ପୁରୀ,୧୩/୦୬: ସବୁ କଟକଣାକୁ ଉଲ୍ଲଙ୍ଘନ କଲେ ପୁଲିସ ବାବୁ । ଶ୍ରୀମନ୍ଦିର ସ୍ନାନ ମଣ୍ଡପରେ ମହାପ୍ରଭୁଙ୍କ ସାମ୍ନାରେ ଗଜପତି ମହାରାଜାଙ୍କ ଫଟୋ ଉତ୍ତୋଳନ କଲେ ଜଣେ ପୁଲିସ କର୍ମଚାରୀ । ସ୍ନାନଯାତ୍ରାରେ ମହାପ୍ରଭୁଙ୍କ ଆଶିଷ ନେଇ ଶ୍ରଦ୍ଧାଳୁମାନଙ୍କୁ ହାତ ଯୋଡ଼ି ଅଭିବାଦନ ଜଣାଉଥିବା ବେଳେ ଦାମୀ ମୋବାଇଲ୍‌ରେ ନିର୍ଭୟର ସହ ଫଟୋ ଉତ୍ତୋଳନ କରି ଚାଲିଥିଲେ ସମ୍ପୃକ୍ତ ପୁଲିସ ବାବୁ । 

ସାମ୍ନାରେ ମହାପ୍ରଭୁ, ମହାରାଜା ଗଜପତିଙ୍କ ସହ  ମାଳ ମାଳ ସେବାୟତ, ପାଖରେ ବରିଷ୍ଠ  ଅଧିକାରୀ ଓ ପଛରେ ହଜାର ହଜାର  ଶ୍ରଦ୍ଧାଳୁଙ୍କ ସହ ମାଳ ମାଳ କ୍ୟାମେରା  ଥିଲେ ମଧ୍ୟ ନିର୍ଭୟରେ ପୁଲିସ ବାବୁ  ଜଣକ ନିୟମ ଉଲ୍ଲଙ୍ଘନ କରିବାକୁ  ପଛାଇ ନଥିଲେ । ସାଧାରଣ ଶ୍ରଦ୍ଧାଳୁଟିଏ ଶ୍ରୀମନ୍ଦିର ଭିତରେ ଏହି ନିୟମ ଉଲ୍ଲଙ୍ଘନ କଲେ ମୋବାଇଲ୍‌ ଜବତ କରି  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ପୁଲିସ ।  ହେଲେ ଏଠାରେ ଖୋଦ୍‌ ବାଡ଼ ଫସଲ ଖାଇବା ଭଳି ପୁଲିସ ନିଜେ ନିୟମ ଉଲ୍ଲଙ୍ଘନ କରିଥିବା  ବେଳେ ଶୃଙ୍ଖଳିତ ବିଭାଗ ନିରବ ରହି ବେଆଇନ୍‌ କାର୍ଯ୍ୟକୁ ଚାପିବାକୁ ଉଦ୍ୟମ କରିଥିବା  ଅଭିଯୋଗ ହୋଇଛି । ଉକ୍ତ ଦୃଶ୍ୟ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି ।