ନୂଆଦିଲ୍ଲୀ ୩୦/୧୨: ଗତ କିଛି ସପ୍ତାହ ହେଲା ରୁପା ମୂଲ୍ୟ ଲଗାତାର ବଢ଼ିଚାଲିଛି, ଯାହା ଚିନ୍ତାର ବିଷୟ ହୋଇଛି । ତେବେ ଏହି ବୃଦ୍ଧି ଅନେକ କାରଣର ଫଳ, ତନ୍ମଧ୍ୟରେ ଜଳବାୟୁ ପରିବର୍ତ୍ତନର ମୁକାବିଲା ଲାଗି ବ୍ୟବହୃତ ଉପକରଣ ବି ସାମିଲ । ଜଳବାୟୁ ପରିବର୍ତ୍ତନ ସରକାର ଓ ଉଦ୍ୟୋଗମାନଙ୍କୁ ସ୍ୱଚ୍ଛ ଟେକ୍ନୋଲୋଜି ଆପଣେଇବାକୁ ବାଧ୍ୟ କରିଛି । ଏହି କ୍ରମରେ ବିଶ୍ୱ ଉର୍ଜ୍ଜା ପରିବର୍ତ୍ତନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି ରୁପା । ସେହି ଅନୁରୂପ ଏହାର ମୂଲ୍ୟ ବଢ଼ିବାରେ ଲାଗିଛି ।
ଦୀର୍ଘ ବର୍ଷ ଧରି ଭାରତରେ ରୁପା ଗହଣାର ଚାହିଦା ପର୍ବପର୍ବାଣିରେ କିଣାକିଣି ମଧ୍ୟରେ ସୀମିତ ରହିଆସିଛି । ସେହି ସମୀକରଣ ଏବେ ଦ୍ରୁତ ବଦଳୁଛି । ଗତ କିଛି ମାସ ହେଲା ଭାରତୀୟ ବଜାରରେ ରୁପାର ମୂଲ୍ୟ ରେକର୍ଡ ସ୍ତର ଛୁଇଁଛି, ଯାହା ଗହଣା ଦୋକାନୀଙ୍କୁ ରଣନୀତିର ପୁନଃବିଚାର ଓ ନିବେଶକଙ୍କୁ ଏହାର ଦୀର୍ଘକାଳୀନ ପ୍ରଭାବଶାଳୀତା ବିଷୟରେ ପୁନଃ ଆକଳନ କରିବାକୁ ବାଧ୍ୟ କରୁଛି ।
ରୁପାର ସବୁଠୁ ବଡ଼ ସୁଫଳ ଏହାର ଅତୁଳନୀୟ ବୈଦ୍ୟୁତିକ ପରିଚାଳନା । ଏହି ବୈଶିଷ୍ଟ୍ୟ ରୁପାକୁ ବୈଦ୍ୟୁତିକ ଯାନ, ସୋଲାର ପ୍ୟାନେଲ ଓ ବ୍ୟାଟେରି ପ୍ରଣାଳୀ ନିମନ୍ତେ ଅତି ଆବଶ୍ୟକ ପଦାର୍ଥ କରିଛି । ପାରମ୍ପରିକ ପେଟ୍ରୋଲ ଓ ଡିଜେଲ କାର୍ ତୁଳନାରେ ପ୍ରତ୍ୟେକ ବୈଦ୍ୟୁତିକ ଯାନରେ ଖୁବ୍ ଅଧିକ ରୁପା ଉପଯୋଗ ହୁଏ । ମୁଖ୍ୟତଃ ପାୱାର ଇଲେକ୍ଟ୍ରୋନିକ୍ସ, ୱେୟାରିଂ ଓ ବ୍ୟାଟେରି ପ୍ରବନ୍ଧନ ପ୍ରଣାଳୀରେ ରୁପା ବ୍ୟାପକ ବ୍ୟବହୃତ ହୁଏ ।
ପ୍ରଦୂଷଣ ଚିନ୍ତା ଓ ଜଳବାୟୁ ମୁକାବିଲା ପ୍ରତିଶ୍ରୁତି ଯୋଗୁ ଭାରତରେ ବ୍ୟାପକ ସଂଖ୍ୟକ ବୈଦ୍ୟୁତିକ ଯାନ ପ୍ରସ୍ତୁତ ହେଉଛି । ଏଥିଲାଗି ଆବଶ୍ୟକ ଖଣିଜଗୁଡ଼ିକର ଚାହିଦା ମଧ୍ୟ ବୃଦ୍ଧି ପାଉଛି । ବିଶ୍ୱରେ ବୈଦ୍ୟୁତିକ ଯାନର ବ୍ୟବହାର ଦ୍ରୁତ ବଢୁଥିବା ବେଳେ ଭାରତରେ ବି ବଢୁଛି । ସେହି ଅନୁରୂପ ରୁପା ମୂଲ୍ୟ ବୃଦ୍ଧି ପାଉଛି, ଯାହା ପୂର୍ବରୁ ସଙ୍କୁଚିତ ଯୋଗାଣ ବଜାର ଉପରେ ଚାପ ପକାଉଛି ।
ଫଟୋଭୋଲ୍ଟାଇକ୍ ସେଲ୍ରେ ରୁପା ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ, ଯାହା ସୂର୍ଯ୍ୟାଲୋକ ଦ୍ୱାରା ଉତ୍ପନ୍ନ ବିଦ୍ୟୁତ୍ ପରିଚାଳନାରେ ବ୍ୟବହୃତ ହୁଏ । ନିର୍ମାତାମାନେ ପ୍ରତି ପ୍ୟାନେଲରେ ରୁପାର ମାତ୍ରା କମାଇବାକୁ ଚେଷ୍ଟା କରୁଥିଲେ ହେଁ, ବ୍ୟାପକ ସ୍ତରରେ ନୂଆ ସୌର ପ୍ୟାନେଲ୍ ସ୍ଥାପନା ଏହି ଦକ୍ଷତା ଉପରେ ଭାରୀ ପଡୁଛି । ବିଶ୍ୱରେ ବର୍ତ୍ତମାନ ବାର୍ଷିକ ବ୍ୟାପକ ରୁପା ବ୍ୟବହାର ଲାଗି ସୌର ଶକ୍ତି ଦାୟୀ । ଦେଶ ଶୂନ୍ୟ-ଅଙ୍ଗାରକାମ୍ଳ ଲକ୍ଷ୍ୟ ହାସଲ ଦୌଡ଼ରେ ଥିବାବେଳେ ଏହି ଟ୍ରେଣ୍ଡ୍ ଆହୁରି ମଜଭୁତ ହେବ ବୋଲି ବିଶ୍ଳେଷକଙ୍କ ବିଶ୍ୱାସ ।
ସୁନାଠୁ ଭିନ୍ନ, ରୁପା ଉତ୍ପାଦନ ସହଜରେ ବଢ଼ାଯାଇ ପାରିବ ନାହିଁ । ଅଧିକାଂଶ ରୁପାକୁ ଜିଙ୍କ୍, ତମ୍ବା କିମ୍ବା ସୀସାର ଉପ- ଉତ୍ପାଦ ଭାବେ ଖନନ କରାଯାଏ, ଯାହା ଦ୍ୱାରା ବର୍ଦ୍ଧିତ ଚାହିଦା ହିସାବରେ ଯୋଗାଣର ଗତି ଧିମା ହୋଇଯାଏ । ଏଥିସହିତ ବୈଶ୍ୱିକ ଖନନ ଓ ପରିଷ୍କାରରେ ବ୍ୟାଘାତ ରୁପା ବଜାରକୁ ସଙ୍କୁଚିତ କରିଛି । ବିଶ୍ୱ ଯୋଗାଣ ପ୍ରଭାବିତ ହେବା ଯୋଗୁ ରୁପା ମୂଲ୍ୟରେ ଗୁରୁତ୍ୱପୂର୍ଣ୍ଣ ବୃଦ୍ଧି ହେଉଛି ।
ଜଳବାୟୁ ଜନିତ ଆବଶ୍ୟକତା ଓ ସୀମିତ ଯୋଗାଣ ମଧ୍ୟରେ ଏହି ଅସନ୍ତୁଳନ ବର୍ତ୍ତମାନର ରୁପା ସମସ୍ୟାକୁ ଗମ୍ଭୀର କରିଛି । ରୁପା ସର୍ବଦା ଭାରତର ସାଂସ୍କୃତିକ ଐତିହ୍ୟର ଏକ ଅଭିନ୍ନ ଅଙ୍ଗ ହୋଇ ରହିଛି । ଅନେକ ପର୍ବପର୍ବାଣିରେ କୋଟି କୋଟି ଭାରତୀୟ ରୁପା କିଣନ୍ତି । କିନ୍ତୁ ଜଳବାୟୁ ପରିବର୍ତ୍ତନ ଉର୍ଜ୍ଜା ପ୍ରଣାଳୀରେ ପରିବର୍ତ୍ତନ କରିଛି । ରୁପାର ମୂଲ୍ୟ ବୃଦ୍ଧିକୁ ପର୍ବପର୍ବାଣି ଓ ପାରମ୍ପରିକ ଗୁରୁତ୍ୱ ସହ କମ୍ ଯୋଡ଼ାଯାଉଛି । ଅନ୍ୟପକ୍ଷେ, କାରଖାନା, ବ୍ୟାଟେରି ଓ ସୌର ଉତ୍ପାଦକ ସହ ଅଧିକ ଯୋଡ଼ାଯାଉଛି ।