ଭୁବନେଶ୍ୱର, ୨/୪ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ବିଜିନେସ୍‌ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍‌ (ଆଇବିସିଏସ୍‌) ପକ୍ଷରୁ ‘ଷ୍ଟାଟିଷ୍ଟିକାଲ ଡାଟା ଆନାଲିସିସ୍‌ ୟୁଜିଂ ଷ୍ଟାଟିଷ୍ଟିକାଲ୍‌ ପ୍ୟାକେଜ ଫର ସୋସିଆଲ୍‌ ସାଇନ୍‌ସେସ୍‌’ଶୀର୍ଷକ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି । ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ମନୋନିବେଶ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ଅଧିକ ପ୍ରଶିକ୍ଷଣ ଦେବା ସହ ପରିସଂଖ୍ୟାନ ସମ୍ପର୍କୀୟ ଜ୍ଞାନକୌଶଳ ସମ୍ବନ୍ଧୀୟ ଅଧିକ ତଥ୍ୟ ପ୍ରଦାନ କରିବା ଲକ୍ଷ୍ୟରେ ଏହି କର୍ମଶାଳା ଆୟୋଜନ କରାଯାଇଥିଲା । 

ଏହି କର୍ମଶାଳାକୁ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଉଦ୍‌ଘାଟନ କରିଥିବାବେଳେ ଆଇବିସିଏସ୍‌ର ଡିନ୍‌ ପ୍ରଫେସର (ଡକ୍ଟର) ଅୟସକାନ୍ତ ମହାନ୍ତି, ସମ୍‌ ନର୍ସିଂ କଲେଜର ଡିନ୍‌ ପ୍ରଫେସର (ଡକ୍ଟର) ସସ୍ମିତା ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଉପସ୍ଥିତ ବକ୍ତାମାନେ ପିରସଂଖ୍ୟାନ ବ୍ୟବସ୍ଥା ଏବଂ ଡାଟା ସମ୍ପର୍କିତ ବିଭିନ୍ନ ପ୍ରକ୍ରିୟା ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ । କର୍ମଶାଳାର ବିଭିନ୍ନ ଅଧିବେଶନ ଗୁଡ଼ିକୁ ଡକ୍ଟର ପ୍ରୀତି ୱାଇ ଷଡ଼ଙ୍ଗୀ, ରୁବୀ ପ୍ରଧାନ ଏବଂ ସୁଚିସ୍ମିତା ପାହାନ୍ତାସିଂ ପରିଚାଳନା କରିଥିଲେ । 

କର୍ମଶାଳାକୁ ଆଇବିସିଏସ୍‌ର ଆସୋସିଏଟ ଡିନ୍‌ ପ୍ରଫେସର (ଡକ୍ଟର) ମନୋରଞ୍ଜନ ଦାସ ପରିଚାଳନା କରିବା ସହ ଡାଟା ଅନୁଶୀଳନ ନିମନ୍ତେ ଷ୍ଟାଟିଷ୍ଟିକାଲ୍‌ ପ୍ୟାକେଜ ଫର ସୋସିଆଲ୍‌ ସାଇନ୍‌ସେସ (ଏସ୍‌ପିଏସ୍‌ଏସ୍‌)ର ପ୍ରୟୋଗ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଛାତ୍ର ମଙ୍ଗଳ ଡିନ୍‌ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଯୋଗଦେଇ ପ୍ରତିଯୋଗୀମାନଙ୍କୁ ଶିକ୍ଷା ଓ ଗବେଷଣା ସମ୍ପର୍କରେ ପ୍ରୋତ୍ସାହିତ କରିଥିଲେ ।