ଭୁବନେଶ୍ୱର,୨୩/୦୨: ଜନପଥ ପୁଣି ଝଲସିବ । ସୌନ୍ଦର୍ଯ୍ୟକରଣ ଫେରିବ । ବସନ୍ତରେ ନୂଆ ଗଛ ପୋତିବାକୁ ଅଣ୍ଟା ଭିଡ଼ିଛି ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଟ୍ (ବିଏସ୍ସିଏଲ୍)। ବିଏସ୍ସିଏଲର ପରିଚାଳନା ନିର୍ଦ୍ଦେଶକ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି । ବାଣୀବିହାରରୁ ଶିଶୁ ଭବନ ଛକ ପର୍ଯ୍ୟନ୍ତ ଜନପଥ ରାସ୍ତାକୁ ସୌନ୍ଦର୍ଯ୍ୟକରଣ କରାଯାଇଥିଲା । ବିଏସ୍ସିଏଲ୍ ପକ୍ଷରୁ ବାଉଁଶ ବାଡ଼ ଲଗାଯାଇଥିଲା । ହେଲେ ମାତ୍ର ୩ ବର୍ଷ ଭିତରେ ଏହି ବାଉଁଶବାଡ ଭାଙ୍ଗିଗଲା । ଯାହା କିଛି ବାକି ଥିଲା ମେଟ୍ରୋ ପ୍ରକଳ୍ପ ପାଇଁ ଖୋଳାତଡ଼ାରେ ବରବାଦ ହେଲା । ସେବେଠୁ ଜନପଥ ତାର ହୃତ୍ ଗୌରବ ହରାଇ ବସିଥିଲା । ହଜିଯାଇଥିବା ଏହି ଜନପଥର ପରିଚୟ ପୁଣି ଖୋଜି ଆଣିବ ସ୍ମାର୍ଟସିଟି ।
ବାଣୀବିହାରରୁ ଶିଶୁଭବନ ରାସ୍ତା ମେଡିଆନ୍ରେ ଗଛ ଲାଗିବ । ୫.୨ କିମି ଏହି ମେଡିଆନ୍ରେ ଭଳିକି ଭଳି ଅର୍ଣ୍ଣାମେଣ୍ଟାଲ ଟ୍ରି ଲାଗିବ । ଏଥିପାଇଁ ୨.୬୯ କୋଟି ଟଙ୍କା ଖର୍ଚ୍ଚ କରିବାକୁ ସ୍ମାର୍ଟସିଟି ଯୋଜନା କରିଛି । ବୈଠକରେ ଏହି ନିଷ୍ପତ୍ତି ଉପରେ ମୋହର ବାଜିଛି । କାମ ଖୁବ୍ଶୀଘ୍ର ଆରମ୍ଭ କରାଯିବ । ଖାଲି ମେଡିଆନ୍ ନୁହେଁ, ଭୁବନେଶ୍ୱର ରେଳ ଷ୍ଟେସନର ମଧ୍ୟ ବିକାଶ ଚାଲିଛି । ଏହି ଦୃଷ୍ଟିରୁ ମାଷ୍ଟରକ୍ୟାଣ୍ଟିନ୍ ଆଇ ଲଭ ଭୁବନେଶ୍ୱର ପାରିପାର୍ଶ୍ବିକର ମଧ୍ୟ ବିକାଶ କରିବାକୁ ଯୋଜାନା କରାଯାଇଛି । ଏହା ସହ ରାଜମହଲରୁ ଶିଶୁଭବନ ଆଖପାଖର ବି ବିକାଶ ହେବ । ଏନେଇ ସ୍ମାର୍ଟସିଟି ଲିମିଟେଡ ପକ୍ଷରୁ ନକ୍ସା ଅଙ୍କାଯାଇଛି ।
ଆହୁରି ପଢ଼ନ୍ତୁ :- ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ମିଳୁନି ଫିଜିଓଥେରାପି, ଫେରୁଛନ୍ତି ରୋଗୀ
ମେଡିଆନ୍ରେ ଗଛ ଲାଗିବା ସହ ଏଥର ଷ୍ଟିଲ ବାଡ଼ ଘେରାଯିବ । ଏନେଇ ୬୯ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବାକୁ ଯୋଜନା କରାଯାଇଥିଲା । ବର୍ଷକ ପୂର୍ବରୁ ଷ୍ଟିଲ୍ ବାଡ କରିବାକୁ ନିଷ୍ପତ୍ତି ହୋଇଥିଲେ ମଧ୍ୟ କାର୍ଯ୍ୟ ଆଗେଇ ପାରିନଥିଲା । ଏବେ ଉଭୟ ମେଡିଆନ୍ ସୌନ୍ଦର୍ଯ୍ୟକରଣ ଏବଂ ଷ୍ଟିଲ ବାଡ଼ର କାମ କରିବାକୁ ଯୋଜନା ହୋଇଛି ।
ବିଏମ୍ସି, ବିଡିଏ ଏବଂ ସ୍ମାର୍ଟସିଟି ପକ୍ଷରୁ ମିଳିତ ଭାବେ ଭୁବନେଶ୍ୱର ବିଭିନ୍ନ ସ୍ଥାନରେ ମେଡିଆନ୍ ଏବଂ ଫୁଟ୍ପାଥ୍ ସୌନ୍ଦର୍ଯ୍ୟକରଣ କରାଯାଉଛି । ନିକଟରେ ବିଏମ୍ସି ପକ୍ଷକୁ ନାଲୋକ ସହିତ ଚୁକ୍ତି ହୋଇଛି । ଏଥିରେ ଜୟଦେବ ବିହାରରୁ ନାଲକୋ ଛକ ପର୍ଯ୍ୟନ୍ତ ରାସ୍ତାକୁ ନାଲକୋ ଏବଂ ବିଏମ୍ସି ମିଳିତ ଭାବେ ସଜାଡିବେ ।