ସିମୁଳିଆ, ୨୭/୫(ଆପ୍ର): ୧୬ ନଂ ଜାତୀୟ ରାଜପଥରୁ ଚୋରି ହୋଇଥିବା ଲୁହା ସାମଗ୍ରୀ ଏବଂ ଗୋଟିଏ ପିକଅପ୍ ଗାଡିକୁ ସିମୁଳିଆ ପୁଲିସ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଛି । ବାଲେଶ୍ୱର ଜିଲ୍ଲା ୧୬ ନଂ ଜାତୀୟ ରାଜପଥରେ ରାସ୍ତା କାମ ଚାଲୁରହିଥିବା ବେଳେ ଏଥିରେ ବ୍ୟବହୃତ ହେବାକୁ ଥିବା ବିଭିନ୍ନ ପ୍ରକାର ଲୁହା ସାମଗ୍ରୀ ଏବଂ ଲୁହା ଛଡ଼ ଚୋରି ହୋଇଥିଲା। ଏହି ଚୋରି ସାମଗ୍ରୀ ସ୍ଥାନୀୟ ଥାନା ଅନ୍ତର୍ଗତ କୁପୁରା ଗ୍ରାମର ଜଣଙ୍କ ଘରେ ଥିବା ନେଇ ସିମୁଳିଆ ଆଇଆଇସି ଶ୍ରବଣ କୁମାର ମହାରଣା ବିଶେଷ ସୂତ୍ରରୁ ଖବର ପାଇ ଗତକାଲି ଭୋର ସମୟରେ ଟିମ୍ ସହିତ ଚଢ଼ାଉ କରିଥିଲେ।
ଚଢ଼ାଉ ବେଳେ ଉକ୍ତ ବ୍ୟକ୍ତିଙ୍କ ଘରୁ ଲକ୍ଷାଧିକ ଟଙ୍କାର ଚୋରି ହୋଇଥିବା ଲୁହା ସାମଗ୍ରୀ ସହ ଚୋରି କାର୍ଯ୍ୟରେ ବ୍ୟବହୃତ ହୋଇଥିବା ଗୋଟିଏ ପିକଅପ୍ ଗାଡିକୁ ଜବତ କରିଥିଲା ପୁଲିସ। ଏହାସହ ଏହି ଚୋରି ମାମଲାରେ ସାମିଲ ଥିବା ନେଇ କୁପୁରା ଗ୍ରାମର ୨ଜଣଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ତେବେ ଚୋରି ଘଟଣାର ସମ୍ପୃକ୍ତ ଥିବାର ପ୍ରମାଣ ମିଳିବା ପରେ ସେମାନଙ୍କ ନାଁରେ ମାମଲା ରୁଜୁ କରି ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଥିଲା। ଏନେଇ ଆଜି ସିମୁଳିଆ ଥାନା ପରିସରରେ ସଦର ଏସଡିପିଓ ଶୁଭ୍ରାଂଶୁ ନାୟକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଗିରଫ ହୋଇଥିବା ଦୁଇଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି। ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଏବଂ ଆଇଆଇସିଙ୍କ ସମେତ ନୂତନ ଭାବେ କାର୍ଯ୍ୟଭାର ସମ୍ଭାଳିଥିବା ସବ ଇନ୍ସପେକ୍ଟର କ୍ଷୀରୋଦ କୁମାର ସାହୁ ମଧ୍ୟ ଯୋଗଦେଇଥିଲେ।