ଭୁବନେଶ୍ବର, ୦୪/୦୯: ରାଜ୍ୟର ପ୍ରମୁଖ ଶିକ୍ଷା ଅନୁଷ୍ଠାନ ଓ ବିଶ୍ୱବିଦ୍ୟାଳୟ ମଧ୍ୟରେ ଶୀର୍ଷରେ ରହିଛି ସୋଆ ବିଶ୍ୱବିଦ୍ୟାଳୟ । ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ନିଜର ଶ୍ରେଷ୍ଠତ୍ବ ବଜାୟ ରଖିଛି । ଗୁରୁବାର ସର୍ବଭାରତୀୟ ସ୍ତରରେ ୟୁନିଭର୍ସିଟି ରାଙ୍କିଙ୍ଗ NIRF-2025 ପ୍ରକାଶ ପାଇଛି । ଏହି ତାଲିକାରେ ସୋଆ ଓଡ଼ିଶାରେ ପ୍ରଥମ ସ୍ଥାନରେ ରହିଛି । ତେବେ ସର୍ବଭାରତୀୟ ସ୍ତରରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ ୧୫ତମ ସ୍ଥାନରେ ରହିଛି ।  ଓଭର ଅଲ୍ କାଟାଗୋରି ଦେଖିବାକୁ ଗଲେ ଦେଶରେ ସୋଆର ସ୍ଥାନ ୨୫ତମ ରହିଛି । ୨୭ତମ ସ୍ଥାନରେ ରହିଛି କିଟ୍ ବିଶ୍ବ ବିଦ୍ୟାଳୟ । ସେହିପରି ସର୍ବଭାରତୀୟ ରାଙ୍କିଙ୍ଗରେ ୫୦ତମ ସ୍ଥାନରେ ରହିଛି ଉତ୍କଳ ବିଶ୍ବ ବିଦ୍ୟାଳୟ ।

ଦେଶର ପ୍ରମୁଖ ଇଞ୍ଜିନିୟରିଂ କଲେଜ ଗୁଡ଼ିକ ମଧ୍ୟରେ ବି ସୋଆ ଶ୍ରେଷ୍ଠତ୍ବ ଜାରି ରଖିଛି । ସର୍ବଭାରତୀୟ ଇଞ୍ଜିନିଇରିଂ କଲେଜ କାଟାଗୋରିରେ ସୋଆ ଅଧୀନସ୍ଥ ITR ୨୨ ତମ ସ୍ଥାନରେ ରହିଛି । ସେହିଭଳି ମେଡିକାଲ କଲେଜ କାଟାଗୋରିରେ ସୋଆ ସର୍ବଭାରତୀୟ ରାଙ୍କିଙ୍ଗରେ ୧୫ତମ ସ୍ଥାନରେ ରହିଛି । ଆଇଏମଏସ୍ ଆଣ୍ଡ୍ ସମ୍ ହସ୍ପିଟାଲ ଶିକ୍ଷା କ୍ଷେତ୍ରରେ ରାଜ୍ୟର ଅନ୍ୟତମ ସ୍ଥାନ ବଜାୟ ରଖିଛି । ଏଥିସହିତ ଡେଣ୍ଟାଲ ସାଇନସ୍ ଶିକ୍ଷା କ୍ଷେତ୍ରରେ ଦେଶରେ ୯ମ ସ୍ଥାନରେ ରହିଛି ସୋଆ ଡେଣ୍ଟାଲ । ସେହିପରି ସର୍ବଭାରତୀୟ ସ୍ତରରେ ସୋଆ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଲଦଶମ ସ୍ଥାନରେ ରହିଛି । ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଭିନ୍ନ ବିଶ୍ବବିଦ୍ୟାଳୟର ରାଙ୍କ୍ ଉନ୍ମୋଚନ କରିଛନ୍ତି । ଏହି ରାଙ୍କ୍ ମୁଖ୍ୟତଃ ରିସର୍ଚ୍ଚ , ପରୀକ୍ଷା ଫଳାଫଳ, ଅଧ୍ୟାପକ, ଛାତ୍ରଛାତ୍ରୀଙ୍କ ଅନୁପାତ ଏଭଳି ବିଭିନ୍ନ ମାନଦଣ୍ଡକୁ ନେଇ ପ୍ରକାଶ କରାଯାଇଥାଏ। ଓଡ଼ିଶାରେ SOA ବିଶ୍ୱବିଦ୍ୟାଳୟ ସବୁବେଳେ ରାଙ୍କିଙ୍ଗରେ ପ୍ରଥମ ସ୍ଥାନ ଅଧିକାର କରିଆସିଛି। ଚଳିତ ବର୍ଷ ମଧ୍ୟ ସୋଆ ନିଜର ଏହି ସ୍ଥାନ ବଜାୟ ରଖିଥିବା ବେଳେ ନିଜର ବିଶ୍ବସନୀୟତା ଦେଖାଇଛି ।