ଭୁବନେଶ୍ବର, ୩୧।୩ : ଭରତପୁର ଥାନା ପୋଲିସକୁ ଆକ୍ରମଣ ଘଟଣାରେ ୬ ଜଣଙ୍କୁ ଗରଫ କରିଛି ପୋଲିସ। ଭୁବନେଶ୍ୱରର ଭରତପୁର ଅଞ୍ଚଳର ବନଦୂର୍ଗା ବସ୍ତିରେଜମିବାଡ଼ି ବିବାଦ କୁ ନେଇ ୨ ଭାଇ ମଧ୍ୟରେ  ଗଣ୍ଡଗୋଳ ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା। ଏହି ସମୟରେ ପୋଲିସ ଗାଡିକୁ ଭଙ୍ଗାରୁଜା କରିବା ସହ ପୋଲିସ ଉପରକୁ ଆକ୍ରମଣ କରାଯାଇଥିଲା। ଏହି ଘଟଣା ରେ ୬ ଜଣଙ୍କୁ ଗିରଫ କରାଯାଇଛି ବୋଲି ଡିସିପି ସୂଚନା ଦେଇଛନ୍ତି। 

 ଭତରପୁର ଥାନା ଅଞ୍ଚଳର ସୂର୍ଯ୍ୟ ମହାରଣା ଏବଂ ଅଶୋକ ମହାରଣା ଦୁଇ ଭାଇ ଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ଗଣ୍ଡଗୋଳ ଲାଗିରହିଥିଲା। ଅନେକ ଦିନରୁ ଲାଗି ରହିଥିବା ବିବାଦକୁ ନେଇ ରବିବାର ଭରତପୁର ଥାନାରେ ଦୁଇ ଭାଇଙ୍କ ମଧ୍ୟରେ ଆପୋଷ ବୁଝାମଣା ହୋଇଥିଲା । କିନ୍ତୁ ବିଳମ୍ବିତ ରାତିରେ ଏହା ଉଗ୍ରରୂପ ନେଇଥିଲା। ବଡ ଭାଇ ସାହି ବାହାରୁ ଗୁଣ୍ଡା ଡକାଇ ସାନ ଭାଇକୁ ମରଣାନ୍ତକ ଆକ୍ରମଣ କରିଥିଲା । ଯାହାକୁ ପ୍ରତିବାଦ କରିଥିବା ସ୍ଥାନୀୟ ଲୋକେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ । ଖବର ପାଇ ଦୁଇଟି ପିସିଆର୍ ଏବଂ ଭରତପୁର ଥାନା ପୋଲିସ ପହଞ୍ଚି ଥିଲେ ମଧ୍ୟ ସ୍ଥାନୀୟ ଲୋକେ ହାଣିଥିବା ଲୋକକୁ ଛାଡ଼ିବାକୁ ନାରାଜ ହୋଇଥିଲେ । ଉତ୍ତେଜନା ବଢିବାରୁ ଅଭିଯୁକ୍ତକୁ ଥାନାକୁ ନେବା ପାଇଁ ଦୁଇ ସେକ୍ସନ ଫୋର୍ସ ମୁତୟନ କରାଯାଇଥିଲା। ତେବେ ରାସ୍ତା ଅବରୋଧ କରିଥିବା ଲୋକଙ୍କୁ ଭରତପୁର ଥାନା ଅଧିକାରୀ ବୁଝାଇବା ସହ ପ୍ରଥମ ପର୍ଯ୍ୟାୟରେ ଅଭିଯୁକ୍ତଙ୍କ ପରିବାରକୁ ଗାଡ଼ିରେ ନେଇଥିଲେ । କିନ୍ତୁ ମୁଖ୍ୟ ଦୁଇ ଅଭିଯୁକ୍ତଙ୍କୁ ନେବା ସମୟରେ ଲୋକେ ବିରୋଧ କରିଥିଲେ। ପୋଲିସ ଜବରଦସ୍ତି ନେବାକୁ ସ୍ଥିର କରିବା ବେଳେ ଆହୁରି ଉତ୍ତେଜନା ପ୍ରକାଶ ପାଇଥିଲା । ଏମିତିକି ଉତ୍ୟକ୍ତ ଲୋକ ଏବଂ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଫଳରେ ଉଭୟ ପୋଲିସ ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରୁ ଏକାଧିକ ବ୍ୟକ୍ତି ମାନେ ଆହତ ହୋଇଥିଲେ।