ଜି.ଉଦୟଗିରି,୦୧/୧୦: କଳିଙ୍ଗା ଘାଟିରେ ଭୂସ୍ଖଳନ ହେବାର ପନ୍ଦର ଦିନ ବିତିଗଲା । ହେଲେ ଯାତାୟତ ସ୍ୱାଭାବିକ ହୋଇ ପାରିଲାନାହିଁ । ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କନ୍ଧମାଳ ଜିଲ୍ଲା ବିଶେଷ କରି ଜି ଉଦୟଗିରି ଅଞ୍ଚଳର ଲୋକମାନେ ଭଞ୍ଜନଗର ଯିବାକୁ ହେଲେ ୬୦ କିଲୋମିଟର ଅଧିକ ରାସ୍ତା ବୁଲିବାକୁ ପଡୁଛି । ଏହି ମନ୍ଥର କାମ ପାଇଁ ସ୍ଥାନୀୟଲୋକେ ଜାତୀୟ ରାଜପଥ ବିଭାଗକୁ ଦାୟୀ କରିଛନ୍ତି ।
ପାହାଡ ଉପରୁ ୩ଟି ସ୍ଥାନର ପାଣି ଆସିବାରୁ ଏହି ଭୂସ୍ଖଳନ ଘଟିଥିଲା । ଏହା ଉପରେ ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକେ ପ୍ରଶାସନକୁ ଅନୁରୋଧ କରିଥିଲେ । କାରଣ ଘାଟି ରାସ୍ତାର ସୁରକ୍ଷା ପାଇଁ କୌଣସି ଆବଶ୍ୟକୀୟ ପଦକ୍ଷେପ ନିଆ ଯାଉନାହିଁ । ବିଶେଷ କରି ଭୂସ୍ଖଳନ ସ୍ଥାନର ପାହାଡ଼ ଉପରେ ଥିବା ବଡ଼ ବଡ଼ ପଥରକୁ ହଟାଇବା ପାଇଁ କୌଣସି ଆଖି ଦୃଷ୍ଟିୟା ପଦକ୍ଷେପ ନିଆଯାଉନାହଁ । ବିଶେଷ କରି ବାଇପାସ୍ ରାସ୍ତା ନିର୍ମାଣ ପାଇଁ କୌଣସି ପଦକ୍ଷେପ ନିଆ ଯାଉନାହିଁ । ପ୍ରତିଦିନ ହଜାର ହଜାର ଲୋକେ ଯାତାୟତ କରିଥାଆନ୍ତି । ବର୍ତ୍ତମାନ ଏହି ରାସ୍ତାରେ ଯିବା ଆସିବା ବନ୍ଦ ରହିଥିବା କାରଣରୁ ଲୋକମାନେ ବହୁ ଅସୁବିଧାର ସଂମ୍ମୁଖୀନ ହେଉଛନ୍ତି । ଆଗକୁ ଶୀତ ଋତୁ ଆସୁଥିବାରୁ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ହେବ ବୋଲି ଅନୁମାନ କରାଯାଉଛି।
ସୂଚନା ଯୋଗ୍ୟ ଯେ, ଗତ ୧୬ ତାରିଖରେ କଳିଙ୍ଗା ଘାଟିରେ ଭୂସ୍ଖଳନ ହୋଇଥିଲା । ଫଳରେ ଆଜି ଯାଏଁ କନ୍ଧମାଳ ଜିଲ୍ଲାରୁ ଗଞ୍ଜାମ ଜିଲ୍ଲାକୁ ଯାତାୟତ ସମ୍ପୂର୍ଣ ବନ୍ଦ ରହିଛି । ଯାହା ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।