ବାରିପଦା, ୦୭/୧୧: ଖୁବ୍‌ ଶୀଘ୍ର ମହାରାଷ୍ଟ୍ରର ତାଡୋବା ଅନ୍ଧାରୀ ବ୍ୟାଘ୍ର ପ୍ରକଳ୍ପରୁ ଶିମିଳିପାଳକୁ ଆସିବ ଦ୍ୱିତୀୟ ବାଘୁଣୀ । ବାଘ ବଂଶ ବୃଦ୍ଧିପାଇଁ ବନ  ବିଭାଗ ପକ୍ଷରୁ କରାଯାଇଥିବା ଯୋଜନା ମୁତାବକ ମହାରାଷ୍ଟ୍ରରୁ ବାଘୁଣୀକୁ ଆଣିବା ପାଇଁ ଶିମିଳିପାଳ  ବ୍ୟାଘ୍ର ପ୍ରକଳ୍ପର ଏକ ସ୍ୱତନ୍ତ୍ର ଟିମ୍‌ ମହାରାଷ୍ଟ୍ର  ଅଭିମୁଖେ ଗସ୍ତ କରଥିବା ନେଇ ସୂଚନା ମିଳିଛି ।  ଏସିଏଫ୍‌ ପ୍ରଦୀପ ଦେଙ୍କ ନେତୃତ୍ୱରେ ଏହି ଟିମ୍‌ରେ  ପ୍ରାଣୀ ଚିକିତ୍ସକ ଡା ଅଭିଳାଷ ଆଚାର୍ଯ୍ୟ, ଡେପୁଟୀ  ରେଞ୍ଜର ଡିପ୍ତିମାନ ପଣ୍ଡାଙ୍କ ସମେତ ସ୍ୱତନ୍ତ୍ର ରେସକ୍ୟୁ  ସ୍କ୍ୱାର୍ଡ ଓ ଡ୍ରାଇଭର ମିଶି ୧୦ଜଣ ଅଛନ୍ତି। ସେମାନେ ୫ତାରିଖରେ ମୟୂରଭଂଜରୁ ମହାରାଷ୍ଟ୍ରର ତଡବା ସ୍ଥିତ  ଅନ୍ଧାରୀ ବ୍ୟାଘ୍ର ପ୍ରକଳ୍ପ ଅଭିମୁଖେ ଗସ୍ତ କରିଛନ୍ତି । 

ଏଠାରେ ସୂଚନା ଯୋଗ୍ୟ ଯେ, ଗତ ଅକ୍ଟୋବର ୨୭ତାରିଖରେ ଅନ୍ଧାରୀ ବ୍ୟାଘ୍ର ପ୍ରକଳ୍ପରୁ ପ୍ରଥମ ଥର  ଲାଗି ଗୋଟିଏ ଅଢେଇ ବର୍ଷର ବାଘୁଣୀକୁ ନେଇ  ଶିମିଳିପାଳରେ ଉଦ୍ଧାରକାରୀ ଟିମ୍‌ ପହଞ୍ଚିବା ପରେ  ୨୮ତାରିଖ ସକାଳ ୯ଟା ୨୫ମିନିଟ ସମୟରେ  ଶିମିଳିପାଳର କବାଟ ଘାଇ ସେକ୍ସନ ଅନ୍ତର୍ଗତ  ଯମୁନାଗଡ ନିକଟସ୍ଥ କୋର ଏରିଆରେ ଏକ ସଫ୍ଟ  ଏନକ୍ଲୋଜର ମଧ୍ୟରେ ସେହି ବାଘୁଣୀକୁ ଛଡାଯାଇଛି । ଯମୁନାଗଡ ଅନୁଯାୟୀ ଶିମିଳିପାଳର ଏହି ନୂଆ  ଅତିଥିର ନାମ ‘ଯମୁନା’ ଦିଆ ଯାଇଛି । ପାଖାପାଖି  ଗୋଟିଏ ହେକ୍ଟର ପରିମିତ ଜଙ୍ଗଲ ପରିବେଶରେ  ବାଘୁଣୀ ଯମୁନାକୁ ଛଡା ଯାଇ ତାର ଗତିବିଧି ଉପରେ  ଜଙ୍ଗଲ ବିଭାଗ ନଜର ରଖିଛି  । ନିୟମିତ ଭାବେ ତା’ର ସ୍ୱାସ୍ଥ୍ୟ ଯାଞ୍ଚ ସହିତ ଏନ୍‌କ୍ଲୋଜର ଭିତରକୁ  ତାର ଖାଦ୍ୟ ପାଇଁ ଜୀବନ୍ତ ଜନ୍ତୁ ଛଡାଯାଉଛି ।

ଗତ  ୩୦ତାରିଖରେ ଯମୁନା ପ୍ରଥମେ ଏକ ବାରାହା ଶିକାର  କରି ଖାଇବା ପରେ ଏସଟିଆର ର କର୍ତ୍ତୃପକ୍ଷ ବେଶ  ଖୁସି ହୋଇଥିଲେ  । ଧିରେ ଧିରେ ଯମୁନା ଶିମିଳିପାଳର  କୋର ଏରିଆର ପରିବେଶ ସହିତ ଖାପଖୁଆଇ  ଆସୁଥିବା ନେଇ ଦେଖିବା ପରେ ଶିମିଳିପାଳ ବ୍ୟାଘ୍ର  ପ୍ରକଳ୍ପ କର୍ତ୍ତୃପକ୍ଷ ଶିମିଳିପାଳରେ ବାଘ ବଂଶ ବୃଦ୍ଧି  ଯୋଜନାରେ ଆଗକୁ ସଫଳ ହେବେ ବୋଲି ବେଶ  ଆଶାବାଦୀ  । ଶିମିଳିପାଳ ମହାବଳ ବାଘଙ୍କ ପାଇଁ  ଉତ୍କୃଷ୍ଟ ସ୍ଥାନ ହୋଇଥିବା ନେଇ ଏନଟିସିଏ ପକ୍ଷରୁ  ସବୁଜ ସଂକେତ ପରେ ଏଠାରେ ବାଘ ବଂଶ ବୃଦ୍ଧି  ପାଇଁ ରାଜ୍ୟ ସରକାରଙ୍କ ବନ ବିଭାଗ ପକ୍ଷରୁ ଯେଉଁ  ସ୍ୱତନ୍ତ୍ର ଯୋଜନା ଆରମ୍ଭ ହୋଇଛି । ସେଥିରେ  ସଫଳତା ହାର ଶତପ୍ରତିଶତ ବୋଲି  ଏକ ପ୍ରକାର ସ୍ଥିର ହେବା ପରେ  ଦ୍ୱିତୀୟ ବାଘୁଣୀକୁ ଆଣିବାକୁ  ମହାରାଷ୍ଟ୍ର ଅଭିମୁଖେ ପୁଣି ଏକ ଟିମ୍‌ ଯାଇଥିବା ବେଳେ  ଦୁଇ ତିନିଦିନ ଭିତରେ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ନିର୍ଦ୍ଦେଶକ  ତଥା ଆଞ୍ଚଳିକ ବନ୍ୟପ୍ରଣୀ ସଂରକ୍ଷକ  ଡଃ ପ୍ରକାଶ ଚନ୍ଦ୍ର ଗୋଗୀନେନୀ ମହାରାଷ୍ଟ୍ର ଯିବେ  ବୋଲି କହିଛନ୍ତି । ତେବେ ପ୍ରଥମେ ଗତ ଅକ୍ଟୋବର  ମାସ ୨୦ତାରିଖରେ ମହାରାଷ୍ଟ୍ରରୁ ବାଘ ଆଣିବା ପାଇଁ  ଶିମିଳିପାଳକୁ ଟିମ୍‌ ଯାଇ ଗୋଟିଏ ବାଘୁଣୀକୁ ଧରି ଗତ ୨୭ ତାରିଖ ସଂଧ୍ୟାରେ ପହଞ୍ଚିଥିଲା । ଦ୍ୱିତୀୟ ଥର  ପାଇଁ ମହାରାଷ୍ଟ୍ର ଯାଇଥିବା ଟିମ୍‌ ସେଠାରେ ବାଘୁଣୀକୁ ଧରିବା ପରେ ନିୟମ ମୁତାବକ ତାର ସମସ୍ତ ପ୍ରକାର  ଯାଞ୍ଚ ଓ କାଗଜପତ୍ର ପତ୍ର ପରେ ଶିମିଳିପାଳକୁ  ଅଣାଯିବ । ତେବେ ସେଠାରେ ବାଘ ଧରିବାରେ  କେତେଦିନ ସମୟ ଲାଗିବ  ସେ ନେଇ ସ୍ପଷ୍ଟ ଭାବେ  କହିହେବନାହିଁ ବୋଲି  ଡଃ ଗୋଗୀନେନୀ  କହିଛନ୍ତି  ।  

ବାଘମାନଙ୍କ  ବଂଶ ବୃଦ୍ଧି ପାଇଁ ଶିମିଳିପାଳ ପ୍ରକୃଷ୍ଠ ସ୍ଥାନ  ବୋଲି ଏନଟିସିଏ  ପକ୍ଷରୁ ସ୍ପଷ୍ଟ ହେବା  ପରେ ଶିମିଳିପାଳରେ ବାଘ  ବଂଶ ବୃଦ୍ଧି ନିମନ୍ତେ ସ୍ୱତନ୍ତ୍ର ଯୋଜନା  ଆରମ୍ଭ ହୋଇଛି । ଶିମିଳିପାଳରେ ସମାନ ଜିନ୍‌ ଯୋଗୁଁ  କଳାବାଘ ସଂଖ୍ୟା ବୃଦ୍ଧି ପାଉଥିବାରୁ ସେଥିରେ ପରିବର୍ତ୍ତନ ଆଣିବାକୁ ଏହି ଯୋଜନା କରାଯାଇଛି ।  ଶିମିଳିପାଳରେ କଳାବାଘ ସଂଖ୍ୟା ବୃଦ୍ଧିର କାରଣ  ପଛରେ କ୍ରସ ବ୍ରିଡିଂ ବୋଲି ତଥ୍ୟ ସାମନାକୁ ଆସିବା  ପରେ ମହାରାଷ୍ଟ୍ରରୁ ୨ଟି ବାଘୁଣୀକୁ ଆଣି ଏଠାରେ  ଛାଡି ଏହାକୁ ବ୍ରେକ କରି ମହାବଳ ବାଘ ସଂଖ୍ୟା ବୃଦ୍ଧି  କରିବାକୁ ରାଜ୍ୟ ସରକାରଙ୍କ ବନ ବିଭାଗ ପକ୍ଷରୁ  ଏକ ସ୍ୱତନ୍ତ୍ର ଯୋଜନା କରାଯାଇଥିଲା  ।  

ଏଠାରେ ସୂଚନା ଯୋଗ୍ୟ ଯେ,ଅଲ ଓଡ଼ିଶା  ଟାଇଗର ଏଷ୍ଟିମେସନ ରିପୋର୍ଟ ଅନୁଯାୟୀ ବର୍ତ୍ତମାନ  ଓଡ଼ିଶାରେ ୩୦ଟି ମହାବଳ ବାଘ ଥିବା ବେଳେ  କେବଳ ଶିମିଳିପାଳରେ ମହାବଳ ବାଘ ସଂଖ୍ୟା  ୨୭ ରହିଛି । ସେଥି ମଧ୍ୟରୁ ୧୪ଟି ମାଇ ଏବଂ  ୧୩ଟି ଅଣ୍ଡିରା ବାଘ ବୋଲି ଜଣା ପଡିଛି  । ତେବେ  ଶିମିଳିପାଳରେ ଥିବା ୨୭ଟି ମହାବଳ ବାଘ ମଧ୍ୟରୁ  ୬୦ ପ୍ରତିଶତ ବାଘ ଅର୍ଥାତ ୧୬ଟି ବାଘ କଳାବାଘ  ବା ମିଲେନଷ୍ଟିକ ଟାଇଗର ଥିବାରୁ ଏହା ବିଭାଗ  ପାଇଁ ଯେତିକି ଖୁସି ସେତିକି ଚିନ୍ତାର କାରଣ  ପାଲଟିଛି  । ତେଣୁ ଜିନ୍‌ ପରିବର୍ତ୍ତନ କରି ବାଘ  ବଂଶ ବୃଦ୍ଧି କରିବାକୁ ଏହିଯୋଜନା ବନ ବିଭାଗ  ପକ୍ଷରୁ ଆରମ୍ଭ ହୋଇଛି । ଏନଟିସିଏ ପକ୍ଷରୁ ସମସ୍ତ  ଗାଇଡଲାଇନ୍‌ ତଥା ଆଇନ୍‌ ପ୍ରକ୍ରିୟା ଅନୁଯାୟୀ  ମହାରାଷ୍ଟ୍ରରୁ ଦ୍ୱିତୀୟ ମାଇ ମହାବଳ ବାଘକୁ  ସୁରକ୍ଷିତ ଭାବେ ଅଣାଯିବା ପରେ ଶିମିଳିପାଳର  ଦକ୍ଷିଣ ଡିଭିଜନରେ ଛଡାଯିବ ବୋଲି ସୂଚନା ମିଳିଛି  ।