ବ୍ରହ୍ମଗିରି,୧୪/୦୯: ଆଜିଠୁ ବିଭିନ୍ନ ଶକ୍ତିପୀଠରେ ଶାରଦୀୟ ପୂଜା ଆରମ୍ଭ ହେବ । ଏହା ୧୬ ଦିନ ଧରି ଶୁକ୍ଳପକ୍ଷ ନବମୀ ତିଥି ପର୍ଯ୍ୟନ୍ତ ଚାଲିବ । ବ୍ରହ୍ମଗିରିର ଅଧିଷ୍ଠାତ୍ରୀ ଦେବୀ ମା' ବାଲିହରଚଣ୍ଡୀ ପୀଠରେ ଷୋଳ ଦିବସୀୟ ଶାରଦୀୟ  ପୂଜାର୍ଚ୍ଚନା ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି ।  ଅଷ୍ଟମୀରେ ସହସ୍ରକୁମ୍ଭ ବରଣ କରାଯାଇ ଷୋଡ଼ଶ ଉପଚାରରେ ୧୦୮ କଳସ ପବିତ୍ର ଜଳରେ ମା'ଙ୍କ  ସ୍ନାନ ଓ ପୂଜାର୍ଚ୍ଚନା କରାଯିବ । ପ୍ରତିଦିନ ମା'ଙ୍କ ଦୁଇଟି  ଲେଖାଏଁ ବେଶ ଅନୁଷ୍ଠିତ ହେବ ବୋଲି ସେବାୟତ  ନିଯୋଗ ପକ୍ଷରୁ ସୂଚନା ଦିଆଯାଇଛି । ଶାରଦୀୟ  ଷୋଳପୂଜାରେ ୩୨ଟି ବେଶରେ ମା' ଅଳଙ୍କୃତ  ହେବେ ।  

ପ୍ରଥମ ଦିନ ଭୈରବୀ ଓ କାଳୀ ବେଶ, ଦ୍ୱିତୀୟ  ଦିନ କମଳା ଓ ମହାଲକ୍ଷ୍ମୀ ବେଶ, ତୃତୀୟ ଦିନ  ଭଗବତୀ ଓ ସରସ୍ୱତୀ ବେଶ, ଚତୁର୍ଥ ଦିନ କାଳୀ  ଓ ମହାକାଳୀ ବେଶ ହେବ । ପଞ୍ଚମ ଦିନ ଅମ୍ବିକା ଓ  ଚଣ୍ଡୀ ବେଶ, ଷଷ୍ଠ ଦିନ ଭୈରବୀ ଓ ପଦ୍ମାବତୀ ବେଶ,  ସପ୍ତମ ଦିନ ମାତଙ୍ଗୀ ଓ ସାମାଙ୍ଗୀ ବେଶ, ଅଷ୍ଟମ ଦିନ  ଷୋଡ଼ଶୀ ଓ ଚଣ୍ଡୀ ବେଶ, ନବମ ଦିନ କୁମାରୀ ଓ  ବ୍ରାହ୍ମଣୀ ବେଶ, ଦଶମ ଦିନ ଲଳିତା ଓ ବଗଳାମୁଖୀ  ବେଶ, ଏକାଦଶ ଦିନ ଭୁବନେଶ୍ୱରୀ ଓ ନାରାୟଣୀ  ବେଶ, ଦ୍ୱାଦଶ ଦିନ ଜଗଦ୍ଧାତ୍ରୀ ଓ ଭବାନୀ ବେଶ,  ତ୍ରୟୋଦଶ ଦିନ ତାରା ଓ ଗୌରୀ ବେଶ, ଚତୁର୍ଦ୍ଦଶ  ଦିନ ତ୍ରିପୁରମୋହିନୀ ଓ ଯୋଗମାୟା ବେଶ, ପଞ୍ଚଦଶ  ଦିନ ମାହେଶ୍ୱରୀ ଓ ବୈଷ୍ଣବୀ ବେଶ, ଷୋଡ଼ଦଶ ଦିନରେ ବରାହୀ ଓ ନାରସିଂ ବେଶ ଅନୁଷ୍ଠିତ ହେବ । ନବମୀ ତିଥିରେ କମଳା, ଆତ୍ମିକା ଓ ଦଶହରାରେ  ମହିଷାମର୍ଦ୍ଦିନୀ ସ୍ୱତନ୍ତ୍ର ବେଶ ଅନୁଷ୍ଠିତ ହେବ ବୋଲି  ମା' ବାଲି ହରଚଣ୍ଡୀ ପରିଚାଳନା କମିଟି ତରଫରୁ  ସୂଚନା ଦିଆଯାଇଛି । ପୂଜା ପାଇଁ ପୁଲିସ ପ୍ରଶାସନ  ତରଫରୁ ବ୍ୟାପକ ବ୍ୟବସ୍ଥା ହୋଇଛି ।