମହାକାଶଚାରୀ ପେଗୀ ହ୍ବିଟସନ୍, ପୋଲାଣ୍ଡର ସ୍ଲାଓଜ୍ ଉଜନାଲସ୍କୀ ଏବଂ ହଙ୍ଗେରୀର ମେକାନିକାଲ ଇଞ୍ଜିନିୟର ଟିବୋର କାପୁ କ୍ରିଉ ସଦସ୍ୟ ରହିଛନ୍ତି । ୧୪ ଦିନିଆ ମିଶନ ସମୟରେ ମହାକାଶଚାରୀ ISSରେ ବିଶ୍ୱବ୍ୟାପୀ ଜନସମ୍ପର୍କ କାର୍ଯ୍ୟକ୍ରମ, ମାଇକ୍ରୋଗ୍ରାଭିଟି ଗବେଷଣା ଏବଂ ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶନ କରିବେ । ଆକ୍ସିଅମ୍ ସ୍ପେସ୍, ସ୍ପେସ୍ ଏକ୍ସ ଏବଂ ଇସ୍ରୋର ଏହା ମିଳିତ ଅଭିଯାନ । ଏଥିରେ ମୋଟ୍ ୬୦ଟି ପରୀକ୍ଷଣ ହେବ । ଏଥିମଧ୍ୟରୁ ୭ଟି ଭାରତ ଦ୍ବାରା ପ୍ରସ୍ତାବିତ ।