ନୂଆଦିଲ୍ଲୀ ୧୧/୦୯: କାନପୁରରେ ଏକ ହୃଦୟ ବିଦାରକ ଘଟଣା ଲୋକଙ୍କୁ ଚକିତ କରିଛି । ଏ କାହାଣୀ କୌଣସି ଫିଲ୍ମର କାହାଣୀଠୁ କମ୍ ନୁହେଁ । କିନ୍ତୁ ଏହା ବାସ୍ତବ । ରକ୍ଷାବନ୍ଧନ ଅବସରରେ ଭଉଣୀ ଦେଖିଥିବା ସ୍ୱପ୍ନ ଭାଇ ହତ୍ୟାର ରହସ୍ୟ ଫିଟାଇବାର ସୂତ୍ର ହେଲା । ୩୧୧ ଦିନ ପରେ ମାମଲା ସାମ୍ନାକୁ ଆସିବା ପରେ ପୂରା ଗାଁରେ ଚାଞ୍ଚଲ୍ୟ ଖେଳିଯାଇଛି ।
ଶିବବୀର ସିଂହଙ୍କ ଭଉଣୀ ପୂଜା କହିଛନ୍ତି, ରକ୍ଷାବନ୍ଧନ ରାତିରେ ଭାଇ ତାଙ୍କ ସ୍ୱପ୍ନରେ ଆସି କହିଲେ, ମୋତେ ନିର୍ମମ ଭାବେ ହତ୍ୟା କରାଯାଇଛି । ଏହି ସ୍ୱପ୍ନ ପୂଜାଙ୍କୁ ବିଚଳିତ କରିଦେଲା । ସକାଳେ ସେ ମା’ ସାବିତ୍ରୀ ଦେବୀଙ୍କୁ ଏ କଥା କହିଲେ ଝିଅ । ପ୍ରଥମେ କଥାଟା ସମସ୍ତଙ୍କୁ ଅଜବ ଲାଗିଲା । ପୂର୍ବରୁ ବୋହୂ ମାଳତୀଙ୍କ ଉପରେ ସାବିତ୍ରୀଙ୍କର ସନ୍ଦେହ ଥିଲା । ପୁଅ ସହ ମାସ ମାସ ଧରି ଯୋଗାଯୋଗ ହୋଇନପାରିବା, ମାଳତୀ ବାରମ୍ବାର କଥାକୁ ବୁଲେଇବା ଏବଂ ପୁଅର ଫୋନ୍ ଆଦୌ ନ ଲଗିବା... ଏ ସବୁ ପରିବାରର ସନ୍ଦେହ ବଢ଼ାଇଲା ।
ସାବିତ୍ରୀ ଦେବୀ ଅନେକ ମାସ ହେଲା ଥାନାକୁ ଆସି ପୁଅ ବିଷୟରେ କହୁଥିଲେ । ତାଙ୍କୁ ବାରମ୍ବାର କୁହାଯାଉଥିଲା ଯେ ପୁଅ ଚାକିରି କରିବାକୁ ଗୁଜରାଟ ଯାଇଛି । ସେଥିପାଇଁ ତା’ସହ ଯୋଗାଯୋଗ ହୋଇପାରୁନି । କିନ୍ତୁ ଝିଅଠୁ ସ୍ୱପ୍ନ ବିଷୟରେ ଶୁଣିବା ପରେ ସେ ଆଉ ଧୈର୍ଯ୍ୟ ଧରିପାରିଲେ ନାହିଁ । କାନ୍ଦି କାନ୍ଦି କାନପୁର ପୁଲିସ କମିଶନରଙ୍କ ଅଫିସ୍ରେ ପହଞ୍ଚିଲେ । ଡିସିପି ଦିନେଶ ତ୍ରିପାଠୀଙ୍କୁ ସେ ପୁଅର ହତ୍ୟା ଆଶଙ୍କା ବିଷୟରେ ଜଣାଇଲେ । ଡିସିପି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆଦେଶ ଦେଲେ । ସଚେଣ୍ଡୀ ଥାନା ପ୍ରଭାରୀ ଅଜୟ ସିଂହ ବିଷ୍ଟଙ୍କୁ ମାମଲା ହସ୍ତାନ୍ତର କରାଗଲା । ପୁଲିସ ମାଳତୀଙ୍କ ମୋବାଇଲ ଫୋନ୍ ଯାଞ୍ଚ୍ କରିବା ପରେ ସତ ସାମ୍ନାକୁ ଆସିଲା । ମାଳତୀଙ୍କ ନମ୍ବରରୁ ତାଙ୍କ ସ୍ୱାମୀ ଶିବବୀରଙ୍କ ନମ୍ବରକୁ କଦାପି କଲ୍ ଯାଇନଥିଲା । ଅଧିକାଂଶ କଥାବାର୍ତ୍ତା ଭଣଜା ଅମିତ ସହ ହେଉଥିଲା । ସେହି ଭଣଜା ସହ ମିଶି ମାଳତୀ ନିଜ ସ୍ୱାମୀକୁ ହତ୍ୟା କରିଥିଲେ ।
ପଚରାଉଚରାରୁ ମାଳତୀ ଓ ଅମିତ ସତ ମାନିଲେ । ଗତ ବର୍ଷ ଅକ୍ଟୋବର ୩୦ ରାତିରେ ଦୁହେଁ ଶିବରୀରଙ୍କୁ ହତ୍ୟା କରିଥିଲେ । ଦୀପାବଳିର ଦିନକ ପୂର୍ବରୁ ମାଳତୀ ଶିବବୀରଙ୍କୁ ଚା’ରେ ନିଶା ମିଶାଇ ଦେଇଥିଲା । ଚା’ ପିଇ ଗଭୀର ନିଦରେ ଶୋଇବା ପରେ ମାଳତୀ ଓ ଅମିତ ତାଙ୍କୁ ହତ୍ୟା କଲେ । ନିକଟସ୍ଥ ବଗିଚାରେ ଗାତ ଖୋଳି ଶବକୁ ପୋତିଦେଲେ । ସତ ଲୁଚାଇବାକୁ ଶବ ଉପରେ ୧୦ ପ୍ୟାକେଟ୍ ଲୁଣ ପକାଇଲେ, ଯାହା ଦ୍ୱାରା ଶବ ଶୀଘ୍ର ନଷ୍ଟ ହୋଇଯିବ।
ହତ୍ୟା ପରେ ମାଳତୀ ପରିବାରକୁ କହିଲେ ଯେ ଶିବବୀର ଚାକିରି କରିବାକୁ ଗୁଜରାଟ ଚାଲିଯାଇଛନ୍ତି । ବେଳେବେଳେ ମୋବାଇଲ ଫୋନ୍ରେ କଥା ହେବା କଥା ମିଛ କହୁଥିଲେ । କିନ୍ତୁ ମା’ ଓ ଭଉଣୀ ଫୋନ୍ କଲେ, କେବେ ବି ଫୋନ୍ ଲାଗୁନଥିଲା । ଗୋଟିଏ ବର୍ଷ ଧରି ମାଳତୀ ମିଛ କହିଆସୁଥିଲେ । କିନ୍ତୁ ରକ୍ଷାବନ୍ଧନ ରାତିରେ ଭଉଣୀକୁ ଆସିଥିବା ସ୍ୱପ୍ନ ଓ ମା’ଙ୍କର ଜିଦ୍ ସତ ସାମ୍ନାକୁ ଆଣିଲା । ପୁଲିସ ଗର୍ତ୍ତରୁ ଶବ ଉଦ୍ଧାର କରି ଫରେନ୍ସିକ୍ ଯାଞ୍ଚ୍ ପାଇଁ ପଠାଇଛି।