ପୁରୀ, ୧୭/୦୧ : ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ଶନ୍ମୁଗରତ୍ନମ୍‌। ୧୮ ତାରିଖରେ ସେ ପୁରୀ ଜିଲ୍ଲାର ଐତିହ୍ୟ ଗାଁ ରଘୁରାଜପୁର ଯିବେ। ରଘୁରାଜପୁରରେ ପଟ୍ଟଚିତ୍ର ଶିଳ୍ପୀଙ୍କ ସହିତ ଆଲୋଚନା କରିବେ। ଏହାପରେ ସେ ଆଇଓସିଏଲ୍‌ ବ୍ୟାଖ୍ୟାନ କେନ୍ଦ୍ର ଓ କୋଣାର୍କ ବୁଲି ଦେଖିବେ। ସେହିଦିନ ଅପରାହ୍ଣରେ ଭୁବନେଶ୍ୱର ଉପକଣ୍ଠ ଅନ୍ଧାରୁଆ ସ୍ଥିତ ଭାରତ ବାୟୋଟେକ ଟୀକା ପ୍ରସ୍ତୁତ କେନ୍ଦ୍ର ପରିଦର୍ଶନ କରିବେ। ଏନେଇ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ସୂଚନା ଦେଇଛନ୍ତି।   

ଏହି ଖବରଟିକୁ ପଢନ୍ତୁ-ଓଡ଼ିଶା ଗସ୍ତରରେ ଆସୁଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି: ଓଡ଼ିଶା, ସିଙ୍ଗାପୁର ମଧ୍ୟରେ ସ୍ୱାକ୍ଷର ହେବ ୮ ଚୁକ୍ତି

ରାଷ୍ଟ୍ରପତିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ମଧ୍ୟ ସମସ୍ତ ପ୍ରସ୍ତୁତି କରାଯାଇଛି। ସୁରକ୍ଷା ଦାୟିତ୍ଵରେ ୨୧ ପ୍ଲାଟୁନ ପୋଲିସ ଫୋର୍ସ ସହିତ ଜଣେ ଏସପି ରାଙ୍କ ଅଧିକାରୀ, ୪ ଅତିରିକ୍ତ ଏସପି, ୮ ଡିଏସପି ଓ ୧୫ ଇନ୍ସପେକ୍ଟର ମୁତୟନ ହେବେ। ରାଷ୍ଟ୍ରପତିଙ୍କ ଗସ୍ତବେଳେ ଆତିଥ୍ୟତା ସହିତ ଅନ୍ୟାନ୍ୟ ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ଵ ଦିଆଯାଇଛି। 

ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ଶନ୍ମୁଗରତ୍ନମ୍‌ ଓଡ଼ିଶା ଆସିବା ପରେ ରାଜ୍ୟରେ ନିବେଶ ବଢ଼ିବା ଆଶା ଉଜ୍ଜଳ ହୋଇଛି । ରାଷ୍ଟ୍ରପତିଙ୍କ ଏହି ଗସ୍ତ ସମୟରେ ରାଜ୍ୟରେ ସେମିକଣ୍ଡକ୍ଟର, କ୍ରିଟିକାଲ ମିନେରାଲ କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାରଙ୍କ ସହ ୮ଟି  ଏମଓୟୁ ସ୍ୱାକ୍ଷର ହେବ। ସେଥିମଧ୍ୟରେ ସେମିକଣ୍ଡକ୍ଟର ଓ ଦକ୍ଷତା ପାଇଁ ଦକ୍ଷତା ବିକାଶ ଓ ବୈଷୟିକ ଜ୍ଞାନକୌଶଳ ଶିକ୍ଷା ବିଭାଗ ଓ ସିଙ୍ଗାପୁରର ଆଇଟିଇଇଏସ ମଧ୍ୟରେ ଏକ ଚୁକ୍ତି  ହେବ। ସେହିପରି ଇଣ୍ଡଷ୍ଟ୍ରିଆଲ ପାର୍କ ପାଇଁ ଇଡକୋ ଓ ସେମ୍ବକର୍ପ, ଗ୍ରୀନ୍‌ ହାଇଡ୍ରୋଜେନ୍‌ କରିଡର ପାଇଁ ଶିଳ୍ପ ବିଭାଗ ଓ ସେମ୍ବକର୍ପ ଏବଂ ସୁରବନ୍‌ ଜୁରୋଙ୍ଗ, ନୂଆ ସହର ଯୋଜନା ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ଏବଂ ସୁରବନ୍‌ ଜୁରୋଙ୍ଗ ମଧ୍ୟରେ ଚୁକ୍ତି ସ୍ୱାକ୍ଷର ହେବ।  

ସେହିପରି ପେଟ୍ରୋକେମିକାଲ୍ସ, ପେଟ୍ରୋକେମିକାଲ୍ସ  ଇନଭେଷ୍ଟମେଣ୍ଟ ରିଜନ୍‌ (ପିସିଆଇପିଆର) ପାଇଁ ଶିଳ୍ପ  ବିଭାଗ ଓ ସୁରବନ୍‌ ଜୁରୋଙ୍ଗ, ନୂଆ ବିଦ୍ୟୁତ ଶକ୍ତି ପ୍ରକଳ୍ପ  ପାଇଁ ଶକ୍ତି ବିଭାଗ ଓ ନନ୍‌ୟାଙ୍ଗ ଟେକ୍ନୋଲୋଜିକାଲ ବିଶ୍ୱବିଦ୍ୟାଳୟ ଏବଂ ଶେଷରେ ଫିନଟେକ୍‌ ପାଇଁ ଇଲ୍‌କ୍ଟ୍ରୋନିକ୍ସ ଆଣ୍ଡ ଇନଫରମେସନ୍‌ ଟେକ୍ନୋଲୋଜି ବିଭାଗ ସହ ନନ୍‌ୟାଙ୍ଗ ଟେକ୍ନୋଲୋଜିକାଲ ବିଶ୍ୱବିଦ୍ୟାଳୟ ମଧ୍ୟରେ ଚୁକ୍ତି ସ୍ୱାକ୍ଷର ହେବ।