ଭୁବନେଶ୍ୱର,୧୫/୧୨: ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ ବିଶ୍ୱବିଦ୍ୟାଳୟ ଓ ହାଇଦ୍ରାବାଦ ସ୍ଥିତ ମାଲା ରେଡ୍ଡି ବିଶ୍ୱବିଦ୍ୟାପୀଠ (ଏମ୍ଆରଭି) ମଧ୍ୟରେ ଶୁକ୍ରବାର ଏକ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି । ଏହି ବୁଝାମଣାପତ୍ର ଅନୁଯାୟୀ, ସୋଆ ଓ ଏମ୍ଆର୍ଭି ସହଯୋଗ ଭିତ୍ତିରେ ଶିଳ୍ପ ଜଗତର ଆବଶ୍ୟକତାକୁ ଆଖିରେ ରଖି ଶୈକ୍ଷିକ ପାଠ୍ୟକ୍ରମ ପ୍ରସ୍ତୁତ କରିବେ । ଭବିଷ୍ୟତର ଆବଶ୍ୟକତାକୁ ଏହା ପୂରଣ କରିବ । ଦୁଇ ବିଶ୍ୱବିଦ୍ୟାଳୟ ମଧ୍ୟ ଏକତ୍ର ଶିକ୍ଷା, ଗବେଷଣା, ନୂତନ ପ୍ରବର୍ତ୍ତନ ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଜ୍ଞାନର ଆଦାନପ୍ରଦାନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବେ ।
ସ୍ୱାସ୍ଥ୍ୟସେବା, ମେଡିକାଲ୍ ଟେକ୍ଲୋଲୋଜି, ଫାର୍ମାସ୍ୟୁଟିକାଲ୍ ସାଇନ୍ସେସ୍, ଲାଇଫ୍ ସାଇନ୍ସ ଓ ଇଞ୍ଜିନିୟରିଂ କ୍ଷେତ୍ରରେ ଗବେଷଣା ପାଇଁ ଜାତୀୟ ତଥା ଆନ୍ତର୍ଜାତିକ ସଂସ୍ଥାର ଅର୍ଥ ଯୋଗାଣ ଲାଗି ଉଭୟ ବିଶ୍ୱବିଦ୍ୟାଳୟ ମିଳିତ ଉଦ୍ୟମ କରିବେ । ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଓ ଏମ୍ଆର୍ଭି ରେଜିଷ୍ଟ୍ରାର ଡକ୍ଟର ମନ୍ଥନ ଜାନୋଡିଆ ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିଲେ । ଏମ୍ଆର୍ଭିର ଚିଫ୍ ଇନୋଭେସନ୍ ଅଫିସର ଡ.ବିକାଶ ସାହୁ ଓ ରିସର୍ଚ୍ଚ ଆଣ୍ଡ ଇନୋଭେସନ୍ ଅଫିସର ଡ.ଏଲୋଜିତା ରାଉତ ଉପସ୍ଥିତ ଥିଲେ । ସୋଆର ସ୍କୁଲ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍ସେସ୍ର ଡିନ୍ ପ୍ରଫେସର ସୁଦାମ ଚନ୍ଦ୍ର ସି ଓ ପ୍ରଫେସର ଇ. ସୁବୁଦ୍ଧି ମଧ୍ୟ ଉପସ୍ଥିତ ଥିଲେ ।