ମୁମ୍ବାଇ ୦୫/୧୧: ସୋସିଆଲ ମିଡିଆର ନୂଆ ସେନ୍ସେସନ୍ ପ୍ରଜକ୍ତା କୋଲି ଏବେ ଆକର୍ଷଣର କେନ୍ଦ୍ର ହୋଇଛନ୍ତି । ୨୦୧୫ ମସିହାରେ ‘ମୋଷ୍ଟ୍ଲିସେନ୍’ ନାମକ ଏକ ଚ୍ୟାନେଲ୍ ଜରିଆରେ ସେ ନିଜର ୟୁଟ୍ୟୁବ୍ ଯାତ୍ରା ଆରମ୍ଭ କରିଥିଲେ । ଏଥିରେ ସେ ବାସ୍ତବ ଜୀବନ ସହ ଜଡ଼ିତ କମେଡି ଉପରେ ଫୋକସ୍ କରୁଛନ୍ତି । ସେ ପ୍ରସ୍ତୁତ କରୁଥିବା ବିଷୟବସ୍ତୁ ପ୍ରାମାଣିକତା ଯୋଗୁ ତୁରନ୍ତ ଦର୍ଶକଙ୍କ ମଧ୍ୟରେ ଲୋକପ୍ରିୟ ହୋଇଯାଏ । ଆଜି ପ୍ରଜକ୍ତା ଭାରତର ସବୁଠୁ ଲୋକପ୍ରିୟ ୟୁଟୁବର୍ଙ୍କ ମଧ୍ୟରେ ଅନ୍ୟତମ । ଏଥିରେ ତାଙ୍କର ୬୮.୫ କୋଟି ସବ୍ସ୍କ୍ରାଇବର୍ ଅଛନ୍ତି ।
ଇନ୍ଷ୍ଟାଗ୍ରାମ୍ରେ ତାଙ୍କ ଲୋକପ୍ରିୟତା କମ୍ ନୁହେଁ । ଏଠାରେ ତାଙ୍କର ୮୦ ଲକ୍ଷ ଫଲୋଅର୍ ଅଛନ୍ତି, ଯେଉଁମାନେ ତାଙ୍କ ବିବିଧ ବିଷୟବସ୍ତୁ ଜରିଆରେ ତାଙ୍କ ସହ ଯୋଡ଼ି ହୋଇ ଅଛନ୍ତି । କାହାଣୀ ବର୍ଣ୍ଣନା ଓ ଗଣମାଧ୍ୟମ ପ୍ରତି ରୁଚି ଲାଗି ସ୍କୁଲରେ ଅଧ୍ୟୟନ ସମୟରେ ଜଣେ ରେଡିଓ ଜକି ହେବାକୁ ପ୍ରଜକ୍ତା ସ୍ୱପ୍ନ ଦେଖିଥିଲେ । ଏଥିପାଇଁ ସେ ମୁଲୁଣ୍ଡ ସ୍ଥିତ ଭିଜି ଭେଜ୍ କଲେଜ ଅଫ୍ ଆର୍ଟସ, ସାଇନ୍ସ ଆଣ୍ଡ କମର୍ସରେ ନାମ ଲେଖାଇ ବ୍ୟାଚଲର ଅଫ୍ ମାସ୍ ମିଡିଆ ଡିଗ୍ରୀ ହାସଲ କଲେ । ସ୍ନାତକୋତ୍ତର ଡିଗ୍ରୀ ପରେ ମୁମ୍ବାଇରେ ଫିଭର୍ ୧୦୪ ଏଫ୍ଏମ୍ରେ ଇଣ୍ଟର୍ନସିପ୍ କଲେ । ବର୍ଷକର ପରିଶ୍ରମ ପରେ ତାଙ୍କୁ ‘କଲ୍ ସେଣ୍ଟର୍’ ଶୀର୍ଷକ ରେଡିଓ ଶୋ’ ପରିଚାଳନା ଦାୟିତ୍ୱ ଦିଆଗଲା । ତେବେ ଏହା ଖାସ୍ ପ୍ରଭାବ ନ ପକାଇବାରୁ ପ୍ରଜକ୍ତା ୟୁଟ୍ୟୁବ୍ ଆଡ଼କୁ ଢଳିଲେ ।
ରଶମ ସୃଜନଶୀଳତା ଜରିଆରେ ସେ ୟୁଟ୍ୟୁବ୍ ଚ୍ୟାନେଲ୍ ଖୋଲିଲେ ଏବଂ ହାସ୍ୟରସ ଓ ପ୍ରାସଙ୍ଗିକ ବିଷୟ ସହିତ ଦୈନନ୍ଦିନ ଜୀବନର ଗତିଶୀଳତା ଉପରେ ଫୋକସ୍ କଲେ । ତାହା ଲୋକଙ୍କ ହୃଦୟକୁ ଛୁଇଁଲା । ଯୁବ ଦର୍ଶକ ତାଙ୍କର ସଚ୍ଚୋଟ ବ୍ୟାଖ୍ୟାନ ସହ ଯୋଡ଼ିହେଲେ । ୨୦୧୯ ମସିହାରେ ଫୋର୍ବସ୍ର ସମ୍ମାନାସ୍ପଦ ୩୦ ବର୍ଷ ବୟସରୁ କମ୍ ୩୦ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ସ୍ଥାନ ପାଇବା ପ୍ରଜକ୍ତାଙ୍କ ପାଇଁ ବଡ଼ ଉପଲବ୍ଧି ଥିଲା । ଏହା ପରେ ଫିଲ୍ମ ଓ ଟିଭିରେ ସେ କ୍ୟାରିଅର ବିସ୍ତାର କଲେ । ବରୁଣ ଧୱନ, ଅନିଲ କପୁର ଓ କିଆରା ଆଡ଼ଭାନିଙ୍କ ଅଭିନୀତ ‘ଜୁଗ୍ ଜୁଗ୍ ଜିଓ’ ଫିଲ୍ମ ଜରିଆରେ ପ୍ରଜକ୍ତା ବଲିଉଡ୍ରେ ଏଣ୍ଟ୍ରି କଲେ । ନେଟ୍ଫ୍ଲିକ୍ସର ଲୋକପ୍ରିୟ ୱେବ୍ ସିରିଜ୍ ‘ମିସ୍ମ୍ୟାଚ୍ଡ’ ତାଙ୍କ ବହୁମୁଖୀ ପ୍ରତିଭାର ପରିଚୟ ଦେଲା । ଆର୍ଜେରୁ ୟୁଟ୍ୟୁବର୍ ଓ ଜଣେ କଳାକାର ଭାବେ ପ୍ରଜକ୍ତାଙ୍କ ଯାତ୍ରା ଯୁବପିଢ଼ି ପାଇଁ ପ୍ରେରଣାର ସ୍ରୋତ ହୋଇଛି । ଚଳିତ ବର୍ଷର ଆକଳନ ଅନୁସାରେ, ପ୍ରଜକ୍ତାଙ୍କ ନେଟ୍ ସମ୍ପତ୍ତି ୧୦ ଲକ୍ଷ ଡଲାର । ନିଜର ମୋଷ୍ଟ୍ଲିସେନ୍ ୟୁଟ୍ୟୁବ୍ ଚ୍ୟାନେଲ, ପାର୍ଟନରସିପ୍ ଓ ଅଭିନୟ ପ୍ରୋଜେକ୍ଟ ତାଙ୍କ ଆୟର ମୁଖ୍ୟ ମାଧ୍ୟମ । ୩୧ ବର୍ଷ ବୟସରେ ସେ ମାସିକ ୪୦ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ।