ପ୍ରମୂଖ ଖବର
  • ୫ ଦିନରେ ଓଡ଼ିଶାରେ ମୌସୁମୀ: ଏବେ ଝିପିଝିପି, ୨୭ରୁ ୩୦ ଯାଏଁ ଅଧିକ ବର୍ଷା ସମ୍ଭାବନା, ଜୁନ୍ ପୁଣି ଗରମ
  • ||

ଦାୟିତ୍ବ ବଢ଼ିଲା, ରୋଜଗାର ବି ବଢ଼ିବ: ଏଣିକି ଶୁଭମନ ଗିଲଙ୍କୁ ୭ କୋଟି ଟଙ୍କା ମିଳିବା ନିଶ୍ଚିତ !

Published By : Tapas Panda | May 24, 2025 4:45 PM

Image Courtesy: tv9hindi

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଜଗତର ଉଦୀୟମାନ ତାରକା ଶୁଭମନ ଗିଲଙ୍କୁ ଗୁରୁଦାୟିତ୍ବ ମିଳିଛି । ସେ ଟେଷ୍ଟ ଟିମ୍‌ର ଅଧିନାୟକ ହୋଇଛନ୍ତି । ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଭାରତୀୟ ଟିମ୍‌ର ନେତୃତ୍ବ ନେବେ ଶୁଭମନ ଗିଲ୍‌ । ନିକଟରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଭଳି ବରିଷ୍ଠ କ୍ରିକେଟର ଟେଷ୍ଟ କ୍ରିକେଟରୁ ଅବସର ନେଇଯିବା ପରେ ନେତୃତ୍ବକୁ ନେଇ ଆଶଙ୍କା ସୃଷ୍ଟି ହୋଇଥିଲା । ହେଲେ ଏବେ ଭାରତୀୟ ଟେଷ୍ଟ ଟିମ୍‌କୁ ଶୁଭମନ ଗିଲ୍‌ଙ୍କ ଭଳି ଜଣେ ପ୍ରତିଭାବାନ ଖେଳାଳିଙ୍କ ନେୃତୃତ୍ବ ମିଳିବାକୁ ଯାଉଛି । 

ଶୁଭମନଙ୍କୁ ବଡ଼ ଦାୟିତ୍ବ ମିଳିବା ପରେ ଏବେ ତାଙ୍କର ରୋଜଗାର ମଧ୍ୟ ବୃଦ୍ଧି ପାଇବ ବୋଲି ଚର୍ଚ୍ଚା ହେଉଛି । ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ତାଙ୍କୁ ଖାସ ପୁରସ୍କାର ଦେଇପାରେ ବୋଲି କୁହାଯାଉଛି । ଏବେ ଶୁଭମନ ଗିଲ୍‌ ବିସିସିଆଇର କେନ୍ଦ୍ରୀୟ ଚୁକ୍ତିର ବା ସେଣ୍ଟ୍ରାଲ କଣ୍ଟ୍ରାକ୍ଟର ଏ’ ଗ୍ରେଡ୍‌ ତାଲିକାରେ ସାମିଲ ଅଛନ୍ତି । କିନ୍ତୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସରିଜ୍‌ରେ କ୍ୟାପ୍ଟେନ୍‌ ଏବଂ ଲଗାତାର ଉତ୍ତମ ପ୍ରଦର୍ଶନ ଲାଗି ତାଙ୍କୁ ଏ+ ଗ୍ରେଡ୍‌ ତାଲିକାରେ ସାମିଲ କରିପାରେ ବିସିସିଆଇ । ଯଦି ଏଭଳି ହୁଏ, ତେବେ ଶୁଭମନ ଗିଲ୍‌ଙ୍କୁ ବାର୍ଷିକ ୭ କୋଟି ଟଙ୍କା ମିଳିବ । ଏବେ ସେ ଏ ଗ୍ରେଡ୍‌ ତାଲିକାରେ ଥିବା ବେଳେ ତାଙ୍କୁ ବାର୍ଷିକ ୫ କୋଟି ଟଙ୍କା ମିଳୁଛି । 

ଟେଷ୍ଟ ଟିମ୍‌ର ଅଧିନାୟକ ହେବା ପରେ ଦଳରେ ତାଙ୍କର ଗୁରୁତ୍ବ ଆହୁରି ବଢ଼ିଯାଇଛି । ତେବେ ଏ+ ଗ୍ରେଡ୍‌ରେ ସାମିଲ ଥିବା ଖେଳାଳିଙ୍କୁ ବାର୍ଷିକ ୭ କୋଟି ଟଙ୍କା ଦିଆଯାଏ । ଏହି ଗ୍ରେଡ୍‌ରେ ରହୁଥିବା ଖେଳାଳି ଦଳ ପାଇଁ ବେଶ୍‌ ଗୁରୁତ୍ବପୂର୍ଣ୍ଣ । ଏହି ଖେଳାଳି ଦଳ ପାଇଁ ସବୁ ଫର୍ମାଟରେ ଯୋଗ ଦିଅନ୍ତି ଏବଂ ଭଲ୍‌ ପ୍ରଦର୍ଶନ କରନ୍ତି । ଏବେ ଏହି ଗ୍ରେଡ୍‌ରେ ରୋହିତ ଶର୍ମା, ବିରାଟ କୋହଲି, ରବୀନ୍ଦ୍ର ଜାଡେଜା ଏବଂ ଜସପ୍ରୀତ ବୁମରା‌ ଅଛନ୍ତି । 

ସେପଟେ ରୋହିତ, ବିରାଟ ଏବଂ ଜାଡେଜା ୩ଟି ଫର୍ମାଟରେ ଖେଳୁନାହାନ୍ତି । ତେଣୁ ଆଗାମୀ କେନ୍ଦ୍ରୀୟ ଚୁକ୍ତି ସମୟରେ ଏହି ଖେଳାଳିଙ୍କ ଡିମୋସନ୍‌ ହୋଇପାରେ । ଆଉ ଏହାର ଫାଇଦା ଶୁଭମନ ଗିଲଙ୍କୁ ମିଳିପାରେ । ୨୦୨୦ରେ ଭାରତୀୟ ଟେଷ୍ଟ ଟିମ୍‌ରେ ଡେବ୍ୟୁ କରିଥିବା ଶୁଭମନ ଏବେ ସୁଦ୍ଧା ୩୨ଟି ମ୍ୟାଚ୍‌ ଖେଳିଛନ୍ତି । ଏହି ସମୟ ମଧ୍ୟରେ ୩୫.୦୫ ଆଭରେଜ୍‌ରେ ୧୮୯୩ ରନ୍‌ କହରିଛନ୍ତି ।  ଏଥିରେ ୭ଟି ଅର୍ଦ୍ଧଶତକ ଏବଂ ୫ ଶତକ ସାମିଲ । ୨୦୨୦-୨୧ରେ ଅଷ୍ଟେ୍ରଲିଆ ବିପକ୍ଷ ଗାବା ଟେଷ୍ଟରେ ନିଜର ଉତ୍ତମ ପ୍ରଦର୍ଶନ ପାଇଁ ଦୁନିଆର ଧ୍ୟାନ ଆକର୍ଷଣ କରିଥିଲେ ଗିଲ୍‌ । ଏହି ଟେଷ୍ଟରେ ୯୧ ରନ୍‌ର ଏକ ପାଳି ଖେଳିଥିଲେ । ଏହା ପରଠାରୁ ଟେଷ୍ଟରେ ଭାରତ ପାଇଁ ବହୁ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ ଖେଳିଛନ୍ତି ଟିମ୍‌ ଇଣ୍ଡିଆର ପ୍ରିନ୍ସ ଶୁଭମନ ଗିଲ୍‌ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.