ଭୁବନେଶ୍ୱର ୦୫/୧୧: ପୂର୍ବ ବିବାଦକୁ କେନ୍ଦ୍ର କରି ଜଣେ ସମାଜସେବୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି ଦୃର୍ବତ୍ତମାନେ । ଏମିତି  ଘଟଣା ଘଟିଛି ଏୟାରପୋର୍ଟ ଥାନା ପଳାସପଲ୍ଳୀ ଲେନ୍‌-୭ରେ । ଆକ୍ରମଣର ଶିକାର ହୋଇଛନ୍ତି  ସମାଜସେବୀ ଶିବ ପ୍ରସାଦ ଶ୍ରୀଚନ୍ଦନ । ତାଙ୍କୁ ପ୍ରଥମେ କ୍ୟାପିଟାଲ୍‌ ହସ୍ପିଟାଲ୍‌ ଓ ପରେ  ଏମସ୍‌କୁ ସ୍ଥାନାନ୍ତର କରାଯାଇଛି । ୨ଟି  ବାଇକ୍‌ରେ ୫ରୁ ୬ ଜଣ ଯୁବକ ଆସି ତାଙ୍କୁ  ହାଣିଥିବା ସ୍ଥାନୀୟ ଲୋକେ ପୁଲିସ୍‌କୁ କହିଛନ୍ତି ।  

ଶିବଙ୍କ ଘର ପଳାସପଲ୍ଲୀ ଲେନ୍‌ ୧୦ରେ ରୁହନ୍ତି।  ସେ ବିଜେପିର ଜଣେ ସକ୍ରିୟ ସଦସ୍ୟ ଭାବ  କାର୍ଯ୍ୟ କରୁଛନ୍ତି । ତା’ଛଡ଼ା ସମାଜସେବା ଓ ରକ୍ତଦାନ ତାଙ୍କର ନିଶା । ସୋମବାର ରାତି  ପ୍ରାୟ ୧୦ଟା ୧୫ରେ ସେ ସ୍କୁଟିରେ ଘରକୁ  ଫେରୁଥିଲେ । ତାଙ୍କୁ ୨ଟି ବାଇକ୍‌ରେ କିଛି  ଯୁବକ ଖଣ୍ଡା, ଭୁଜାଲି ଓ ହକିଷ୍ଟିକ୍‌ ନେଇ ପିଛା  କରୁଥିଲେ । ପଳାସପଲ୍ଳୀ ଲେନ୍‌-୭ରେ ଶିବଙ୍କ  ସ୍କୁଟିର ଗତି କମ୍‌ ଥିଲା । ଏହି ସମୟରେ ଦୁର୍ବୃତ୍ତମାନେ ତାଙ୍କୁ ଅଟାକାଇଥିଲେ । ସେ  କିଛି ବୁଝିବା ଆଗରୁ ଅପରାଧୀମାନେ ତାଙ୍କୁ  ହାଣି ପକାଇଥିଲେ । ଜୀବନ ବଞ୍ଚାଇବାକୁ ଏଣେତେଣେ ଧାଇଁଥିଲେ ଶିବ । ହେଲେ  ଦୁର୍ବୃତ୍ତମାନେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ  ହାଣି ଚାଲିଥିଲେ । ଶିବ ତଳେ ପଡ଼ିଗଲା  ପରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଚମ୍ପଟ  ମାରିଥିଲେ । ସ୍ଥାନୀୟ ଲୋକ ଶିବଙ୍କୁ ଉଦ୍ଧାର  କରି କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରି  ପୁଲିସ୍‌କୁ ଖବର ଦେଇଥିଲେ । ଶିବଙ୍କ ହାତ,  ବେକ, ପିଠିରେ ଗଭୀର ଆଘାତ ଲାଗିଛି ।  କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ପ୍ରାଥମିକ ଚିକିତ୍ସା  ପରେ ତାଙ୍କୁ ଏମସ୍‌ ହସ୍ପିଟାଲ୍‌କୁ ପଠାଇ  ଦିଆଯାଇଛି । ସେଠାରେ ତାଙ୍କ ଅବସ୍ଥା  ସଙ୍କଟାପନ୍ନ ଥିବା ଜଣାପଡ଼ିଛି । 

ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ  ଉତ୍ତେଜନା ଦେଖାଦେଇଛି । ପୁଲିସ୍‌ ଉକ୍ତ  ଅଞ୍ଚଳରେ ଲାଗିଥିବା ସିସିଟିଭି ଯାଞ୍ଚ କରୁଛି ।  ପୂର୍ବ ବିବାଦକୁ କେନ୍ଦ୍ର କରି ଏହି ଆକ୍ରମଣ  ହୋଇଥିବା ଡିସିପି ପିନାକ ମିଶ୍ର କହିଛନ୍ତି ।  ତେବେ ଘଟଣା ପଛରେ ରାଜନୈତିକ ଷଡ଼ଯନ୍ତ୍ର  ଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ  କରିଛନ୍ତି । ଯଦି ୨୪ ଘଣ୍ଟା ମଧ୍ୟରେ ପୁଲିସ୍‌  ଅଭିଯୁକ୍ତମାନଙ୍କୁ ପୁଲିସ୍‌ ଗିରଫ ନ କରେ  ତା’ହେଲେ ଥାନା ଘେରାଉ କରାଯିବ ବୋଲି  ଶିବଙ୍କ ସହଯୋଗୀମାନେ କହିଛନ୍ତି । ପୁଲିସ  କମିଶନର ଦେବଦତ୍ତ ସିଂହ ଆହତ ଶିବଙ୍କୁ  ଏମ୍ସ ହସ୍ପିଟାଲରେ ଭେଟିବାକୁ ଯାଇଛନ୍ତି ।