ଭୁବନେଶ୍ୱର, ୨୩/୦୨ : ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର(ୟୁଏଚ୍ଡବ୍ଲୁସି) ରେ ମିଳୁନି ଫିଜିଓଥେରାପି ସେବା । ଆଜି କି କାଲି ନୁହେଁ, ଦୀର୍ଘ ଅଢେଇବର୍ଷ ହେବ ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ଫିଜିଓଥେରାପି ବନ୍ଦ ହୋଇଯାଇଛି । ଭିତ୍ତିଭୂମି ଅଛି, ହେଲେ ଫିଜିଓଥେରାପିଷ୍ଟ ନାହାନ୍ତି । ଫଳରେ ସେବା ବନ୍ଦ। ଏବେ ଫିଜିଓଥେରାପି ଖୋଜୁଥିବା ବରିଷ୍ଠ ନାଗରିକ, ହାଡଗଣ୍ଠି ଜନିତ ସମସ୍ୟା(ଅର୍ଥୋପେଡିକ୍) ରୋଗୀ ବର୍ତ୍ତମାନ ୟୁଏଚ୍ଡବ୍ଲୁସିରୁ ମୁହଁ ଫେରାଇ ଆସୁଛନ୍ତି।
ଶାରୀରିକ ସମସ୍ୟାର ଚିକିତ୍ସା ପାଇଁ ଫିଜିଓଥେରାପି ବ୍ୟବହୃତ ହୁଏ । ବିଶେଷକରି ଆଣ୍ଠୁଗଣ୍ଠି ଯନ୍ତ୍ରଣା, ଆଲଜାଇମର ରୋଗ, ପିଠି ଯନ୍ତ୍ରଣା, ପାର୍କିନ୍ସନ୍ ରୋଗ, ମାଂସପେଶୀରେ ଯନ୍ତ୍ରଣା, ଆଜମା ଏବଂ ଅନ୍ୟାନ୍ୟ ସମସ୍ୟାରୁ ମୁକ୍ତି ପାଇଁ ଏହି ଚିକିତ୍ସା ସହାୟକ ହୋଇଥାଏ । ଫିଜିଓଥେରାପି କେବଳ ଯନ୍ତ୍ରଣାରୁ ମୁକ୍ତି ଦେଇନଥାଏ ବରଂ ଚାପରୁ ମୁକ୍ତି ଦେଇଥାଏ । ଏବେ ରାଜଧାନୀବାସୀଙ୍କ ମଧ୍ୟରେ ଫିଜିଓଥେରାପିର କ୍ରେଜ୍ ରହିଛି । ସେଥିପାଇଁ ଭୁବନେଶ୍ୱରର ସମସ୍ତ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର(ୟୁସିଏଚ୍ଡବ୍ଲୁ) ଓ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ୟୁପିଏଚ୍ସି)ରେ ଫିଜିଓଥେରାପି ବ୍ୟବସ୍ଥା ହୋଇଥିଲା । ଭୁବନେଶ୍ୱରରେ ଉଭୟ ସ୍ୱାସ୍ଥ୍ୟ ବିଭାଗ ଓ ସହରାଞ୍ଚଳ ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ସହଯୋଗରେ ବରମୁଣ୍ଡା-ନୂଆପଲ୍ଲୀ ସ୍ଥିତ ରେଣ୍ଟାଲ କଲୋନୀ, ବୀର ସୁରେନ୍ଦ୍ର ସାଏ ନଗର (ଭିଏସଏସ), ଆଚାର୍ଯ୍ୟ ବିହାର ଓ ସାମନ୍ତରାପୁର, ଲକ୍ଷ୍ମୀସାଗର, ଆଇଗିଣିଆ, ଫକୀରମୋହନ ନଗର, ବଡଗଡ ଶବରସାହି, ପଳାସପଲ୍ଲୀ, ଚକେଇସିହାଣୀ, ସୁନ୍ଦରପଦା, କଳିଙ୍ଗ ବିହାର, ନିଳାଦ୍ରୀବିହାର(ସେକ୍ଟର-୫), ପାତ୍ରପଡା, ହଂସପାଳ, ଶ୍ରୀବିହାର, ହଂସପାଳରେ ଥିବା ମୋଟ ୧୮ଟି ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର((ୟୁପିଏଚ୍ସି)ରେ ଅଧିକ ଲୋକ ଫିଜିଓଥେରାପି ଉପରେ ନିର୍ଭର କରୁଥିଲେ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଫିଜିଓଥେରାପି ପାଉଁ ଏଜେନ୍ସିକୁ ଦାୟିତ୍ୱ ମିଳିଥିଲା । ଏଜେନ୍ସି ନିଜସ୍ୱ ଫିଜିଓଥେରାପିଷ୍ଟଙ୍କୁ ରଖି ଫିଜିଓଥେରାପି କରାଯାଉଥିଲା । ହେଲେ ଅଢ଼େଇବର୍ଷ ହେବ ପୁରୁଣା ଏଜେନ୍ସିଙ୍କ ଦାୟିତ୍ୱ ସରିଗଲାଣି । ଏବେ ଆଉ ନା ଏଠାରେ ଫିଜିଓଥେରାପି ହୋଇପାରୁଛି ନା ନୂଆ ଏଜେନ୍ସିଙ୍କୁ ଦାୟିତ୍ୱ ମିଳିଛି । ଯେଉଁଥି ପାଇଁ ଭିନ୍ନକ୍ଷମ, ବରିଷ୍ଠ ନାଗରିକ, କର୍ମଜୀବୀ, ମହିଳା ଫିଜିଓଥେରାପି ସେବାରୁ ବଞ୍ଚିତ ହେଉଛନ୍ତି ।
ସେପଟେ ୟୁପିଏଚସିରେ ଫିଜିଓଥେରାପି ହେଉଛି । ଏଠାରେ ସପ୍ତାହକରେ ୪ଦିନ ଏହି ସେବା ମିଳୁଛି । ହେଲେ ଭିଡ଼ ହେଉଥିବାରୁ ଲୋକେ ଘରୋଇ ଫିଜିଓଥେରାପି କେନ୍ଦ୍ରକୁ ଦୌଡୁଛନ୍ତି । ଏସଂକ୍ରାନ୍ତରେ ଭୁବନେଶ୍ୱର ଏଡିପିଏଚଓ ଡା. ନୀଳମଣି ସେନାପତି କହିଛନ୍ତି, ବର୍ତ୍ତମାନ ଏଜେନ୍ସି ଖୋଜାଚାଲିଛି । ଖୋର୍ଦ୍ଧା ସିଡିଏମ୍ଓ ଯେଉଁ ଏଜେନ୍ସିକୁ ଦାୟିତ୍ୱ ଦେବେ,ତାକୁ ଫିଜିଓଥେରାପି କରିବାର ସୁଯୋଗ ମିଳିବ । ଏଦିଗରେ ତର୍ଜମା କରାଯାଉଛି । ଯଦି ସେଭଳି ନହେବ ଏଡିପିଏଚ୍ଓସ୍ତରରେ ଆମେ ଫିଜିଓଥେରାପିଷ୍ଟଙ୍କୁ ନିଯୁକ୍ତି ଦେବୁ । ଅନ୍ୟପକ୍ଷରେ, ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର(ୟୁସିଏଚ୍ସି)ରେ ଫିଜିଓଥେରାପି ପ୍ରାବଧାନ ହୋଇନି ।
ଏହି ଖବରଟିକୁ ପଢନ୍ତୁ- ୪ ମହଲାରୁ ପଡି ମହିଳା ମୃତ, ହତ୍ୟା ସନ୍ଦେହ