ଭୁବନେଶ୍ବର,୬।୮ : ଓଡ଼ିଆରେ ଲେଖ ସାଇନ ବୋର୍ଡ । ଓଡ଼ିଆ ଭାଷାକୁ ସାଇନବୋର୍ଡରେ ବାଧ୍ୟତାମୂଳକ କରାଯାଇଛି। ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ବିଭିନ୍ନ ଆୟୁକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ, ମହାନଗର ନିଗମ, ପୌରପାଳିକା, ବିଜ୍ଞାପିତ ଅଞ୍ଚଳ ପରିଷଦକୁ ଏ ନେଇ ଚିଠି କରିଛନ୍ତି।
ଓଡ଼ିଶାର ମହାନଗର ନିଗମ, ପୌରପାଳିକା ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡିକ ଅଧୀନରେ ଥିବା ସମସ୍ତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନଗୁଡିକ ସାଇନ ବୋର୍ଡରେ ଓଡ଼ିଆ ଭାଷାକୁ ପ୍ରାଧାନ୍ୟ ଦେବାକୁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନମାନେ ସାଇନ ବୋର୍ଡର ମୋଟ କ୍ଷେତ୍ର ଫଳର ଅନୁନ୍ୟ ୬୦ପ୍ରତିଶତ ଭାଗରେ ଓଡ଼ିଆ ଭାଷା ଲିପିର ବ୍ୟବହାର କରିବେ । ନିର୍ଦେଶ ଅନୁପାଳନ କରୁଥିବା ଦୋକାନୀଙ୍କୁ ପ୍ରୋତ୍ସାହନ ମିଳିବ। ଏହି ନିର୍ଦ୍ଦେଶନାମା ପାଳନ କରୁଥିବା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନମାନଙ୍କୁ ଆଗାମୀ ଟ୍ରେଡ ଲାଇସେନ୍ସ ନବୀକରଣ ସମୟରେ ଦେୟର ୫% ରିହାତି ପ୍ରଦାନ କରାଯିବ। ଏହି ସୁବିଧା SUJOG ପୋର୍ଟାଲ/ Bhubaneswar.me ପୋର୍ଟାଲରେ ଉପଲବ୍ଧ ହେବ।
ମହାନଗର ନିଗମ, ପୌରପାଳିକା ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦମାନେ ଟ୍ରେଡ ଲାଇସେନ୍ସ ନବୀକରଣ ଓ ନିରୀକ୍ଷଣ ସମୟରେ ଅନୁପାଳନ ଯାଞ୍ଚ ୩୦ ସେପ୍ଟେମ୍ବର ୨୦୨୫ ସୁଦ୍ଧା ଶେଷ କରି ଉପରୋକ୍ତ ନିର୍ଦ୍ଦେଶର ପାଳନ କରିବେ । ଅନୁପାଳନ କରୁନଥିବା ପ୍ରତିଷ୍ଠାନମାନଙ୍କୁ ନୋଟିସ ଜାରି କରାଯିବ ଏବଂ ସେମାନଙ୍କୁ ସାଇନ ବୋର୍ଡ ସଂଶୋଧନ ପାଇଁ ୫୫ ଦିନର ସମୟ ଦିଆଯିବ । ଏହା ପାଳନ ନହେଲେ ସଂଶୋଧନ ହେବା ପର୍ଯ୍ୟନ୍ତ ପ୍ରତିଦିନ ୫୦୦ ଟଙ୍କା ଜୋରିମାନା ଲାଗୁ ହେବ। ମହାନଗର ନିଗମ, ପୌରପାଳିକା ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦମାନେ ଏହି ନିର୍ଦ୍ଦେଶ ସମ୍ପର୍କରେ ଦୋକାନୀ ଓ ବାଣିଜ୍ୟିକ ପ୍ରତିଷ୍ଠାନମାନଙ୍କୁ ଏହା କାର୍ଯ୍ୟକାରୀତା ପାଇଁ ସଚେତନତା ଅଭିଯାନ ପରିଚାଳନା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।