ମୁମ୍ବାଇ ୨୧/୧୨: ବହୁ ଚର୍ଚ୍ଚିତ ଫିଲ୍ମ ‘ଇକ୍କିସ୍’ ଜରିଆରେ ବଲିଉଡ୍ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ଅକ୍ଷୟ କୁମାରଙ୍କ ଭାଣିଜୀ ସିମର୍ ଭାଟିଆ । ଫିଲ୍ମର ଶେଷ ଟ୍ରେଲର୍ ଗତ ୧୯ରେ ମୁକ୍ତିଲାଭ କରିଛି । ଫିଲ୍ମ ନିର୍ମାତା କରନ ଜୋହରଙ୍କୁ ଟ୍ରେଲର୍ ଏତେ ପସନ୍ଦ ଆସିଲା ଯେ ସେ ଏହାକୁ ସୋସିଆଲ ମିଡିଆରେ ଶେୟାର କଲେ ଏବଂ ମୁଖ୍ୟ କଳାକାର ଅଗସ୍ତ୍ୟ ନନ୍ଦା ଓ ସିମର୍ଙ୍କୁ ଖୁବ୍ ପ୍ରଶଂସା କଲେ । କିନ୍ତୁ ତାଙ୍କ ପ୍ରଶଂସାର ଜବାବ ସିମର୍ ଯେଉଁ ଅନ୍ଦାଜ୍ରେ ଦେଲେ, ତାକୁ ନେଇ ଇଣ୍ଡଷ୍ଟ୍ରିରେ ଏବେ ଚର୍ଚ୍ଚା ।
ଫିଲ୍ମର ଟ୍ରେଲର୍ ଶେୟାର କରି କରନ ସିମର୍ଙ୍କୁ ବଲିଉଡ୍କୁ ସ୍ୱାଗତ କରିଥିଲେ ଏବଂ ତାଙ୍କୁ ଖୁବ୍ ସୁନ୍ଦର ବୋଲି କହିଥିଲେ । ଏହାର ପ୍ରତିକ୍ରିୟାରେ ସିମର୍ ପ୍ରଥମେ କରନଙ୍କୁ ଧନ୍ୟବାଦ ଜଣାଇଲେ । ତା’ପରେ ମଜାରେ ଲେଖିଲେ ‘ସାର୍, ତା’ହେଲେ ମୋତେ ଧର୍ମା ପ୍ରଡକ୍ସନ୍ରେ ଫିଲ୍ମ କାହିଁକି ଦେଲେ ନାହିଁ?’ କରନ ତୁରନ୍ତ ତାଙ୍କ ଷ୍ଟୋରୀକୁ ରିପୋଷ୍ଟ୍ କରି ଜବାବ ଦେଲେ ‘ହା.. ହା! ଏହା ତୁମ ପାଇଁ ସର୍ବଶ୍ରେଷ୍ଠ ଡେବ୍ୟୁ ଡାର୍ଲିଙ୍ଗ୍ । ଏହା ଖୁବ୍ ଭଲ । ଫିଲ୍ମ ଦେଖିବା ପାଇଁ ଏବଂ ନିଶ୍ଚିତ ରୂପେ ତୁମର ପ୍ରଥମ ପ୍ରଦର୍ଶନ ଦେଖିବା ପାଇଁ ମୁଁ ଖୁବ୍ ଉତ୍ସାହିତ ।’
ସିମର୍ ପୁଣି ଥରେ ଇନ୍ଷ୍ଟାଷ୍ଟୋଷ୍ଟୋରୀରେ ପ୍ରତିକ୍ରିୟା ଦେଲେ ‘ଏ ସବୁ କେବଳ ହସ-ମଜା ପାଇଁ ଥିଲା ସାର୍, ଆପଣଙ୍କ ପୋଷ୍ଟ୍ ପାଇଁ ବହୁତ ବହୁତ ଧନ୍ୟବାଦ ।’ ସିମର୍ଙ୍କ ଏହି ପୋଷ୍ଟ୍ ଏବେ ଖବରର ଶିରୋନାମା ହୋଇଛି । ଡେବ୍ୟୁ ପୂର୍ବରୁ ସେ ବଡ଼ ହଲ୍ଚଲ୍ ସୃଷ୍ଟି କରିଛନ୍ତି । ଶ୍ରୀରାମ ରାଘବନଙ୍କ ନିର୍ଦ୍ଦେଶିତ ‘ଇକ୍କିସ୍’ ଆସନ୍ତା ୨୫ରେ ମୁକ୍ତିଲାଭ କରିଥାନ୍ତା । କିନ୍ତୁ ଆସନ୍ତା ଜାନୁଆରୀ ୧ରେ ଏହା ଥିଏଟରକୁ ଆସିବ ।