ବେତନଟୀ,୦୮/୦୬: ନାଗ-ନାଗୁଣୀଙ୍କୁ ଧରିବା ହେଲା କାଳ । ସାପକୁ କାବୁ କରିବା ବେଳେ ଚୋଟ ଖାଇଲେ ଗୁଣିଆ । ସାପ କାମୁଡା ସମୟରେ ଝଡାଫୁଙ୍କା ସାଙ୍ଗକୁ ସମସ୍ତ ପ୍ରକାର ବିଷଧର ସାପ ଧରିବାରେ ଅଞ୍ଚଳରେ ବେଶ୍‌ ନାମ ଅର୍ଜନ କରିଥିବା ସମ୍ପୃକ୍ତ ଗୁଣିଆ ଜଣକ ନାଗନାଗୁଣୀ ଧରିବାକୁ ଯାଇଥିବା ବେଳେ ବିଷଧର ସର୍ପ ଦଂଶନରେ ତାଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ଏଭଳି ଅଘଟଣ ଘଟିଛି ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା କୃଷ୍ଣଚନ୍ଦ୍ରପୁର  ଫାଣ୍ଡି ଅଧୀନ ତୁଙ୍ଗାଧୁଆ ଗ୍ରାମରେ  ା ମୃତକ ଜଣକ ହେଉଛନ୍ତି ଗାଁର ସ୍ୱର୍ଗତ ନରେନ୍ଦ୍ର ଦେହୁରୀଙ୍କ ପୁଅ ଶୀତଲ ଦେହୁରୀ(୫୭) ।  

ଶୀତଲ ତୁଙ୍ଗାଧୁଆ ସମେତ ଆଖପାଖ ଅଞ୍ଚଳରେ ସାପ କାମୁଡା ଠାରୁ ଆରମ୍ଭ କରି ପିଲାଙ୍କୁ ନଜର  ଲାଗିଲେ ଝଡାଫୁଙ୍କା ପାଇଁ ଜଣେ ସଫଳ ଗୁଣିଆ ଭାବେ ବେଶ୍‌  ସୁନାମ ଅର୍ଜନ କରିଥିଲେ । ଏବଂ ସମସ୍ତ ବିଷଧର ସାପ ଧରିବାରେ  ସିଦ୍ଧହସ୍ତ ଥିବାରୁ ସାପ ଧରାଳି ଭାବରେ ମଧ୍ୟ ସ୍ୱତନ୍ତ୍ର ପରିଚୟ ସୃଷ୍ଟି  କରିପାରିଥିଲେ । ଶୁକ୍ରବାର ରାତିରେ  ଗ୍ରାମର ସୁନାରାମ ବେହେରାଙ୍କ ଘର ଭିତରକୁ ଦୁଇଟି ନାଗନାଗୁଣୀ ପଶିଆସିଥିବା ବେଳେ ସେଗୁଡ଼ିକୁ ସୁରକ୍ଷିତ ଉଦ୍ଧାର କରି ଜନବସତିଠାରୁ ଦୂର ସଂରକ୍ଷିତ ଜଙ୍ଗଲରେ ଛାଡ଼ିବା ପାଇଁ ଶୀତଲ ଦେହୁରୀଙ୍କୁ ଖବର ଦିଆଯାଇଥିଲା । ଶୀତଲ କୌଶଳକ୍ରମେ ପ୍ରଥମେ ଗୋଟିଏ ଗୋଖର ସାପକୁ ଉଦ୍ଧାର କରିଥିଲେ । ଦ୍ୱିତୀୟସାପକୁ ଧରିବାକୁ  ଯିବା ସମୟରେ ବାମଗୋଡ଼ରେ ଦଂଶନ କରିଥିଲା । ଗୁରୁତର ଅବସ୍ଥାରେ  ଶୀତଳଙ୍କୁ ବାରିପଦା ଜିଲ୍ଲାମୁଖ୍ୟ ଡାକ୍ତରଖାନାରେ ନିଆଯାଇଥିଲେ  ସୁଦ୍ଧା ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏନେଇ ବେତନଟୀ  ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇଛି ।