ଆଳି, ୧୬/୦୫: ଆଳି ବ୍ଲକ୍ରେ ମଦ ବନ୍ୟା । ଚୋରା ମଦ କାରବାର ଏଭଳି ବୃଦ୍ଧି ପାଇଛି ଯେ, ମିସ୍କଲ୍ ମାରିଲେ ଠିକଣା ଜାଗାରେ ମଦ ପହଞ୍ଚି ଯାଉଛି । ଆଳି ବ୍ଲକ୍ର ୩୪ ପଞ୍ଚାୟତରେ ଏଭଳି ମଦ କାରବାର ଚାଲିଛି । ଦୁଃଖ ଓ ପରିତାପର ବିଷୟ ଏହାକୁ ତଦାରଖ କରିବା ପାଇଁ ଆଳି ନିଆଳଠାରେ ଖୋଲିଥିବା ଆଳି ଅବକାରୀ ଥାନାରେ ତାଲା ପଡ଼ି ରହିଛି । ଆଳି ବ୍ଲକ୍ର କେତେକ ଗ୍ରାମରେ ପିଇବା ପାଇଁ ପାଣି ମିଳୁନଥିବା ବେଳେ ଗାଁଠୁ ବଜାର ପର୍ଯ୍ୟନ୍ତ ମଦ ଅତି ସହଜରେ ମିଳି ଯାଉଛି । ଗାଁରେ ଛୋଟ କ୍ୟାବିନଟିଏ ହେଉ କି ବଜାରରେ ଥିବା ପାନ ଦୋକାନଠାରୁ ଆରମ୍ଭ କରି ରାସନ୍ ଦୋକାନ ପର୍ଯ୍ୟନ୍ତ ମଦ ମିଳୁଛି । ଏପରିକି ଛୋଟ ବଡ଼ ହୋଟେଲରେ ମଧ୍ୟ ନିଧଡ଼କ ଭାବେ ମଦ ବିକ୍ରି ଚାଲିଛି । ସବୁ ଜାଣି ମଧ୍ୟ ଅଜଣା ସାଜିଛି ଅବକାରୀ ବିଭାଗ । ଯେମିତି ମନେ ହୁଏ ଅବକାରୀ ବିଭାଗ କୋମାରେ ରହିଛି ।
ଆଳି ବ୍ଲକ୍ରେ ସରକାରୀ ଭାବେ ୪ଟି ସରକାରୀ ବିଦେଶୀ ମଦ ଦୋକାନ ଓ ଓ ଗୋଟିଏ ଦେଶୀ ମଦ ଦୋକାନ ଥିବା ବେଳେ ୩ଟି ଠିପି ଖୋଲା ମଦ ଦୋକାନ ରହିଛି । ଆଶ୍ଚର୍ଯ୍ୟର ବିଷୟ ପଞ୍ଚାୟତ ପିଛା ୫ରୁ ୧୦ଟି ଲେଖାଏଁ ହିସାବରେ ବ୍ଲକ୍ରେ ପ୍ରାୟ ୨ ଶହରୁ ଅଧିକ ଚୋରା ମଦ ଦୋକାନ ଖୋଲିଛି । ଦୈନିକ ଗ୍ରାହକଙ୍କ ଚାହିଦା ଅନୁଯାୟୀ ଉକ୍ତ ଚୋରା ମଦ ଦୋକାନୀଙ୍କୁ ମିସ୍କଲ୍ ମାରିଲେ ଘରେ ଆସି ମଦ ପହଞ୍ଚି ଯାଇଛି । ଅବଶ୍ୟ ଆଳି ବ୍ଲକ୍ରେ ଗୋଟିଏ ଦୁଇଟି ପଞ୍ଚାୟତରେ ମଦ ବିରୋଧୀ ଆନ୍ଦାଳନ ହେବାରୁ ସେଠାରେ କିଛି ମାତ୍ରାରେ ମଦ ବିକ୍ରି କମିଛି । କିନ୍ତୁ ଏବେବି ଶତାଧିକ ଚୋରା ମଦ ଦୋକାନରେ ଦୈନିକ ପେଟି ପେଟି ମଦ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି । ଚୋରା ମଦ କାରବାର ରୋକିବା ପାଇଁ ରାଜ୍ୟ ସରକାରଙ୍କ ତହବିଲରୁ ଲକ୍ଷାଧିକ ଟଙ୍କା ବ୍ୟୟରେ ଅବକାରୀ ଥାନା ପ୍ରତିଷ୍ଠା ହୋଇଥିଲେ ମଧ୍ୟ ଏଠାରେ ଅବକାରୀ ବିଭାଗ ନିଦାବିଷ୍ଣୁ ସାଜିଛି । ଦୁଇ ବର୍ଷରୁ ଅଧିକ ହେବ ଆଳିରେ ଅବକାରୀ ବିଭାଗର ନୂତନ ଥାନା ଉଦ୍ଘାଟନ ସରିଥିଲେ ବି ଥାନାରେ ତାଲା ଝୁଲୁଛି । ଏ ନେଇ ସାଧାରଣରେ ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି କର୍ମଚାରୀଙ୍କ ଦେଖା ନାହିଁ ।
ଆଳିରେ ଅବକାରୀ ବିଭାଗ ପକ୍ଷରୁ ନୂତନ ଥାନା କାର୍ଯ୍ୟାଳୟ ଗତ ୨୦୨୪ ମସିହା ଫେବ୍ରୁଆରୀ ୨୭ ତାରିଖରେ କେନ୍ଦ୍ରାପଡ଼ାର ପୂର୍ବତନ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଓ ଅବକାରୀ ଅଧୀକ୍ଷକ ଦେବୀ ପ୍ରସାଦ ମିଶ୍ରଙ୍କ ଦ୍ୱାରା ଉଦ୍ଘାଟନ ହୋଇଥିଲା । ଉଦ୍ଘାଟନକୁ ଦୁଇ ବର୍ଷ ବିତିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଅବକାରୀ ବିଭାଗର କର୍ମଚାରୀଙ୍କ ଦର୍ଶନ ମିଳୁନାହିଁ । ଏହି କାର୍ଯ୍ୟାଳୟଟି ବିଲ ମଝିରେ ଏବଂ ଆଳି କୋର୍ଟ ଓ ଅଗ୍ନିଶମ କେନ୍ଦ୍ର ପଛପଟେ ହୋଇଥିବାରୁ ଅଧିକାଂଶ ଲୋକ ଅଫିସ ଖୋଜିଲେ ପାଉ ନାହାନ୍ତି । ସବୁ ଅସୁବିଧାକୁ ଡେଇଁ ଶେଷରେ କାର୍ଯ୍ୟାଳୟ ନିକଟରେ ପହଞ୍ଚିବା ପରେ ଅଫିସରେ ତାଲା ଝୁଲୁଥିବା ଦେଖିବାକୁ ମିଳୁଛି । ସେହିଭଳି କାର୍ଯ୍ୟାଳୟ ନିର୍ମାଣ କାମ ଏତେ ନିମ୍ନମାନର ହୋଇଛି ଯେ, ଟାଇଲ ଭାଙ୍ଗି ଗଲାଣି । ପାଚେରି ପ୍ଲାଷ୍ଟର ଅଧାପନ୍ତରିଆ ହୋଇ ରହିଛି । ଅବକାରୀ କାର୍ଯ୍ୟାଳୟ ଉଦ୍ଘାଟିତ ହୋଇଥିଲେ ହେଁ ଦିନକ ପାଇଁ ହେଲେ ମଧ୍ୟ ଚଢ଼ଉ ହେଉନାହିଁ ବୋଲି ଅଭିଯୋଗ କରିଛନ୍ତି ମିଳିତ ଓଡ଼ିଶା ନିଶା ନିବାରଣ କମିଟି ଆଳି ଶାଖାର ଲକ୍ଷ୍ମୀଧର ଦୀକ୍ଷିତ, ଗୋବିନ୍ଦ ଚନ୍ଦ୍ର ନନ୍ଦ, ସୋହନା ବେଗମ, ଧନେଶ୍ୱର ରାଉତ ପ୍ରମୁଖ । ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଜିଲ୍ଲା ଅବକାରୀ ଆରକ୍ଷୀ ଅଧୀକ୍ଷକ ବିପ୍ର ଚରଣ ମଣ୍ଡଳଙ୍କୁ ପଚାରିବାରୁ ନିୟମିତ ଭାବେ ଜିଲ୍ଲାର ପ୍ରାୟ ସମସ୍ତ ବ୍ଲକ୍ରେ ଚଢ଼ଉ ଜାରି ରହିଛି ବୋଲି କହିଛନ୍ତି । ଅବକାରୀ ଥାନାରେ ତାଲା ପଡ଼ିବା ପ୍ରସଙ୍ଗରେ ପଚାରିବାରୁ ଏ ନେଇ ସେ ଥାନା ଅଧିକାରୀଙ୍କ ସହ ଅନ୍ୟ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ବୋଲି କହିଛନ୍ତି ।
ଆହୁରି ପଢ଼ନ୍ତୁ...Petrol Crisis: ଖରା ତାତିକୁ ବଳିଗଲା ତେଲ ତାତି; ଧାଡ଼ିରେ ଛିଡ଼ା ସାରା ଓଡ଼ିଶା, ୨୭୮ ଟାଙ୍କିରେ ନୋ-ଷ୍ଟକ୍