ଜଗତସିଂହପୁର,୨୦/୦୮: ନାବାଳିକାଙ୍କୁ ବିବାହ କରି ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗରେ ପୁଲିସ ସବ୍‌ଇନ୍ସପେକ୍ଟର ଅମିତ ପାଢ଼ୀ ଗିରଫ ହୋଇଛନ୍ତି । ଜିଲ୍ଲା ପୁଲିସ ମୁଖ୍ୟାଳୟର ସ୍ପେସାଲ ସ୍କ୍ୱାଡ୍‌ ବିଶାଖାପାଟଣାରୁ ତାଙ୍କୁ କାବୁ କରିଥିବା ନିର୍ଭରଯୋଗ୍ୟ ସୂତ୍ରରୁ ପ୍ରକାଶ । ତାଙ୍କୁ ପୁରୀ ଏସପି ନିଲମ୍ବିତ କରିଛନ୍ତି । କୋର୍ଟଙ୍କ ପକ୍ଷରୁ ତାଙ୍କ ବିରୋଧରେ ଜାମିନ୍‌ ବିହୀନ ଗିରଫ ପରୱାନ୍‌ ଜାରି କରାଯାଇଥିଲା । ଅଭିଯୁକ୍ତ ଜଣେ ପୁଲିସ ଏସ୍‌ଆଇ ଥିବାରୁ ଜଗତସିଂହପୁର ପୁଲିସ ତାଙ୍କୁ ଘଣ୍ଟ ଘୋଡ଼ାଯାଉଥିବା ଅଭିଯୋଗ ଆଣିଥିଲେ ପୀଡ଼ିତାଙ୍କ ମା’ । ମାମଲାର ତଦନ୍ତକାରୀ ଅଫିସର ଜଗତସିଂହପୁର ଥାନାର ଅତିରିକ୍ତ ଥାନାଧିକାରୀ ଦିଲୀପ କୁମାର କାଣ୍ଡି ନିକଟରେ ବାଲେଶ୍ୱର ଯାଇ ଛାନ୍‌ଭିନ୍‌ କରିଥିଲେ । ଅଭିଯୁକ୍ତ ଏସ୍‌ଆଇ ଫେରାର ଥିବାରୁ ଗିରଫ ହୋଇପାରି ନଥିଲେ । ପୀଡ଼ିତା ନାବାଳିକାଙ୍କ ମା’ ତିନି ପୃଷ୍ଠାର ଏତଲାରେ କେବଳ ଅମିତ୍‌ ନୁହନ୍ତି ଅନେକଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ।  

ଜଗତସିଂହପୁର ଥାନା ଅଞ୍ଚଳର ଏହି ନାବାଳିକାଙ୍କ ବୟସ ମାତ୍ର ୧୫ ବର୍ଷ । ସେ ଦଶମ ଶ୍ରେଣୀରେ ପଢ଼ିବା ସମୟରେ ବାଲେଶ୍ୱର ଜିଲ୍ଲା ବାଲିଆପାଳ ରତେଇ ଗ୍ରାମର ଅମିତ୍‌ ପାଢୀଙ୍କ ସଂସ୍ପର୍ଶରେ ଆସିଥିଲେ । ୨୦୨୩ ମସିହା ଅଗଷ୍ଟ ୧୨ ତାରିଖରେ ନାବାଳିକା ଜଣଙ୍କ ଅମିତ୍‌ଙ୍କ କଥାରେ ପଡ଼ି ଜଗତସିଂହପୁରରୁ ମୟୂରଭଞ୍ଜକୁ ଚାଲି ଯାଇଥିଲେ । ୨୦୨୩ ଅଗଷ୍ଟ ୨୫ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଆଳ କରି ନାବାଳିକାଙ୍କୁ ସେଠାରେ ଅଟକାଇ ରଖି ଅମିତ୍‌ ବାରମ୍ବାର ଶାରୀରିକ ସଂପର୍କ ରଖି ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇଥିଲେ । ପରେ ମୟୂରଭଞ୍ଜରୁ ଭୁବନେଶ୍ୱର ଆଣି ମାଷ୍ଟରକ୍ୟାଣ୍ଟିନ୍‌ ପାଖରୁ ବସ୍‌ରେ ବସାଇ ନାବାଳିକାଙ୍କୁ ଜଗତସିଂହପୁରକୁ ପଠାଇ ଦେଇଥିଲେ ଅମିତ୍‌ । ପରବର୍ତ୍ତୀ ସମୟରେ ଅମିତ୍‌ଙ୍କ କଥାରେ ପଡ଼ି ପରିବାର ଲୋକଙ୍କୁ ନକହି ସାଙ୍ଗ ଘରକୁ ବାହାନା ଦେଖାଇ ଭୁବନେଶ୍ୱର ଆସିଥିଲେ । ମାର୍ଚ୍ଚ ମାସ ୧୮ରେ ନାବାଳିକାଙ୍କୁ ଭୁବନେଶ୍ୱରରୁ ରାୟଗଡ଼ା ନେଇଯାଇଥିଲେ ଅମିତ୍‌ । ରାୟଗଡ଼ାର ଏକ ମନ୍ଦିରରେ ଉଭୟ ବିବାହ କରିଥିଲେ । ସେ ସମୟରେ ଅମିତ୍‌ ରାୟଗଡ଼ାର ଗୁଣୁପୁର ଥାନାରେ କାର୍ଯ୍ୟରତ ଥିଲେ । ଗତବର୍ଷ ଜୁଲାଇରେ ଅମିତ୍‌ ନିଜ ଘର ବାଲେଶ୍ୱର ରତେଇକୁ ନାବାଳିକାଙ୍କୁ ଆଣିଥିଲେ । ପୁନର୍ବାର ଓଡ଼ିଆ ରୀତିନୀତିରେ ଏଠାରେ ଉଭୟଙ୍କ ବିବାହ ସଂପନ୍ନ ହୋଇଥିଲା । ପରେ କିନ୍ତୁ ନାବାଳିକାଙ୍କୁ ନିର୍ଯାତନା ଦେଇଥିଲେ  । ଏନେଇ ଜଗତସିଂହପୁର ଥାନାର ଦ୍ୱାରସ୍ଥ ହୋଇଥିଲେ ପୀଡ଼ିତାଙ୍କ ମା’ । ଏତଲା ଆଧାରରେ ପୁଲିସ ତାଙ୍କୁ ଗିରଫ କରିଛି  ।