ଭୁବନେଶ୍ୱର,୧୮/୧ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି)ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କୁ ବୁଧବାର ନୂଆଦିଲ୍ଲୀଠାରେ ଅନୁଷ୍ଠିତ ୱାର୍ଲ୍ଡ କଂଗ୍ରେସ ଅନ୍‌ ଡିଜାଷ୍ଟର ମ୍ୟାନେଜମେଂଟ-ଡିଜାଷ୍ଟର ରିସ୍କ ରିଡକ୍ସନ୍‌ (ଡବ୍ଲ୍ୟୁସିଡିଏମ୍‌-ଡିଆରଆର) ଅବସରରେ ସମ୍ମାନିତ କରାଯାଇଛି ।

ପୂର୍ବରୁ ଭୁବନେଶ୍ୱର ଭାରତୀୟ ପାଣିପାଗ ବିଭାଗରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିବା ଡକ୍ଟର ସାହୁ ଏହି ସମ୍ମାନ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପିୟୁଷ ଗୋୟଲଙ୍କଠାରୁ ଗ୍ରହଣ କରିଥିଲେ । ବିପର୍ଯ୍ୟୟ ପ୍ରସ୍ତୁତି ବର୍ଗରେ ଡକ୍ଟର ସାହୁଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।

ୱେଦର ରିସର୍ଚ୍ଚ ଫୋରକାଷ୍ଟିଂ ତଥା ପୃଥିବୀର ଅନ୍ୟାନ୍ୟ ମଡେଲର ସାହାଯ୍ୟ ନେଇ ସିଇସି ପକ୍ଷରୁ ପାଣିପାଗର ଅଗ୍ରୀମ ସୂଚନା ପ୍ରସ୍ତୁତ କରି ବ୍ୟବହାରକାରୀମାନଙ୍କୁ ଯୋଗାଇ ଦିଆଯାଇଥାଏ । ଏହାଛଡ଼ା ଏହି କେନ୍ଦ୍ର ପୁନେସ୍ଥିତ ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟ୍ରପିକାଲ ମେଟିଓରୋଲଜି, ଆମେରିକାର ଆର୍ଥ ନେଟୱର୍କ ଓ ହାଇଦ୍ରାବାଦସ୍ଥିତ ନ୍ୟାସ୍‌ନାଲ୍‌ ରିମୋଟ ସେନ୍‌ସିଂ ସେଂଟର ଦ୍ୱାରା ଉପଲବ୍ଧ ଝଡ଼ବାତ୍ୟା ଓ ବଜ୍ରପାତ ସଂକ୍ରାନ୍ତିୟ ପୂର୍ବ ସୂଚନା ରାଜ୍ୟର ବିଭିନ୍ନ ବ୍ଲକ୍‌ରେ ପ୍ରସାରିତ କରିଥାଏ । 

ଏହି କାର୍ଯ୍ୟକ୍ରମରେ ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟ ବିଚାରପତି ଏମ୍‌. ଏମ୍‌. କୁମାର ଓ ଡିଜାଷ୍ଟର ମ୍ୟାନେଜମେଂଟ ଇନିସିଏଟିଭ୍‌ସ ଆଣ୍ଡ କନ୍‌ଭର୍ଜେନ୍ସ  ସୋସାଇଟି-ୱାର୍ଲ୍ଡ କଂଗ୍ରେସ ଅନ୍‌ ଡିଜାଷ୍ଟର ମ୍ୟାନେଜମେଂଟର ସଭାପତି ତଥା ଆବାହକ ଡକ୍ଟର ଏସ୍‌. ଆନନ୍ଦ ବାବୁ ଉପସ୍ଥିତ ଥିଲେ ।