ବ୍ୟୁରୋ ୨୨/୦୭ : ପାହାଡ଼ ଭିତରେ ଲୁଚିଛି ‘ମୃତ୍ୟୁର ଗ୍ୟାସ୍ । ନା ରଙ୍ଗ ଅଛି ନା ଗନ୍ଧ ଅଛି କିନ୍ତୁ ମୁହୂର୍ତ୍ତରେ ନେଇପାରେ ଜୀବନ ! ଟନେଲ ଭିତରେ ନିରବ ବିପଦ ଭଳି ଚକା ମାଡ଼ି ବସିଛି ଏହି ଗ୍ୟାସ୍ । ସିକ୍କିମର ଟନେଲ ଦୁର୍ଘଟଣା ପରେ ଏବେ ମିଥେନ୍ ଗ୍ୟାସକୁ ନେଇ ଚର୍ଚ୍ଚା ବଢ଼ିଛି । ଟନେଲ, ଖଣି ଓ ଭୂଗର୍ଭ ନିର୍ମାଣ କାମ ସମୟରେ ଏହି ଗ୍ୟାସ୍ କିପରି ଜୀବନ ପାଇଁ ବିପଦ ସୃଷ୍ଟି କରେ, ତାହାକୁ ନେଇ ବିଶେଷଜ୍ଞମାନେ ସତର୍କ କରାଇଛନ୍ତି । ତେବେ ଆସନ୍ତୁ ଜାଣିବା ମିଥେନ୍ ଗ୍ୟାସ୍ କ’ଣ ଏବଂ ଏହା କିପରି ପାଲଟେ ମୃତ୍ୟୁର କାରଣ ?

ମିଥେନ୍ ହେଉଛି ଏକ ପ୍ରାକୃତିକ ଗ୍ୟାସ୍, ଯାହାର ରାସାୟନିକ ସୂତ୍ର CH। ଏହା ହାଇଡ୍ରୋକାର୍ବନ୍ ଶ୍ରେଣୀର ଏକ ଗ୍ୟାସ୍ ଏବଂ ଏହାକୁ ପୃଥିବୀର ଅନେକ ଭୂଗର୍ଭ ଅଞ୍ଚଳରେ ଦେଖିବାକୁ ମିଳେ । ସବୁଠାରୁ ବଡ଼ କଥା ହେଉଛି ମିଥେନ୍ ଗ୍ୟାସର ନିଜସ୍ୱ କୌଣସି ରଙ୍ଗ କିମ୍ବା ଗନ୍ଧ ନାହିଁ । ତେଣୁ ଏହା ଜମିଥିଲେ ମଧ୍ୟ ମଣିଷ ସହଜରେ ଜାଣିପାରେ ନାହିଁ।

ଆହୁରି ପଢନ୍ତୁ ; - Tahia Seva: ରଥଯାତ୍ରାରେ କେବେଠୁ ଆରମ୍ଭ ହେଲା ଟାହିଆ ସେବା ପରମ୍ପରା; ଦୁଇଟି କିମ୍ବଦନ୍ତୀକୁ ନେଇ ବେଶ୍ ଚର୍ଚ୍ଚା, ଜାଣନ୍ତୁ କ’ଣ ଏହା

ଲକ୍ଷ ଲକ୍ଷ ବର୍ଷ ଧରି ମାଟି ତଳେ ଚାପରେ ରହିଥିବା ଉଦ୍ଭିଦ ଓ ଜୀବଜନ୍ତୁଙ୍କ ଅବଶେଷରୁ ମିଥେନ୍ ଗଠନ ହୁଏ। ଜୈବ ପଦାର୍ଥର ବିଘଟନ ପ୍ରକ୍ରିୟାରେ ଏହି ଗ୍ୟାସ୍ ଉତ୍ପନ୍ନ ହୋଇ ଭୂଗର୍ଭରେ ଜମି ରହିଥାଏ। କୋଇଲା ଖଣି, ପ୍ରାକୃତିକ ଗ୍ୟାସ୍ ଭଣ୍ଡାର ଓ ପାହାଡ଼ ଅଞ୍ଚଳର ଚଟାଣ ଭିତରେ ମଧ୍ୟ ମିଥେନ୍ ଥାଇପାରେ।

ଟନେଲ ନିର୍ମାଣ ସମୟରେ ପାହାଡ଼ କିମ୍ବା ଭୂମି ଭିତରେ ଡ୍ରିଲିଂ ଓ ବ୍ଲାଷ୍ଟିଂ କରାଯାଏ। ଏହି ସମୟରେ ଚଟାଣ ଭିତରେ ଲୁଚିଥିବା ମିଥେନ୍ ଗ୍ୟାସ୍ ବାହାରି ଆସିପାରେ। ଖୋଲା ସ୍ଥାନରେ ଏହି ଗ୍ୟାସ୍ ବାୟୁ ସହ ମିଶିଯାଏ। କିନ୍ତୁ ଟନେଲ ଭଳି ସଂକୀର୍ଣ୍ଣ ଓ ବନ୍ଦ ସ୍ଥାନରେ ଏହା ଜମିଗଲେ ବିପଦ ବଢ଼ିଯାଏ।

ମିଥେନ୍ ଏକ ଅତ୍ୟନ୍ତ ଜ୍ୱଳନଶୀଳ ଗ୍ୟାସ୍। ବାୟୁରେ ଏହାର ପରିମାଣ ନିର୍ଦ୍ଦିଷ୍ଟ ସୀମାକୁ ପହଞ୍ଚିଲେ ଛୋଟ ଏକ ଚିଙ୍ଗାରି ମଧ୍ୟ ବଡ଼ ବିସ୍ଫୋରଣ ଘଟାଇପାରେ। ଏବଂ ଟନେଲ ଭିତରେ ଅଧିକ ପରିମାଣରେ ମିଥେନ୍ ଜମିଲେ ବାୟୁରେ ଅକ୍ସିଜେନ୍ କମିପାରେ, ଶ୍ରମିକଙ୍କୁ ଶ୍ୱାସ ନେବାରେ ସମସ୍ୟା ହୋଇପାରେ, ବିସ୍ଫୋରଣର ଆଶଙ୍କା ବଢ଼ିଯାଏ, ଉଦ୍ଧାର କାର୍ଯ୍ୟ ମଧ୍ୟ କଷ୍ଟକର ହୋଇପାରେ ।

ମିଥେନ୍ ଗ୍ୟାସ୍ ଏକପଟେ ମଣିଷ ପାଇଁ ଶକ୍ତିର ଏକ ମହତ୍ୱପୂର୍ଣ୍ଣ ଉତ୍ସ, ତ ଅନ୍ୟପଟେ ଅସାବଧାନତା ହେଲେ ଏହା ଭୟଙ୍କର ବିପଦର କାରଣ ହୋଇପାରେ। ସିକ୍କିମ ଟନେଲ ଘଟଣା ପୁଣି ଥରେ ମନେ ପକାଇ ଦେଇଛି ଯେ, ଭୂଗର୍ଭ ନିର୍ମାଣ କାମରେ ସୁରକ୍ଷାକୁ କୌଣସି ପରିସ୍ଥିତିରେ ଅଣଦେଖା କରାଯାଇପାରିବ ନାହିଁ । ପ୍ରଯୁକ୍ତିର ଉନ୍ନତି ସହ ମଣିଷ ଯେତେ ଗଭୀରକୁ ଯାଉଛି, ସେତେ ଅଧିକ ପ୍ରକୃତିର ଲୁଚିଥିବା ବିପଦ ସହ ସାମ୍ନା କରୁଛି । ତେଣୁ ମିଥେନ୍ ଭଳି ଅଦୃଶ୍ୟ ଗ୍ୟାସକୁ ଚିହ୍ନଟ କରିବା ସମୟରେ ସତର୍କ ହେବା ଏବଂ ଶ୍ରମିକଙ୍କ ସୁରକ୍ଷା ନିଶ୍ଚିତ କରିବା ହିଁ ଆଗାମୀ ଦିନର ସବୁଠାରୁ ବଡ଼ ଆବଶ୍ୟକତା।