ନୂଆଦିଲ୍ଲୀ,୪।୧୦: ଲଦାଖର ସାମାଜିକ କର୍ମୀ ଏବଂ ପରିବେଶବିତ ସୋନମ ଓ୍ବାଙ୍ଗଚୁକ୍ ଏବେ ଜେଲ୍ରେ ଅଛନ୍ତି। ଏହା ଭିତରେ ତାଙ୍କ ପତ୍ନୀ ଗୀତାଞ୍ଜଳି ଅଙ୍ଗାମୋ ଆଣିଛନ୍ତି ବଡ଼ ଅଭିଯୋଗ। ସେ କହିଛନ୍ତି ଦିଲ୍ଲୀରେ ସବୁ ଜାଗାରେ ତାଙ୍କୁ ପିଛା କରାଯାଉଛି। ସେ ଯେଉଁଆଡେ ଯାଉଛନ୍ତି ତାଙ୍କ କାରକୁ ପିଛା କରାଯାଉଛି। ତାଙ୍କ ସହ କାମ କରୁଥିବା କର୍ମଚାରୀଙ୍କୁ ମଧ୍ୟ ଗିରଫ କରାଯାଇଛି। ସେଭଳି ପୋଲିସ କଷ୍ଟଡିରେ ତାଙ୍କୁ ମାଡ଼ ମାରିବା ସହ ମାନସିକ ଓ ଶାରିରୀକ ରୂପରେ ପ୍ରତାଡିତ କରାଯାଉଛି।
ସେ କହିଛନ୍ତି, ଏକ ଶୀର୍ଷ ସଂଗଠନର ଜଣେ ସଦସ୍ୟ ଫୋନ୍ କରି କହିଥିଲେ ଯେ ତାଙ୍କୁ ଡିଏସ୍ପିଙ୍କଠାରୁ ଏକ ଫୋନ୍ ଆସିଥିଲା ଏବଂ କୁହାଯାଇଥିଲା ଯେ କିଛି ଲୋକ (ସୋନମ୍ ୱାଙ୍ଗଚୁକ୍)ଙ୍କୁ ଭେଟିପାରିବେ, କିନ୍ତୁ ଲିଖିତ ଭାବରେ ମଗାଯାଇଥିବାରୁ ସେ ଏହାକୁ ମନା କରିଦେଇଥିଲେ।
ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଆଇନ ମନ୍ତ୍ରୀଙ୍କୁ ଲେଖାଯାଇଥିବା ଚିଠି ବିଷୟରେ ପଚରାଯିବାରୁ ସେ କହିଥିଲେ, ଏପର୍ଯ୍ୟନ୍ତ କୌଣସି ଉତ୍ତର ମିଳିନାହିଁ। ସେ କହିଛନ୍ତି, ତାଙ୍କଠାରୁ ଜାତୀୟ ସୁରକ୍ଷା ପ୍ରତି କୌଣସି ବିପଦ ନାହିଁ। ସେ ଚାହାଁନ୍ତି ନାହିଁ ଯେ ଏହା ଏକ ରାଜନୈତିକ ପ୍ରସଙ୍ଗ କିମ୍ବା ରାଜନୈତିକ ଏଜେଣ୍ଡା ହେଉ। ସୋନମ୍ ନିଜ ଜୀବନ ବିଜ୍ଞାନ, ଶିକ୍ଷା, ପରିବେଶ ଏବଂ ଯୁବପିଢ଼ିଙ୍କ ପାଇଁ ତାଙ୍କ ଜୀବନକୁ ଉତ୍ସର୍ଗ କରିଛନ୍ତି। ସେ ଏହି ଭାବନା ସହ ଆଗକୁ ବଢିବାକୁ ଚାହାଁନ୍ତି।