ମୁମ୍ବାଇ,୧୮/୬ : ଆଇସିସି ମହିଳା ବିଶ୍ବ କପ ୨୦୨୬ରେ ସ୍ମୃତି ମନ୍ଧାନା ଲଗାତର ଦ୍ବିତୀୟ ଅର୍ଦ୍ଧଶତକ ଯୋଡ଼ିଛନ୍ତି । ପାକିସ୍ତାନ ବିପକ୍ଷରେ ୬୮ରନର ପାଳି ପରେ ବୁଧବାର ସେ ୭୪ରନର ଶାନଦାର୍ ପାଳି ଖେଳିଛନ୍ତି। ନେଦରଲ୍ୟାଣ୍ଡ ବିପକ୍ଷ ଖେଳିଥିବା ଏହି ପାଳିରେ ସେ ୧ ଛକ୍କା ଏବଂ ୧୧ଚୌକା ଲଗାଇଛନ୍ତି । ଏହି ସମୟରେ ସେ ନିଜ ଟି-୨୦ ଅନ୍ତର୍ଜାତୀୟ କ୍ୟାରିୟରରେ ୬୦୦ଚୌକାର ସଂଖ୍ୟା ବି ଛୁଇଁ ନେଇଛନ୍ତି । ସେ ବିଶ୍ବର ପ୍ରଥମ କ୍ରିକେଟର(ପୁରୁଷ ଏବଂ ମହିଳା) ଅଟନ୍ତି ଯିଏ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ୬୦୦ଚୌକା ଲଗାଇଛନ୍ତି । କୌଣସି ପୁରୁଷ କ୍ରିକେଟର ଏବେ ପର୍ଯ୍ୟନ୍ତ ୫୦୦ଚୌକା ବି ଲଗାଇ ପାରିନାହାନ୍ତି ।

ବୁଧବାର ହୋଇଥିବା ଭାରତ ବନାମ ନେଦରଲ୍ୟାଣ୍ଡ ମ୍ୟାଚର କଥା ଯଦି ଆମେ କହିବା ତେବେ ଭାରତ ପ୍ରଥମେ ବ୍ୟାଟିଂ କରି ୨୦୯ରନ୍ କରିଥିଲା। ଟି-୨୦ ବିଶ୍ବକପରେ ପ୍ରଥମ ଥର ଥିଲା ଯେତେବେଳେ ଭାରତ ୨୦୦ରୁ ଅଧିକ ରନ୍ କରିଛି । ସ୍ମୃତି ମନ୍ଧାନା ଏବଂ ଶେଫାଳୀ ବର୍ମା ପ୍ରଥମ ଓ୍ବିକେଟ ଲାଗି ୧୧୫ରନ୍ ଭାଗିଦାରୀ କରିଛନ୍ତି । ଲକ୍ଷ୍ୟର ପିଛା କରି ନେଦରଲ୍ୟାଣ୍ଡ ୧୧୪ରନରେ ରହିଯାଇଛି । ଭାରତ ୯୫ରନରେ ମ୍ୟାଚକୁ ଜିତି ଯାଇଛି । ଯାହା କି ରନ୍ ଆଧାରରେ ଭାରତର ଟି-୨୦ବିଶ୍ବକପରେ ସବୁଠାରୁ ବଡ଼ ବିଜୟ ଅଟେ ।

ସ୍ମୃତି ମନ୍ଧାନା ଏହି ପାଳିରେ ଟି-୨୦ଅନ୍ତର୍ଜାତୀୟରେ ନିଜର ୬୦୦ଚୌକା ବି ପୂରା କରିଛନ୍ତି । ଏବେ ୧୬୮ମ୍ୟାଚରେ ଖେଳିଥିବା ୧୬୨ପାଳିରେ ସେ ୬୦୪ଚୌକା ଲଗାଇ ସାରିଛନ୍ତି । ଏହି ଫର୍ମାଟରେ ସେ ଭାରତ ଲାଗି ୪୪୭୫ରନ୍ କରିଛନ୍ତି । ଯେଉଁଥିରେ ୧ଶତକ ଏବଂ ୩୫ଅର୍ଦ୍ଧଶତକ ସାମିଲ ଅଛି । ସେ ୮୮ଛକ୍କା ଲଗାଇଛନ୍ତି ।

ପୁରୁଷ କ୍ରିକେଟର ଦ୍ବାରା ଟି-୨୦ ଅନ୍ତର୍ଜାତୀୟରେ ସବୁଠାରୁ ଅଧିକ ଚୌକା ଲଗାଇବାର ରେକର୍ଡ଼ ପାକିସ୍ତାନର ବାବର ଆଜମଙ୍କ ନାଁରେ ରହିଛି । ଯିଏ ୧୩୬ପାଳିରେ ୪୭୭ଚୌକା ଲଗାଇଛନ୍ତି । ସେ ୫୦୦ର ସଂଖ୍ୟା ଛୁଇଁବା ପାଖାପାଖି ଅଛନ୍ତି । ରୋହିତ ଶର୍ମା ଲିଷ୍ଟରେ ତୃତୀୟ ନମ୍ବରରେ ଅଛନ୍ତି ଏବଂ ବିରାଟ କୋହଲି ୫ମ ସ୍ଥାନରେ । କୋହଲି-ରୋହିତ ଟି-୨୦ଅନ୍ତର୍ଜାତୀୟରୁ ସନ୍ନ୍ୟାସ ନେଇ ସାରିଛନ୍ତି ।

୪୭୭- ବାବର ଆଜମ(ପାକିସ୍ତାନ)

୪୪୯- ପଲ ଷ୍ଟାର୍ଲିଂ(ଆୟରଲାଣ୍ଡ)

୩୮୩- ରୋହିତ ଶର୍ମା(ଭାରତ)

୩୭୩- ଜୋସ ବଟଲର(ଇଂଲଣ୍ଡ)

୩୬୯- ବିରାଟ କୋହଲୀ(ଭାରତ)