ନୂଆଦିଲ୍ଲୀ,୧୩/୦୧: ଭାରତ-ସିଙ୍ଗାପୁର ଦ୍ୱିପାକ୍ଷିକ ସମ୍ପର୍କ ୬୦ ବର୍ଷ ପୂରଣ କରିଛି । ଏହି ଉପଲକ୍ଷେ ସିଙ୍ଗାପୁର ରାଷ୍ଟ୍ରପତି ଥର୍ମାନ ସାନମୁଗରତ୍ନମ ୧୫ରୁ ୧୮ ଯାଏ ଭାରତ ଗସ୍ତ କରିବାର  କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତ ସମୟରେ ଓଡ଼ିଶା  ଉପରେ ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଫୋକସ ରହିବ ।  ୧୭ ଏବଂ ୧୮ରେ ସାନମୁଗରତ୍ନମ ଓଡ଼ିଶା ଗସ୍ତରେ  ଆସିବେ । ଶ୍ରୀ ସାନମୁଗରତ୍ନମଙ୍କ ଗସ୍ତ ଓଡ଼ିଶା ଲାଗି ନିବେଶର ସୁଯୋଗ ଆଣିବ ବୋଲି ଆଶା କରାଯାଉଛି । 

ଶ୍ରୀ ସାନମୁଗରତ୍ନମଙ୍କ ସହ ସରକାରୀ ପ୍ରତିନିଧି  ଏବଂ ବାଣିଜ୍ୟିକ ପ୍ରତିନିଧି ଦଳ ଆସିବାର କାର୍ଯ୍ୟକ୍ରମ  ରହିଛି । ଓଡ଼ିଶାରେ ପ୍ରକଳ୍ପ ସ୍ଥାପନା ଏବଂ ସହଭାଗିତା  ଉପରେ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯିବ ସୂଚନା  ମିଳିଛି । ଏବେ ସିଙ୍ଗାପୁର ଓଡ଼ିଶା ସହ ସ୍କିଲିଂ ସହ  ଅନ୍ୟ କିଛି କ୍ଷେତ୍ରରେ ମିଳିତ ହୋଇ କାମ କରୁଛି । ରାଜ୍ୟରେ ରହଣି ସମୟରେ ସେ ଭାରତ  ବାୟୋଟେକ ଟିକା ଉତ୍ପାଦନ କେନ୍ଦ୍ର ଗସ୍ତ କରିବେ । 

ସେହିଭଳି ସିଙ୍ଗାପୁରର ମିଳିତ ସହଭାଗିତାରେ  ଭୁବନେଶ୍ୱରରେ ସ୍ଥାପିତ ଇନଷ୍ଟିଚ୍ୟୁଟ ଅଫ୍‌ ଟେକ୍ନିକାଲ  ଏଜୁକେସନ ଆଣ୍ଡ ସର୍ଭିସେସ(ଆଇଟିଇଇଏସ୍‌)  ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ସିଙ୍ଗାପୁର ଗୁଜରାଟ, ତାମିଲନାଡୁ, ମହାରାଷ୍ଟ୍ର  ଏବଂ କର୍ଣ୍ଣାଟକ ଭଳି ରାଜ୍ୟ ଗୁଡିକ ସହ ବିଶେଷ  କରି ବିଭିନ୍ନ କ୍ଷେତ୍ରରେ କାମ କରୁଛି । ଏବେ ସିଙ୍ଗାପୁର  ଓଡିଶା ଓ ଆସାମ ଉପରେ ଫୋକସ କରୁଛି ବୋଲି ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ କହିଛନ୍ତି ।  ଓଡ଼ିଶା ଗସ୍ତ ସମୟରେ ୨ଟି ଏମ୍‌ଓୟୁ ହେବାର  ବିଶେଷ ସମ୍ଭାବନା ରହିଛି । 

ସିଙ୍ଗାପୁର ଭାରତର  ଏକ ପ୍ରମୁଖ ବାଣିଜ୍ୟିକ ସହଯୋଗୀ ହୋଇଥିବା  ବେଳେ ଏହି ଧାରାକୁ ତ୍ୱରାନ୍ୱିତ କରିବା ଲାଗି ଏବେ  କାର୍ଯ୍ୟପନ୍ଥା ଜାରି ରଖିଛି । ସେମିକଣ୍ଡକ୍ଟର ଡିଭାଇସ ଏବଂ ଇଣ୍ଟିଗ୍ରେଟେଡ  ସର୍କିଟ, ଇଣ୍ଡଷ୍ଟ୍ରିଆଲ ଅଟୋମେଶନ, ସେମିକଣ୍ଡକ୍ଟର  ପ୍ରୋସେସ, ଡିଜାଇନ, ଇଞ୍ଜିନିୟରିଂ ଭଳି ଅନ୍ୟ କିଛି  କ୍ଷେତ୍ର ଉପରେ ଏବେ ଫୋକସ କରିଛି ସିଙ୍ଗାପୁର ।  ଏହା ସହ ବିମାନ ଚଳାଚଳକୁ ଆହୁରି ଦୃଢ଼ କରିବା  ଉପରେ ମଧ୍ୟ ଆଲୋଚନା ହେବ ।  

ସେମିକଣ୍ଡକ୍ଟର ଲାଗି ଏକ ତାଲିମ କେନ୍ଦ୍ର  ସ୍ଥାପନା ଲାଗି ସିଙ୍ଗାପୁର ଏବେ ଅଗ୍ରସର ହେଉଛି ।  ସେହିଭଳି ଲିଥିୟମ ଆୟନ ବ୍ୟାଟେରୀ ଭଳି କ୍ରିଟିକାଲ  ଟେକ୍ନୋଲୋଜି ଏବଂ କ୍ରିଟିକାଲ ମିନେରାଲ କ୍ଷେତ୍ରରେ  ମଧ୍ୟ ମିଳିତ ହୋଇ ଘରୋଇ ବଜାର ସହ କାମ ହେବ  ବୋଲି କହିଛନ୍ତି ଅଧିକାରୀ ।  

୧୫ ଏବଂ ୧୬ରେ ଦିଲ୍ଲୀରେ ରହଣି ସମୟରେ  ସାନମୁଗରତ୍ନମଙ୍କୁ ସମ୍ମାନଜନକ ତରୁଣ ଦାସ  ସିଟିଜେନ ଆୱାର୍ଡ ପ୍ରଦାନ କରାଯିବ । ସିଆଇଆଇର  ପୂର୍ବତନ ମହାନିର୍ଦ୍ଦେଶକ ଶ୍ରୀ ଦାସଙ୍କ ନାମରେ ଏହି  ଆୱାର୍ଡ ପ୍ରଦାନ କରାଯାଉଛି । ଭାରତ ସିଙ୍ଗାପୁର  ଦ୍ୱିପାକ୍ଷୀକ ସମ୍ପର୍କ ଦୃଢ଼ୀକରଣ କ୍ଷେତ୍ରରେ ଶ୍ରୀ  ସାନମୁଗରତ୍ନମଙ୍କ ଉଲ୍ଲେଖନୀୟ ଯୋଗଦାନ ଲାଗି  ଏଭଳି ପୁରସ୍କାର ପ୍ରଦାନ କରାଯାଉଛି ।  

ସେହିଭଳି ସେ ଭାରତରେ ବସବାସ କରୁଥିବା  ସିଙ୍ଗାପୁର ପ୍ରବାସୀଙ୍କୁ ସାକ୍ଷାତ କରିବେ । ରାଷ୍ଟ୍ରପତି  ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସଡକ  ପରିବହନ ମନ୍ତ୍ରୀ ନୀତିନ ଗଡକରି, ବାଣିଜ୍ୟମନ୍ତ୍ରୀ  ପୀୟୂଷ ଗୋୟଲ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ  ସହ ବୈଠକ କରିବେ । 

ରାଷ୍ଟ୍ରପତି ଭବନରେ ଏକ ରାତ୍ରଭୋଜନ  କାର୍ଯ୍ୟକ୍ରମ ରଖାଯାଇଛି । ଏହା ସହ ରାଷ୍ଟ୍ରପତି ଦ୍ରୌପଦୀ  ମୁର୍ମୁ ମଧ୍ୟ ଚଳିତ ବର୍ଷ ସିଙ୍ଗାପୁର ଗସ୍ତ କରିବାର  କାର୍ଯ୍ୟକ୍ରମ ରହିଛି । ଏବେ ମ୍ୟାଁମାରରେ ସଙ୍କଟ ଜାରି  ରହିଛି । ଗତବର୍ଷ ସିଙ୍ଗାପୁର ଏହି ଦେଶକୁ ଅସ୍ତ୍ରଶସ୍ତ୍ର  ବିକ୍ରି ବନ୍ଦ କରି ଦେଇଛି । ଭାରତ ଆସିଆନ ସମ୍ପର୍କ  କ୍ଷେତ୍ରରେ ସିଙ୍ଗାପୁର ଏକ ପ୍ରମୁଖ ସ୍ଥାନରେ ରହିଛି ।

ରାଜ୍ୟରେ ନିର୍ମାଣ ହେବ କୋଷ୍ଟାଲ୍‌ ହାଇୱେ,୧୬୩ କିଲୋମିଟର ପାଇଁ ୭୦୪୦ କୋଟି ଆକଳନ, ଟେଣ୍ଡର ଆହ୍ୱାନ କଲା NHAI