ପୁରୀ,୧୧/୦୬: ଶ୍ରୀକ୍ଷେତ୍ରର ଅଧିପତି ମହାପ୍ରଭୁ ଶ୍ରୀଜଗନ୍ନାଥ । ପୁରୀରେ ରହି ମାନବୀୟ ଲୀଳା ରଚୁଛନ୍ତି କାଳିଆ ସାଆନ୍ତେ । ମହାପ୍ରଭୁଙ୍କ ରୀତିନୀତି, ବେଶଭୂଷା ସବୁକିଛିରେ ଭରି ରହିଛି ସ୍ବତନ୍ତ୍ରତା । ଆଜି ହେଉଛି ମହାପ୍ରଭୁଙ୍କ ଦିବ୍ୟ ଦେବସ୍ନାନ ପୂର୍ଣ୍ଣିମା । ଏହି ଦିନରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିଥାନ୍ତି ଚତୁର୍ଦ୍ଧାମୂର୍ତ୍ତୀ । ଏଥିପାଇଁ ସୁନାକୂଅରୁ ଆସେ ପବିତ୍ର ଜଳ । ତେବେ ଜାଣନ୍ତି କି ? ଏହି ସୁନାକୂଅ କେଉଁଠି ଅଛି ? ଏହା ପଛର କଣ ରହିଛି କିମ୍ବଦନ୍ତୀ । ଶ୍ରୀମନ୍ଦିର ଭିତରେ ରହିଛି ଏହି କୌତୁହଳ ସୁନାକୂଅ । ଶ୍ରୀମନ୍ଦିରର ଉତ୍ତର ଦ୍ଵାର ନିକଟରେ ଥିବା ମା’ଶୀତଳାଙ୍କ ମନ୍ଦିର ସମ୍ମୁଖ ଭାଗରେ ଯେଉଁ କୂଅ ରହିଛି ତାହାକୁ ସୁନା କୂଅ କୁହାଯାଏ । ଏହା ବର୍ଷ ସାରା ଆବୃତ ହୋଇ ରହିଥାଏ ।
କୂଅର ନାମ ଯେଭଳି ନିଆରା ଏହି କୂଅର ଜଳ ମଧ୍ୟ ସେତିକି ସ୍ବତନ୍ତ୍ର । କେବଳ ବର୍ଷରେ ଥରେ ଏହି କୂପ ଜଳ କଢ଼ାଯାଇ ସ୍ନାନ ମଣ୍ଡପରେ ସ୍ନାନ ଯାତ୍ରା ଦିନ ଚତୁର୍ଦ୍ଧାମୂର୍ତ୍ତି ସ୍ନାନ କରିଥାନ୍ତି । ତେବେ ବର୍ଷକୁ ଥରେ କାହିଁକି ଏହି କୂପ ଜଳ ବ୍ୟବହାର ହୁଏ, ଅନ୍ୟ କୌଣସି ଦିନରେ ଏହି ଜଳ କାହିଁକି ବ୍ୟବହାର ହୁଏ ନାହିଁ ତାହାର ନିର୍ଦ୍ଦିଷ୍ଟ ତଥ୍ୟ ନାହିଁ । କୁହାଯାଏ, ସ୍ନାନ ପୂର୍ଣ୍ଣିମା ପୂର୍ବରୁ ଭାରତର ଥିବା ସବୁ ତୀର୍ଥ ଜଳ ଏହି କୂପକୁ ଆସିଥାଏ । ସ୍ନାନଯାତ୍ରା ସରିବା ପରେ ଏହି କୂପରୁ ସବୁ ତୀର୍ଥ ଜଳ ଅନ୍ତର୍ଦ୍ଧାନ ହୋଇଯାଆନ୍ତି । ଏଣୁ ଏହି କୂପର ଜଳକୁ ବର୍ଷକୁ ଗୋଟିଏ ଦିନ ସ୍ନାନଯାତ୍ରାରେ ମହାପ୍ରଭୁଙ୍କ ସ୍ନାନ ପାଇଁ ବ୍ୟବହାର ହୋଇଥାଏ ।ଶ୍ରୀମନ୍ଦିରର ଚୂନରା ସେବାୟତ ଶରତ ମହାନ୍ତି କୁହନ୍ତି, ‘ଏହି ସୁନାକୂଅକୁ ମା’ ଶୀତଳାଙ୍କ ବାହାନ ସିଂହ ବର୍ଷ ସାରା ଜଗି ରହିଥାଏ ବୋଲି ବିଶ୍ୱାସ ରହିଛି ।
କିନ୍ତୁ ଏହି ସୁନାକୂଅର ଅନେକ ବୈଚିତ୍ର ରହିଛି । କିମ୍ବଦନ୍ତୀରୁ ଜଣାଯାଏ ଯେତେବେଳେ ରାଜା ଶ୍ରୀମନ୍ଦିର ତୋଳିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ ସେତେବେଳେ ବିଭିନ୍ନ ରାଜ୍ୟରୁ ଜୟ କରି ଆଣିଥିବା ସୁବର୍ଣ୍ଣକୁ ରଖିବା ପାଇଁ ଶ୍ରୀମନ୍ଦିରରେ କୌଣସି ସୁରକ୍ଷିତ ସ୍ଥାନ ନ ଥିଲା କି ଭଣ୍ଡାର ମଧ୍ୟ ନଥିଲା । ତେଣୁ ସେ କୂପ ଭିତରେ ରାଜା ସେହି ସୁବର୍ଣ୍ଣ ଗୁଡ଼ିକୁ ଗଚ୍ଛିତ ରଖିଥିଲେ । ଅନେକ ମଧ୍ୟ ଲୋକ କଥାରେ କୁହାଯାଏ କୂଅ ଭିତରେ ଥିବା ସବୁଠୁ ନିମ୍ନ ଥିବା ନନ୍ଦ ଗୁଡ଼ିକ ସୁନାରେ ନିର୍ମିତ ହୋଇଛି ।’ବିଶ୍ୱାସ କରାଯାଏ ସେହି ସୁନାକୂଅରୁ ମହାପ୍ରଭୁଙ୍କ ରତ୍ନଭଣ୍ଡାରକୁ ଗୁପ୍ତ ସୁଡ଼ଙ୍ଗ ରହିଛି । ମହାପ୍ରଭୁଙ୍କୁ ସୁନା ଠାକୁର କୁହାଯାଏ । ମହାପ୍ରଭୁ ରଥ ଉପରେ ସୁନା ଝାଡୁରେ ଗଜପତି ଛେରା ପହଁରା କରନ୍ତି । ମହାପ୍ରଭୁଙ୍କୁ ସୁନା ଥାଳିରେ ନୈବେଦ୍ୟ ଅର୍ପଣ ହୁଏ । ତେବେ ସୁନା ଗୋସେଇଁ ନାମକ ଜଣେ ସେବକ ଏହି ସୁନାକୂଅରୁ ଜଳ ବାହାର କରିଥାନ୍ତି । ଏହି ସୁନାକୂଅର ଗଭୀରତା ୫୦ ଫୁଟ ରହିଛି । ଏହା ବହୁ ପ୍ରାଚୀନ କୂପ । ତତ୍କାଳୀନ ଗଜପତି ରାଜା କପିଳେନ୍ଦ୍ର ଦେବ ଏହି କୂପର ନିର୍ମାଣ କରିଥିଲେ । ସେତେବେଳେ ମେଘନାଦ ପ୍ରାଚୀର ହୋଇନଥିଲା ଶ୍ରୀମନ୍ଦିର ଚାରିପାଖରେ । ଏହା ପୂର୍ବରୁ ଏହି ସୁନାକୂପ ରହିଥିବା ପ୍ରମାଣ ରହିଛି ।