ମୁମ୍ବାଇ,୩୦/୦୧: ଆଜିଠୁ ମୁମ୍ବାଇର ପ୍ରସିଦ୍ଧ ସିଦ୍ଧି ବିନାୟକ ମନ୍ଦିରର ପରିଚାଳନା କର୍ତ୍ତୃପକ୍ଷ ଭକ୍ତମାନଙ୍କ ଡ୍ରେସ୍‌ କୋଡ୍‌ ଲାଗୁ କରିଛି। ସେ ଅନୁସାରେ, ଚିରା-କଟା ଟ୍ରାଉଜର, ଛୋଟ  ସ୍କର୍ଟ କିମ୍ବା ଅଙ୍ଗ ପ୍ରଦର୍ଶନ ହେଉଥିବା ଭଳି ପୋଷାକ ପିନ୍ଧି ଆସୁଥିବା  ଶ୍ରଦ୍ଧାଳୁଙ୍କୁ ମନ୍ଦିରରେ ଏଣ୍ଟ୍ରି ମିଳିବ ନାହିଁ । 

ଏ ସଂପର୍କରେ ଶ୍ରୀ ସିଦ୍ଧିବିନାୟକ  ଗଣପତି ମନ୍ଦିର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ଯେ, ମନ୍ଦିରକୁ ଆସୁଥିବା  ଭକ୍ତଙ୍କୁ ସଭ୍ୟ ଓ ଶରୀରକୁ ଆବୃତ୍ତ କରୁଥିବା ଭଳି ପୋଷାକ  ପିନ୍ଧିବାକୁ ହେବ । ଯେଉଁମାନେ ଏହି ନିୟମ ମାନିବେ ନାହିଁ ସେମାନଙ୍କୁ ମନ୍ଦିରରେ ପ୍ରବେଶ ଲାଗି ଅନୁମତି ମିଳିବନି । ମନ୍ଦିରକୁ  ସାରା ଦେଶରୁ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ଆସିଥାନ୍ତି । ସେମାନଙ୍କ ମଧ୍ୟରୁ କିଛି ଲୋକ ଅନ୍ୟମାନଙ୍କର ପୋଷାକକୁ  ନେଇ ଅଭିଯୋଗ ଆଣିଛନ୍ତି । ପୂଜାସ୍ଥଳକୁ ଛୋଟ ପୋଷାକ  ପିନ୍ଧି ଆସିବା ଅପମାନଜନକ ବୋଲି ସେମାନେ ଦର୍ଶାଇଛନ୍ତି । ସେହି ଅଭିଯୋଗକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ।