ମାଲକାନଗିରି,୨୦/୧୧(ରତ୍ନାକର ଦାଶ) : ଚିଠି ବାକ୍ସ । ଧିରେ ଧିରେ ଅଲୋଡ଼ା ହୋଇଯାଉଛି ଡାକ ଘରର ଚିଠି ବାକ୍ସ । ଚିଠିର ସ୍ଥାନ ନେଇଛି ସ୍ମାର୍ଟ ଫୋନ । ଆଉ ଗାଁ ଦାଣ୍ଡରେ ଶୁଭୁନି ସାଇକେଲର ଟିନ୍ ଟିନ୍ ଘଣ୍ଟି । ପିଅନର ଚିଠି ଚିଠି ଡାକ ଯେମିତି ଏବେ ସ୍ବପ୍ନ ପାଲଟିଛି ।

ଇଣ୍ଟେରନେଟର ଯୁଗରେ ଅଲୋଡ଼ା ହୋଇଯାଇଛି ଚିଠି ବାକ୍ସ । ଡାକ ଘରର ନାଲି ଚିଠି ବାକ୍ସ କିଏ ବା ନଜାଣେ । ଚିଠି ଟିଏ ଲେଖି ପକାଇଦେଲେ ତାହା ତା‘ର ଠିକଣାରେ ପହଞ୍ଚିଯାଉଥିଲା । ହେଲେ ଏବେ ଆଉ ସେ ସବୁ ନାହିଁ । ତାହା ଏବେ ସ୍ବପ୍ନ ପାଲଟିଯାଇଛି । ସକାଳୁ ମୁହଁ ଖୋଲିଲେ ମୋବାଇଲ୍ । ଚିଠିର ସ୍ଥାନ ନେଇଛି ସ୍ମାର୍ଟଫୋନ ଏବଂ ହ୍ବାଟ୍ସଆପ । ଚିଠି ଲେଖା ପ୍ରାୟ ବନ୍ଦ ହୋଇଗଲାଣି । କେବଳ କିଛି ସରକାରୀ ଚିଠିରେ ସୀମିତ ହୋଇ ରହିଛି ଡାକ ଘର । ପୂର୍ବଭଳି ଆଉ ଗାଁ ଦାଣ୍ଡରେ ଶୁଭୁନି ମନି ଅର୍ଡ଼ର ଆସିଛି ବୋଲି ଡାକ । ସରକାରୀ ଚିଠିପତ୍ର ଓ କୋର୍ଟ ନୋଟିସ୍କୁ ଛାଡ଼ିଲେ କାଁ ଭାଁ ଆସୁଛି ଘରୋଇ ଚିଠି । ସବୁ ସୂଚନା ଏବେ ଫୋନ୍ରେ ଓ ୱାଟ୍ସଆପ ମାଧ୍ୟମରେ ମିଳିଯାଉଛି । ଫଳରେ ଚିଠି ଲେଖିବା ଓ ଡାକ ଘର ଯିବା ଅଭ୍ୟାସ ଛାଡ଼ି ଦେଲେଣି ଲୋକେ । ଭାବର ଆଦାନ ପ୍ରଦାନ ପାଇଁ ଆଉ ଚିଠିର ଆବଶ୍ୟକତା ପଡୁନଥିବାରୁ ଅଲୋଡ଼ା ହୋଇ ରାସ୍ତାଘାଟ ଅଫିସ ସମ୍ମୁଖରେ ପଡ଼ି ରହି ଖତ ଖାଉଛି ଡାକ ବାକ୍ସ ।

ପ୍ରାୟ ୨୦୦୦ମସିହା ପର୍ଯ୍ୟନ୍ତ ଡାକ ଘରର ଡାକବାକ୍ସ ଭାବର ଆଦାନ ପ୍ରଦାନର ପ୍ରମୁଖ ମାଧ୍ୟମ ପାଲଟିଥିଲା । ସାଙ୍ଗସାଥୀଙ୍କଠାରୁ ଆରମ୍ଭ କରି ସମ୍ପର୍କୀୟ ଦୂରଦୂରାନ୍ତରେ ଥିବା ନିଜ ଲୋକଙ୍କୁ ମନେ ପକାଇ ଚିଠି ଲେଖୁଥିଲେ ପରିବାର ଓ ସାଙ୍ଗ ସାଥି । ଗାଁରେ ପୋଷ୍ଟ ପିଅନ ପହଁଚିଲେ ଗ୍ରାମବାସୀଙ୍କ ଖୁସି କହିଲେ ନ ସରେ । ଧାଇଁ ଯାଇ ଥାନ୍ତି ସମ୍ପର୍କୀୟଙ୍କ ଚିଠିଟିଏ ପାଇଁ । ଏବେ ଆଉ ସେ ସବୁ ନାହିଁ । ଡାକବାକ୍ସରେ କଳଙ୍କି ଖାଇ ଗଲାଣି । ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି । ୨୦୧୨ମସିହା ପରଠାରୁ ଚିଠି ସଂଖ୍ୟା ଧିରେ ଧିରେ ହ୍ରାସ ପାଇ ଚାଲିଛି । ଏବେ କିଛି ସ୍ପିଡ୍ ପୋଷ୍ଟ, ଟ୍ରେଜେରୀ ପାଇଁ ଚାଲାଣ କାଟିବାକୁ ଲୋକେ ଡାକ ଘରକୁ ଆସୁଥିବାର ଦେଖିବାକୁ ମିଳିଛି । ଚିଠିର ଗୁରୁତ୍ଵ କମିବା ପରେ ବ୍ୟାଙ୍କିଂ ବ୍ୟବସ୍ଥାକୁ ଗୁରୁତ୍ବ ଦେଇଛି ଡାକ ବିଭାଗ। ଫିକ୍ସଡ ଡିପୋଜିଟ୍ ସହ ବିଭିନ୍ନ ସ୍କିମରେ ଟଙ୍କା ରଖି ଲୋକେ ରିଟର୍ଣ୍ଣ ପାଉଛନ୍ତି । ଟଙ୍କା ଦେଣନେଣରୁ ଆରମ୍ଭ କରି ରାଖି ପଠାଇବା ଭଳି ବାର୍ଭାବହ ଥିଲା ଡାକବାକ୍ସ । ଏହାକୁ ଦୃଷ୍ଟିରେ ରଖି ସରକାର ପ୍ରତି ଗାଁରେ ଡାକ ବାକ୍ସ ଝୁଲାଇଥିଲେ । ଡାକ ପିଅନ ନିର୍ଦ୍ଧାରିତ ସମୟରେ ଗାଁରେ ପହଞ୍ଚି ଚିଠି ସଂଗ୍ରହ କରିବା ସହ ଆସିଥିବା ଚିଠି ଓ ମନି ଅର୍ଡ଼ରକୁ ସମ୍ପୃକ୍ତ ଲୋକଙ୍କ ନିକଟରେ ପହଞ୍ଚାଉଥିଲେ। ମୋବାଇଲର ବହୁଳ ବ୍ୟବହାର ଚିଠି ଓ ଡାକବାକ୍ସର ଚାହିଦାକୁ କମାଇ ଦେଇଛି । କିନ୍ତୁ ଏ ଗୁଡ଼ିକ ସୁରକ୍ଷିତ ନ ଥିବାରୁ ବହୁ ସମୟରେ ଯୁବପିଢୀଙ୍କ ସମେତ ଜନସାଧାରଣ ଠକାମୀର ଶିକାର ହେଉଛନ୍ତି। ମାଲକାନଗିରି ସହରରେ ନାଲି ଡାକବାକ୍ସ ଖାଲି ଝୁଲି ରହୁଥିବାବେଳେ ନେଟ ନ ଥିବା ଅନେକ ଗାଁ ଗହଳିରେ ଏବେ ବି ଡାକ ଘର ଉପରେ ଗ୍ରାମବାସୀ ମାନେ ନିର୍ଭର କରି ଡାକବାଲା ଆସିବା ବାଟକୁ ଚାହିଁ ରହିଛନ୍ତି।