ନୂଆଦିଲ୍ଲୀ: ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ଟି-୨୦ ସିରିଜ୍‌ରେ ଭାରତୀୟ ମହିଳା ଦଳର ଦବଦବା । ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଦଳ ବିଜୟୀ ହୋଇଥିବା ବେଳେ ଦ୍ବିତୀୟ ମ୍ୟାଚ୍‌ରେ ବାଜିମାତ କରିଥିଲା ଓ୍ବେଷ୍ଟଇଣ୍ଡିଜ୍‌ । କିନ୍ତୁ ଆଜି ଭାରତୀୟ ମହିଳା ଦଳ ସର୍ବାଧିକ ସ୍କୋର କରି ରେକର୍ଡ ଭାଙ୍ଗିଥିବା ବେଳେ ଟିମ୍‌ର ଅଧିନାୟକ ସ୍ମୃତି ମନ୍ଧାନା ଏକାଧିକ ରେକର୍ଡର ଅଧିକାରିଣୀ ହୋଇଛନ୍ତି ।  

ସ୍ମୃତିଙ୍କ ଦମଦାର ୭୭ ରନ୍‌ ଏବଂ ଓ୍ବିକେଟ କିପର ରିଚା ଘୋଷଙ୍କ ୫୪ ରନ୍‌ ବଳରେ ଭାରତୀୟ ମହିଳା ଦଳ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ନିଜର ସର୍ବାଧିକ ସ୍କୋର କରିଛି ।  ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଭାରତୀୟ ଦଳ ନିର୍ଦ୍ଧାରିତ ଓଭରରେ ୪ ଓ୍ବିକେଟ୍‌ ହରାଇ ୨୧୭ ରନ୍‌ କରି ରେକର୍ଡ ରଚିଛି । ଆଜି ନଭି ମୁମ୍ବାଇରେ ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚ୍‌ ଖେଳାଯାଇଛି । 



ଟସ୍‌ ଜିତି ବୋଲିଂ ପାଇଁ ଓ୍ବେଷ୍ଟଇଣ୍ଡିଜ୍‌ ନିଷ୍ପତ୍ତି ନେଇଥିଲା । ସେପଟେ ପ୍ରଥମେ ବ୍ୟାଟିଂ ପାଇଁ ପଡ଼ିଆକୁ ଓହ୍ଲାଇଥିବା ଭାରତୀୟ ଟିମ୍‌ ପ୍ରଥମରୁ ଧିମା ଖେଳିଥିଲା । ଶେଷରେ ସ୍ମୃତି ମନ୍ଧାନା (୭୭), ଜେମିମା ରୋଡ୍ରିଗଜ୍‌  (୩୯), ରାଘଭି ବିଷ୍ଟ (୩୧*), ରିଚା ଘୋଷ (୫୪) ଏବଂ ସଜୀବନ ସଜନା (୪*)ଙ୍କ ବଳରେ ଭାରତୀୟ ଟିମ୍‌ ୨୧୭ ରନ୍‌ କରିଛି ।  ଏହି ରନ୍‌ ଭାରତୀୟ ମହିଳା ଟିମ୍‌ ଲାଗି ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ସବୁଠାରୁ ବଡ଼ ସ୍କୋର ।